ବିଜେଡି ନେତାଙ୍କ ଜମି ହଡ଼ପ ମାମଲା ! ତଦନ୍ତ ନିର୍ଦ୍ଦେଶ ଦେଲେ ଆଠଗଡ଼ ଉପଜିଲ୍ଲାପାଳ

ଆଠଗଡ଼,୨୪/୦୫: ଗତ ତିନି ବର୍ଷ ଧରି ଜଣେ ନିରାଶ୍ରୟ ମହିଳାଙ୍କ ଜମିକୁ ସ୍ଥାନୀୟ ଅଞ୍ଚଳର କିଛି ରାଜନୈତିକ ବ୍ୟକ୍ତିବିଶେଷ ଜବର ଦଖଲ କରି ରଖିଛନ୍ତି । ଏପରିକି ବାପା-ପୁଅ ଦୁଇ ଜଣ ଉକ୍ତ ମହିଳାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଛନ୍ତି । ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୭ ନମ୍ୱର ୱାର୍ଡର ଫଗୁ ଚରଣ ଭକ୍ତାଙ୍କ ପତ୍ନୀ ପ୍ରମିଳା ଭକ୍ତା ସରକାରଙ୍କ ଜାଗା ମିଶନରେ ପାଇଥିବା ଜାଗାକୁ ଉକ୍ତ ୱାର୍ଡର ଜଣେ ପ୍ରଭାବଶାଳୀ ବିଜେଡି ନେତା ଓ ତାଙ୍କ ପୁଅ ଜବରଦଖଲ କରି ରଖିବା ଅଭିଯୋଗ ହୋଇଥିଲା ।
ଗତ ୨୨ ତାରିଖ ଦିନ ଏ ସଂପର୍କରେ ଏକ ଖବର ‘ପ୍ରମେୟ’ରେ ପ୍ରକାଶ ପାଇବା ପରେ ସଂପୃକ୍ତ ମହିଳା ପ୍ରମିଳା ଭକ୍ତା ଏବଂ ତାଙ୍କ ଝିଅ ସବିତା ଭକ୍ତା ଆଠଗଡ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଅଭିଯାଗ ପାଇବା ପରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ତୁରନ୍ତ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କୁ ଡକାଇ ଏହି ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ଘଟଣା ସ୍ଥଳରେ ଶାଶ୍ୱତ ଷଡଙ୍ଗୀ, ସହାରାଞ୍ଚଳ ମିଶନ ମ୍ୟାନେଜର୍, ଏନ୍ଏସିର କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଶତପଥୀ ଏବଂ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ପହଞ୍ଚି ସରଜମିନ ତଦନ୍ତ କରି ଫେରିଛନ୍ତି । ପ୍ରଶାସନର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।