ନୂଆଦିଲ୍ଲୀ,୩୧।୩: ଭାରତରେ ଲୋକଙ୍କ ହାରାହାରି ଜୀବନ କାଳ ଗତ ୨୫ ବର୍ଷ ମଧ୍ୟରେ ୮.୪ ବର୍ଷ ବୃଦ୍ଧି ପାଇଛି। ୧୯୯୧ରେ ଲୋକଙ୍କ ହାରାହାରି ଜୀବନ କାଳ ୬୦.୩ ଥିଲା, ଯାହାକି ବୃଦ୍ଧି ପାଇ ୨୦୧୬ରେ ୬୮.୭ ବର୍ଷରେ ପହଞ୍ଚିଛି। ସବୁଠାରୁ ଖାସ୍ କଥା ହେଉଛି ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାରାହାରି ଜୀବନ କାଳରେ ଅଧିକ ସୁଧାର ଆସିଛି।
୧୯୯୩ରୁ ୧୯୯୭ ମଧ୍ୟରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୦.୪ ବର୍ଷ ଥିଲାବେଳେ ମହିଳାଙ୍କ ହାରାହାରି ଜୀବନ କାଳ ୬୧.୮ ବର୍ଷ ଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ ପୁରୁଷଙ୍କ ହାରାହାରି ଜୀବନ କାଳ ବୃଦ୍ଧି ପାଇ ୬୭.୪ ବର୍ଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ବୃଦ୍ଧି ପାଇ ୭୦.୨ ବର୍ଷ ରହିଛି। ଅର୍ଥାତ ପୁରୁଷଙ୍କ ହାହାହାରି ଜୀବନ କାଳରେ ୭ ବର୍ଷ ବୃଦ୍ଧି ଘଟିଥିବାବେଳେ ମହିଳାଙ୍କ ହାରାହାରି ଜୀବନ କାଳରେ ୮.୪ ବର୍ଷ ବୃଦ୍ଧି ଘଟିଛି। ଦେଶର ଏକ ମାତ୍ର ରାଜ୍ୟ ଭାବେ ବିହାରରେ ମହିଳାଙ୍କ ହାରାହାରି ଜୀବନ କାଳ ପୁରୁଷଙ୍କ ହାରାହାରି ଜୀବନ କାଳଠାରୁ କମ୍ ରହିଛି। ବିହାରରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୮.୯ ବର୍ଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ୬୮.୫ ବର୍ଷ ରହିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ପ୍ରକାଶିତ ‘ହ୍ୟାଣ୍ଡବୁକ୍ ଷ୍ଟାଟିଟିକ୍ସ-୨୦୧୯’ ଅନୁସାରେ ଏହି କଥା ଜଣାପଡିଛି। ରାଜ୍ୟ ହିସାବରେ ଦେଖିବାକୁ ଗଲେ ଛତିଶଗଡ଼ରେ ପୁରୁଷଙ୍କ ଆୟୁଷ ସବୁଠାରୁ କମ ରହିଛି। ଛତିଶଗଡ଼ରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୩.୬ ବର୍ଷ ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡରେ ପୁରୁଷଙ୍କ ଜୀବନକାଳ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି।
୧୯୯୧ରେ ଏଠାରେ(ସେତେବେଳେ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ଏକାଠି ଥିଲେ) ପୁରୁଷଙ୍କ ହାରାହାରି ଆୟୁଷ ଦେଶରେ ସବୁଠାରୁ କମ୍ ଥିଲା। ସେତେବେଳେ ସେଠାରେ ମହିଳାଙ୍କ ହାରାହାରି ଆୟୁଷ ପୁରୁଷଙ୍କ ତୁଳନାରେ କମ ୫୫.୨ ବର୍ଷ ଥିଲା। ଏବେ ମହିଳାଙ୍କର ସବୁଠାରୁ କମ୍ ହାରାହାରି ଆୟୁଷ ଉତ୍ତର ପ୍ରଦେଶରେ(୬୫.୬ବର୍ଷ) ରହିଛି। ପୁରୁଷଙ୍କ ହାରାହାରି ଆୟୁଷ ମାମଲାରେ ମାମଲାରେ ଦିଲ୍ଳୀ ସବୁଠାରୁ ଆଗରେ ରହିଛି। ଏଠାରେ ଏହା (୭୨.୭ବର୍ଷ) ରହିଛି। ସେଭଳି ମହିଳାଙ୍କର ଆୟୁଷ (୭୨.୭) ରହିଛି। ମହିଳାଙ୍କ ସର୍ବାଧିକ ହାରାହାରି ଆୟୁଷ କେରଳରେ (୭୭.୯) ରହିଛି।
କେରଳରେ ପୁରୁଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ଯଥାକ୍ରମେ ୭୨.୨ ବର୍ଷ ଏବଂ ୭୭.୯ ବର୍ଷ, ଜାମ୍ମୁ କାଶ୍ମୀରରେ ଯଥାକ୍ରମେ ୭୧.୬ ବର୍ଷ ଏବଂ ୭୬.୨ ବର୍ଷ ରହିଛି। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୩.୬ ବର୍ଷ ଓ ୬୩.୭ ବର୍ଷ ଏବଂ ୬୩.୯ ବର୍ଷ ରହିଥିବାବେଳେ ମହିଳାଙ୍କ ହାରାହାରି ଜୀବନ କାଳ ୬୬.୮ ବର୍ଷ, ୬୭.୨ ବର୍ଷ ଏବଂ ୬୫.୬ ବର୍ଷ ରହିଛି।