ଚୋର ନିଜେ ଆସି ଫେରାଇଲା ଭଗବାନଙ୍କ ମୂର୍ତ୍ତି, କହିଲା ଚୋରି କରିବା ପରେ ଭୟାନକ ସ୍ୱପ୍ନ ଆସିଲା

source:zeenews.india.com
ଅଯୋଧ୍ୟା ୧/୬: ଅଯୋଧ୍ଯାରେ ଚୋରୀ ହୋଇଥିବା ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଶ୍ରୀ ରାମଙ୍କ ମୂର୍ତ୍ତି ମିଳିଯାଇଛି । ତେବେ ସବୁଠାରୁ ମଜାକଥା ହେଉଛି ଯେ ମୂର୍ତ୍ତି ଚୋରି କରିଥିବା ଚୋର ନିଜେ ମୂର୍ତ୍ତି ଫେରାଇବା ପାଇଁ ଆସିଛି । ଚୋର ଏକଥା ମଧ୍ଯ କହିଛି ଯେ ଯେବେଠୁ ସେ ମୂର୍ତ୍ତି ଚୋରି କରିଛି ସେବେଠୁ ତା ସହିତ ସବୁ ଅଜବ ଘଟଣା ଘଟୁଛି । ତାକୁ ଭୟାନକ ସ୍ୱପ୍ନ ମଧ୍ୟ ଆସୁଛି । ସେ ମୂର୍ତ୍ତିକୁ ଅଧିକ ଦିନ ପର୍ଯ୍ୟନ୍ତ ନିଜ ପାଖରେ ରଖିପାରିଲାନି ଏବଂ ଶେଷରେ ନିଜେ ୟୁଗଳ ମାଧୁରୀ କୁଞ୍ଜ ମନ୍ଦିରର ପୂଜାରୀଙ୍କ ଭଗବାନଙ୍କ ମୂର୍ତ୍ତି ଫେରାଇଦେଇଛି । ମୂର୍ତ୍ତି ଫେରାଇବା ପରେ ତା ଶରୀରରେ ହେଉଥିବା ଯନ୍ତ୍ରଣା ଠିକ୍ ହୋଇଯାଇଛି । ତେବେ ମୂର୍ତ୍ତି ଫେରାଇବା ପରେ ତାକୁ ପୋଲିସ ଗିରଫ କରିନେଇଛି ।
ଭଗବାନ ରାମଙ୍କ ନଗରୀ ଅଯୋଧ୍ଯାରେ ୨୭ ମେ ଦ୍ୱିପ୍ରହରରେ ରାମଙ୍କ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଯାଇଥିଲା । ରାମଙ୍କ ଜନ୍ମଭୂମିର ନିକଟସ୍ ସବୁଠାରୁ ସୁରକ୍ଷିତ ସ୍ଥାନରୁ ଯୁଗଳ ମାଧୁରୀ କୁଞ୍ଜ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତି ଚୋରି ଘଟଣା ପୋଲିସ ପାଇଁ ଚାଲେଞ୍ଜପୂର୍ଣ୍ଣ ଥିଲା । ଏସଏସପି ଯୋଗେନ୍ଦ୍ର କୁମାର ଅନେକ ଟିମ୍ ପ୍ରସ୍ତୁତ କରି ସମ୍ଭାବିତ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଦେଲେ । ତେବେ ଏହି ସମୟରେ ଜଣେ ଯୁବକ ମନ୍ଦିର ଆସି ଚୋରି ହୋଇଥିବା ମୂର୍ତ୍ତିକୁ ପୂଜାରୀକୁ ହସ୍ତାନ୍ତର କରିଦେଲା । ମୂର୍ତ୍ତି ମିଳିଯିବାରୁ ମନ୍ଦିରରେ ଆନନ୍ଦର ଲହରୀ ଖେଳିଗଲା । କିନ୍ତୁ ଚୋର ଯେଉଁ କାହାଣୀ କହିଲା ତାହା ଅତ୍ଯନ୍ତ ରୋଚକ ଥିଲା ।
ଗୋଣ୍ଡା ଜିଲ୍ଲାରେ ରହୁଥିବା ମୂର୍ତ୍ତି ଚୋର ଅଜୟ ଶୁକ୍ଲା କହିବାନୁସାରେ ଯେତେବେଳେ ସେ ରାମ ମୂର୍ତ୍ତି ଚୋରି କଲା ସେତେବେଳେ ତା ସହିତ ସବୁ ଅଜବ ଜିନିଷ ଘଟିଲା । ମୂର୍ତ୍ତି ଚୋରି ହେବା ପରେ ଅଜୟ ଶରୀରରେ ଯନ୍ତ୍ରଣା ଅନୁଭବ କଲା । ତାକୁ ଭୟାନକ ସ୍ୱପ୍ନ ଆସିଲା । ସେ ମୂର୍ତ୍ତିକୁ ୫ ଦିନ ବି ନିଜ ପାଖରେ ରଖିପାରିଲା ନାହିଁ ଏବଂ ଫେରାଇବା ପାଇଁ ଚାଲି ଆସିଲା ।