କାର୍ଯ୍ୟବନ୍ଦ ଆନ୍ଦୋଳନରେ ଆୟୁଷ ଡାକ୍ତର: ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଠପ୍

ଭୁବନେଶ୍ୱର,୫ା୨(ବ୍ୟୁରୋ): ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଆୟୁଷ ଡାକ୍ତର । ସ୍ଥାୟୀ ନିଯୁକ୍ତି ଦାବିରେ ଲେୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତବନୀ ଦେଇଛନ୍ତି । ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବୁଲୁଥିବା ୬୨୮ଟି ମୋବାଇଲ ୟୁନିଟ୍ ଏବେ ଅଚଳ ହୋଇଯାଇଛି । ଫଳରେ ରାଜ୍ୟରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଠପ୍ ପଡି଼ଛି ।
ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଆଜି ଗାନ୍ଧିମାର୍ଗରେ ବିକ୍ଷୋଭ କରାଯାଇଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସମାବେଶରେ ଡାକ୍ତରମାନେ ଅଭିଯୋଗ କରିଛନ୍ତି, ୨୦୧୩ ମସିହାରୁ ୭ଶହରୁ ଅଧିକ ଆୟୁଷ ଡ଼ାକ୍ତର ଠିକା ନିଯୁକ୍ତି ଜରିଆରେ କାର୍ଯ୍ୟ କରୁଛନ୍ତି । ଜନ୍ମରୁ ୧୮ ବର୍ଷ ଯାଏଁ ପିଲାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସାର ଦାୟିତ୍ୱ ସମ୍ଭାଳିଛନ୍ତି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଚଳାଇଛନ୍ତି । ହେଲେ ଏବେର ମହଙ୍ଗା ଯୁଗରେ ମାତ୍ର ୨୧, ୯୨୪ଟଙ୍କା ମାସିକ ଦରମା ପାଉଛନ୍ତି । ଯାହାକି ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀର ଦରମାଠାରୁ ବି ବହୁତ କମ୍ । ରାଜ୍ୟ ସରକାର ସେମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ କିଛି ପଦକ୍ଷେପ ନେଉନାହାନ୍ତି । ସେମାନଙ୍କୁ ରାଜ୍ୟ ଆୟୁଷ ମନ୍ତ୍ରଣାଳୟ ଅଧୀନକୁ ନିଆଯାଉନି । ଯାହା ଅତ୍ୟନ୍ତ କ୍ଷୋଭର ବିଷୟ । ସେହିପରି ସପ୍ତମ ବେତନ ହାରରେ ସ୍ଥାୟୀ ଆୟୁଷ ଡ଼ାକ୍ତରଙ୍କ ଭଳି ସମାନ ଦରମା ପ୍ରଦାନ, ପ୍ରଦର୍ଶନ ଭିତ୍ତିକ ପ୍ରେତ୍ସାହନ ରାଶି ପ୍ରଥାକୁ ଉଚ୍ଛେଦ କରିବା, ଇପିଏଫ ଓ ସ୍ୱାସ୍ଥ୍ୟବୀମା ସହ ଦୈନିକ ଭତ୍ତା ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିବା ସଭାପତି ଡ. ସୁଶିଲ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ସରକାର ଦାବି ନ ମାନିଲେ, କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ବୋଲି ସାଧାରଣ ସମ୍ପାଦକ ଡ. ବିଜୟ ସାମଲ ଚେତାବନୀ ଦେଇଛନ୍ତି । ମୁଖପାତ୍ର ଡ଼. ବିଶ୍ୱରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଥିଲା ।