ଭୁବନେଶ୍ୱର, ୦୩/୩: ରାଜ୍ୟରେ  କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ରାଜ୍ୟ  ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ।  ଶନିବାର କଳିଙ୍ଗ ଷ୍ଟାଡିୟମରେ ଥିବା  ଓଡ଼ିଶା ସନ୍ତରଣ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ  ପ୍ରଶିକ୍ଷାର୍ଥୀଙ୍କୁ ନିର୍ଯାତନା ଅଭିଯୋଗ ହେବା  ପରେ ବିଭାଗ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଥିଲା ।  ୪ ଜଣିଆ  ତଦନ୍ତ କମିଟି କ୍ରୀଡ଼ା ବିଭାଗ ପକ୍ଷରୁ ଗଠନ  ହୋଇଛି । ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡା, ଉପ ସଚିବ ଅମିତ  କୁମାର ନାୟକ, ଓଏସ୍‌ଡି ସୋନାଲି ଚାନ୍ଦ  ଓ ଅଣ୍ଡର ସେକ୍ରେଟାରୀ ରୂପନ୍ୱିତା ପଣ୍ଡା  କମିଟିରେ ସଦସ୍ୟ ରହିଥିବା ଜଣା ପଡ଼ିଛନ୍ତି ।  କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି  ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।  

ପ୍ରାଥମିକ ପର୍ଯ୍ୟାୟରେ କୋଚ୍‌  ସନ୍ଦୀପ ସେଜୱାଲଙ୍କୁ କାର୍ଯ୍ୟରୁ ନିବୃତ  କରାଯାଇଥିଲା । ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ  ନିମ୍ନମାନର ଖାଦ୍ୟ ଦିଆ ଯାଉଥିବାବେଳେ  କୋଚ୍‌ମାନେ ଦୁର୍ବବ୍ୟବହାର ପ୍ରଦର୍ଶନ  କରୁଥିବା ନେଇ ୫୦ ଜଣ ପ୍ରଶିକ୍ଷାର୍ଥୀ ଲିଖିତ  ଭାବେ କ୍ରୀଡ଼ା ବିଭାଗକୁ ଜଣାଇଥିଲେ ।  

କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି  ଜାରି କରି କୁହାଯାଇଥିଲା ଯେ , ପ୍ରଶିକ୍ଷାର୍ଥୀଙ୍କ  ଅଭିଯୋଗ କ୍ରମେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ  ଦିଆଯାଉଥିବା ଖାଦ୍ୟର ମାନ, କୋଚ୍‌ ଏବଂ  ସହକାରୀ କର୍ମଚାରୀଙ୍କ ବ୍ୟବହାର ଉପରେ  ତଦନ୍ତ କରାଯାଉଛି । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କୋଚ୍‌ ସନ୍ଦୀପଙ୍କୁ କାର୍ଯ୍ୟରୁ ନିବୃତ  ରଖାଯାଇଛି । ତଦନ୍ତରେ ଅଭିଯୋଗ ପ୍ରମାଣିତ  ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।