ଗୋଲ୍ଡ କୋଷ୍ଟ,୦୬/୧୧: ଆଜି ଅଷ୍ଟ୍ରେଲିଆ ଓ  ଭାରତ ମଧ୍ୟରେ ଖେଳାଯିବ ଚତୁର୍ଥ  ଟି-ଟ୍ୱେଣ୍ଟି ମୁକାବିଲା । ପ୍ରଥମ ୩ଟି ମ୍ୟାଚ୍‌ ସୁଦ୍ଧା ସିରିଜ ୧-୧ରେ ବରାବର ରହିଥିବାରୁ ଉଭୟ  ଦଳ ଅଗ୍ରଣୀ ପାଇଁ ପ୍ରୟାସ କରିବେ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବ ।

ପ୍ରଥମ ମ୍ୟାଚକୁ ବର୍ଷା ଧୋଇ ନେଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିବାବେଳେ ତୃତୀୟ ମ୍ୟାଚରେ ଭାରତ ବିଜୟୀ  ହୋଇ ସିରିଜକୁ ଫେରିଥିଲା । ଚତୁର୍ଥ ମୁକାବିଲା  ପୂର୍ବରୁ ୩ଦିନର ବିଶ୍ରାମ ସମୟ ମିଳିଥିବାରୁ ଉଭୟ  ଦଳର ଖେଳାଳି ମାନସିକ କ୍ଲାନ୍ତି ଦୂର କରିଛନ୍ତି ।ଶୁକ୍ରବାର ଘମା ଘୋଟ ଲଢେଇ ପାଇଁ ଉଭୟ ଦଳ  ପ୍ରସ୍ତୁତ । ୩ଦିନର ବିଶ୍ରାମ ସମୟ ମଧ୍ୟରେ ଭାରତୀୟ  ଖେଳାଳିମାନେ ସର୍ଟ ବଲ୍‌ ଦୁର୍ବଳତାକୁ ଦୂର କରିବା  ପାଇଁ ଯଥେଷ୍ଟ ଉଦ୍ୟମ କରିଛନ୍ତି । ତେଣୁ ଅଷ୍ଟ୍ରେଲିଆର  ସର୍ଟବଲ୍‌ ଓ ବାଉନ୍ସର ରଣନୀତି ଆସନ୍ତା କାଲି  ଫେଲ ମାରିବ । 

ଶୁକ୍ରବାର ଅଭିଷେକ ଶର୍ମାଙ୍କ ଉପରେ ନଜର ରହିବ । ଚମତ୍କାର ଫର୍ମରେ ରହିଥିବା  ଅଭିଷେକ ଆଉ ଏକ ବିସ୍ଫୋରକ  ଇନିଂସ ଖେଳିବା ଆଶା କରାଯାଉଛି । ସେ ଆଉ  ୩୯ ରନ କଲେ ଟି-ଟ୍ୱେଣ୍ଟିରେ ଦ୍ରୁତତମ ଭାବେ  ୧୦୦୦ ରନ ପୂରଣ କରିବେ । ସୂର୍ଯ୍ୟକୁମାର ଯାଦବ  ୫୭୩ଟି ବଲ୍‌ ଖେଳି ୧୦୦୦ ରନ ପୂରଣ କରିଥିଲେ ।  ଅଭିଷେକ ଇତି ମଧ୍ୟରେ ୫୦୦ ବଲ୍‌ ଖେଳି ୯୬୧ ରନ ସଂଗ୍ରହ କରିସାରିଛନ୍ତି । ଏପର୍ଯ୍ୟନ୍ତ ଚମକ  ଦେଖାଇ ନଥିବା ବାମ ହାତି ବ୍ୟାଟର ତିଳକ ବର୍ମା  ଆଉ ୯ ରନ କଲେ ୧୦୦୦ ରନ ପୂରଣ କରିବେ ।

ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କୁ ଅଟକାଇବାର ଉପାୟ ଭାରତକୁ ମିଳି ସାରିଛି ।  ମାତ୍ର ଟିମ ଡେଭିଡ୍‌ ଓ ମାର୍କସ ଷ୍ଟଇନିସ୍‌ଙ୍କ ପାଇଁ ଭାରତୀୟ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଉଭୟ ତୃତୀୟ ମ୍ୟାଚ୍‌ରେ  ଅର୍ଦ୍ଧଶତକ ଅର୍ଜନ କରିଥିଲେ । 

ଟ୍ରେଭିସ୍‌ ହେଡ୍‌ ଓ ସିନ ଆବୋଟ୍‌ ଆସେସ  ଦଳରେ ସ୍ଥାନ ପାଇଥିବାରୁ ଟି-ଟ୍ୱେଣ୍ଟି ଦଳରୁ ବାଦ  ପଡ଼ିଛନ୍ତି । ତେଣୁ ଆଗାମୀ ୨ଟି ଯାକ ମ୍ୟାଚ୍‌ରେ ଉଭୟ  ଖେଳିବେ ନାହିଁ । ହେଡ୍‌ଙ୍କ ଅନୁପସ୍ଥିତିରେ ମାଥ୍ୟୁ ସର୍ଟ  ଓପନ କରିବା ନିଶ୍ଚିତ । ଗ୍ଲେନ ମ୍ୟାକ୍ସୱେଲ୍‌ ଦଳକୁ  ଫେରିଥିଲେ ହେଁ ତୃତୀୟ ମ୍ୟାଚ୍‌ ଖେଳି ନଥିଲେ ।  ସେ ଏକାଦଶରେ ସ୍ଥାନ ପାଇବାର  ଯଥେଷ୍ଟ ସମ୍ଭାବନା ରହିଛି । ଆବୋଟଙ୍କ ସ୍ଥାନରେ  ବେନ ଡାର୍ସିୟସ ଖେଳିବା ଆଶା କରାଯାଉଛି । ଟସ  ପୂର୍ବରୁ ସେ ଫିଟ୍‌ ହୋଇ ନପାରିଲେ ନବାଗତ ମାହଲି  ବିୟର୍ଡମାନ ପଦାର୍ପଣ ସୁଯୋଗ ପାଇବେ ।  ମ୍ୟାକ୍ସୱେଲ ଗୋଟିଏ ୱିକେଟ୍‌, ଷ୍ଟଇନିସ  ୨ଟି ଓ ଏଲିସ୍‌ ୩ଟି ୱିକେଟ୍‌ ନେଲେ ୫୦ ୱିକେଟ୍‌  କ୍ଲବ୍‌ରେ ସାମିଲ ହେବେ ।

କାରାରା ଗ୍ରାଉଣ୍ଡରେ ଆଜି ପର୍ଯ୍ୟନ୍ତ ମାତ୍ର ୨ଟି  ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳାଯାଇଛି । ତେଣୁ ପିଚ୍‌କୁ  ନେଇ ପୂର୍ବାନୁମାନ କରି ହେବ ନାହିଁ । ଏଠାରେ  ଖେଳାଯାଇଥିବା ବିଗ୍‌ ବାସ ଲିଗ ମ୍ୟାଚଗୁଡ଼ିକରେ  ପ୍ରଚୁର ରନ ସଂଗୃହୀତ ହୋଇଛି । ତେଣୁ  ବ୍ୟାଟରମାନେ  ପିଚ୍‌ର ଭରପୁର  ଫାଇଦା ଉଠାଇବା ଆଶା କରାଯାଇପାରେ ।

ସମ୍ଭାବ୍ୟ ଦଳ

ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍‌ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ  ବର୍ମା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦରଜିତେଶ ଶର୍ମା, ଶିବମ ଦୁବେ, ଅର୍ଶଦୀପ  ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ମିଚେଲ  ମାର୍ଶ(ଅଧିନାୟକ), ଜୋସ ଇଂଲିଶ, ଟିମ  ଡେଭିଡ୍‌, ମିଚେଲ ଓଏନ, ମାର୍କସ ଷ୍ଟଇନିସଗ୍ଲେନ ମ୍ୟାକ୍ସୱେଲ୍‌, ଜାଭିୟର ବାର୍ଟଲେଟ୍‌ବେନ ଡାର୍ସିୟସ, ନାଥାନ ଏଲିସ୍‌, ମାଟ  କୁହ୍ନେମନ ।