କଟକ,୧୭/୦୬: ଆଥଲେଟ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍‌-୨୦୨୫ରେ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ ଶ୍ରାବଣୀ ନନ୍ଦ । କ୍ରୀଡାବିତ୍‌ ଶ୍ରାବଣୀଙ୍କୁ ରାଜ୍ୟ ଆଥଲେଟିକ୍ସ ଆସୋସିଏସନ୍‌ ପକ୍ଷକୁ ସମ୍ବର୍ଦ୍ଧିତ କରାଯିବା ସହିତ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

୩୪ ବର୍ଷୀୟ ଶ୍ରାବଣୀଙ୍କ ସଫଳତା ପାଇଁ ଆସୋସିଏସନ୍ ସମ୍ପାଦକ ଆଶୀର୍ବାଦ ବେହେରା, ଓଡିଶା ଅଲିମ୍ପିକ୍ସ ଆସୋସିଏସନ୍ ସମ୍ପାଦକ ଅଭିଜିତ ପାଲ୍ ଅଭିନନ୍ଦନ ଜଣାଇଛନ୍ତି । ଶ୍ରାବଣୀଙ୍କ ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍ ଏବଂ ବିଶେଷ ଭାବରେ ମହିଳା କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ା ଜଗତରେ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ପ୍ରେରଣା ଦେବ ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।‌ ବାରବାଟୀ ଷ୍ଟାଡିୟମ ଠାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି ।

ପ୍ରକାଶଯୋଗ୍ୟ ଯେ,ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ସିପ-୨୦୨୫ରେ ଭାରତୀୟ ମହିଳା ଦଳ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ ଶ୍ରାବଣୀ ନନ୍ଦ । କନ୍ଧମାଳ ଜିଲ୍ଲା ଟିକାବାଲିର ଧାବିକା ଶ୍ରାବଣୀ ୨୦୧୬ରେ ରିଓ ଅଲମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମହିଳା ୪୦୦ମିଟର ରିଲେ ସହ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟରୁ ପ୍ରତିନିଧିତ୍ୱ କରିଛନ୍ତି । ୨୦୦୮ରେ ଜାତୀୟ ଜୁନିଅର ଆଥଲେଟିକ ଚାମ୍ପିଅନସିପ୍‌ରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।