ଅଷ୍ଟ୍ରେଲିଆନ୍ ଓପନ ବିଦା ହେଲେ ଫେଡେରର

ମେଲବୋର୍ଣ୍ଣ, ୨୦ା୧(ଏଜେନ୍ସି): ବିଶ୍ୱର ସର୍ବ କାଳୀନ ଶ୍ରେଷ୍ଠ ଟେନିସ୍ ଖେଳାଳି ସ୍ୱିଜରଲାଣ୍ଡର ରୋଜର ଫେଡେରର ଚଳିତ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ୍ରୁ ବିଦାୟ ନେଇଛନ୍ତି । ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ୍ରେ ସେ ୨୦ବର୍ଷିୟ ଗ୍ରୀସ ଖେଳାଳି ଷ୍ଟିଫାନୋସ ସିସିପାସ୍ଙ୍କ ଠାରୁ ୭-୬(୧୩-୧), ୬-୭(୩-୭), ୫-୭, ୬-୭(୫-୭) ସେଟ୍ରେ ପରାଜିତ ହୋଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ରହିଥିଲା । ଗତ ବର୍ଷ ନୋଭାକ ଜୋକୋଭିକ୍, ଡୋମିନିକ ଥିମ, ଆଲେକଜାଣ୍ଡାର ଭେରେଭ ଓ କେଭିନ ଆଣ୍ଡରସନଙ୍କୁ ହରାଇ ସାରିଥିବା ସିସିପାସ୍ ଆଜିର ବିଜୟ ସହ ‘ଜାଏଣ୍ଟ କିଲର’ ମାନ୍ୟତା ପାଇଥିଲେ ।
ବିଶ୍ୱର ପ୍ରଥମ ପୁରୁଷ ଖେଳାଳି ଭାବେ ସର୍ବାଧିକ ୨୦ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ଫେଡେରର ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । କେବଳ ତାଙ୍କ ନାମରେ ୬ଟି ଅଷ୍ଟ୍ରେଲିଆନ୍ ଓପନ ଟାଇଟଲ ରହିଥିଲା । ଗତ ୨ବର୍ଷ(୨୦୧୭ ଓ ୨୦୧୮) ହେଲେ ସେ ଏଠାରେ ଟାଇଟଲ ବଜାୟ ରଖିଥିଲେ । ପ୍ରଥମ ଖେଳାଳି ଭାବେ ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଜିତି ସେ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ସିସିପାସଙ୍କ ଚିତ୍ତାକର୍ଷକ ଖେଳ ଆଗରେ ଫେଡେରର ବିଫଳ ହୋଇଥିଲେ । ଅନ୍ୟ ପଟରେ ନିଜର ଆଦର୍ଶଙ୍କୁ ହରାଇ ସିସିପାସ୍ ଟେନିସ୍ ଭବିଷ୍ୟତ ରୂପେ ଉଭା ହୋଇଥିଲେ । ସୂଚନାଯୋଗ୍ୟ, ୬ଟି ଅଷ୍ଟ୍ରେଲିଆନ୍ ଓପନ ଟାଇଟଲ ସହ ଫେଡେରର ୮ଥର ୱିମ୍ବଲଡନ, ୫ଥର ଅଷ୍ଟ୍ରେଲିଆନ ଓପନ ଓ ଥରେ ଫ୍ରେଞ୍ଚ ଓପନ ଚାମ୍ପିଅନ୍ ହୋଇଛନ୍ତି ।