ନୂଆଦିଲ୍ଲୀ : ଭାରତର ୱିକେଟକିପର-ବ୍ୟାଟର କେଏଲ ରାହୁଲ ବାପା ହୋଇଛନ୍ତି। ଆଇପିଏଲ ୨୦୨୫ର ମଧ୍ୟରେ ରାହୁଲଙ୍କ ଘରେ କୁଆଁ କୁଆଁ ଗୁଞ୍ଜରିତ ହୋଇଛି। ସୋମବାର ରାହୁଲଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଆଥିୟା ମଧ୍ୟ କନ୍ୟା ସନ୍ତାନର ଜନ୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି। 


ରାହୁଲ ବର୍ତ୍ତମାନ ବିଶାଖାପାଟ୍ଟନମରେ ଆଇପିଏଲର ୧୮ତମ ସିଜନ ପାଇଁ ଦିଲ୍ଲୀ କ୍ୟାପିଟଲ୍ସ (ଡିସି) ସହ ଯୋଡ଼ି ହୋଇଛନ୍ତି , କିନ୍ତୁ ରବିବାର ରାତିରେ ହଠାତ୍‌ ମୁମ୍ୱାଇ ଫେରି ଆସିଥିଲେ। ରାହୁଲ ଓ ଆଥିୟା ମୁମ୍ୱାଇରେ ରହୁଛନ୍ତି। ଆଥିୟା ଅଭିନେତା ସୁନୀଲ ଶେଟ୍ଟୀଙ୍କର ଝିଅ। 

ଉଲ୍ଲେଖନୀୟ ଯେ, ରାହୁଲ ଓ ଆଥିୟା ପାଖାପାଖି ୩ବର୍ଷ ଯାଏ ପରସ୍ପରକୁ ଡେଟ୍‌ କରିବା ପରେ ୨୩ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ଉଭୟ ବିବାହ ପରେ ବର୍ଷକ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି। ରାହୁଲ ଓ ଆଥିୟା ଶେଟ୍ଟୀ ନଭେମ୍ୱର ୨୦୨୪ରେ ଗୁଡ୍‌ ନ୍ୟୁଜ୍‌ର ସୂଚନା ଦେଇ ଥିଲେ। 

ଏବେ ଦୁହିଁଙ୍କ ଘରେ ଖୁସିର ମାହୋଲ ଆସିବା ପରେ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ୟୁଜର କମେଣ୍ଟ କରିଛନ୍ତି , କେଏଲ ରାହୁଲ ଭାଇ ଓ ଆଥିୟା ଶେଟ୍ଟୀ ଭାଉଜ, ଆପଣ ଦୁହିଁଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଉ ଜଣେ କହିଛନ୍ତି , ଶୁଭେଚ୍ଛା । ଆପଣଙ୍କୁ ଦେବୀଙ୍କର ବରଦାନ ମିଳିଛି। ନିଜ ପରିବାର ସହ ବିତାନ୍ତୁ , ଏହି ସୁନ୍ଦର ମୁହୂର୍ତ୍ତ। ଆମେ ଏବେ ଆପଣଙ୍କୁ ମୈଦାନକୁ ଫେରିବାର ପ୍ରତୀକ୍ଷା କରିବୁ।