ନୂଆଦିଲ୍ଲୀ,୦୭/୦୭: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛର ଅନ୍ୟତମ ଚେହେରା ତହୱୁର ରାଣାକୁ ଭାରତ ଅଣାଯିବା ପରେ ପଚରାଉଚରା ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଆମେରିକା, କାନାଡା ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ସକ୍ରିୟ ଥିବା ରାଣା କେବଳ ତାର ପୃଷ୍ଠଭୂମି ବିଷୟରେ ନୁହେଁ ବରଂ ଡେଭିଡ୍ ହେଡଲି ଏବଂ ଲସ୍କର-ଏ-ତୈବା ସହିତ ତାର ସମ୍ପର୍କ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦେଇଛି। ପଚରାଉଚରା ସମୟରେ ତହୱୁର କହିଛି, 'ମୋର ଜନ୍ମ ପାକିସ୍ତାନର ପଞ୍ଜାବ ପ୍ରଦେଶର ଚିଚାୱଟନିରେ ହୋଇଥିଲା। ମୋର ପିତା ସ୍ୱର୍ଗତ ରାଣା ଭଲ୍ଲି ମହମ୍ମଦ ବି.ଏ. ସ୍ନାତକ ଏବଂ ଭାରତର ପଞ୍ଜାବ ରାଜ୍ୟର ଜଳନ୍ଧରର ନୱାନଶହରର ମୂଳ ବାସିନ୍ଦା ଥିଲେ। ଭାରତ ବିଭାଜନ ଏବଂ ପାକିସ୍ତାନ ସୃଷ୍ଟି ହେବା ପରେ, ସେ ତାଙ୍କ ପରିବାର ସହିତ ପାକିସ୍ତାନର ପଞ୍ଜାବ ପ୍ରଦେଶର ସାହିୱାଲ ଜିଲ୍ଲାର ଚିଚାୱଟନି ଗାଁରେ ରହିବାକୁ ନିଷ୍ପତ୍ତି ନେଇଥିଲେ।
ମୋ ମାଆ ସ୍ୱର୍ଗତ ମୁବାରକ ବେଗମ ତାଙ୍କ ୯୬ ବର୍ଷ ଜୀବନକାଳ ଭିତରେ ଅନେକ ବର୍ଷ ସେ ମୋ ପିଲା ଏବଂ ସ୍ତ୍ରୀଙ୍କ ସହିତ କାନାଡାରେ ବିତାଇଥିଲେ। ୧୯୭୪ ରୁ ୧୯୭୯ ପର୍ଯ୍ୟନ୍ତ, ମୁଁ ପାକିସ୍ତାନର ପଞ୍ଜାବର କ୍ୟାଡେଟ୍ କଲେଜ ହସନ ଅବଦାଲରେ ପଢ଼ିଥିଲି। ମୋର ସହପାଠୀଙ୍କ ମଧ୍ୟରେ ଡେଭିଡ୍ ନାମକ ଜଣେ ବିଶେଷ ସ୍ମରଣୀୟ ଛାତ୍ର ଥିଲା। ସେ ଦେଖିବାକୁ ବହୁତ ଗୋରା ଥିଲା ଏବଂ ତାର ଆଖି ଭିନ୍ନ ରଙ୍ଗର ଥିଲା, ଏହି ପାର୍ଥକ୍ୟ ମୋତେ ବହୁତ ପ୍ରଭାବିତ କରିଥିଲା ତା ସହିତ ବନ୍ଧୁତାସ୍ଥାପନ କରିବାକୁ।'
ରାଣା ପୁଣି କହିଛି, 'ଡେଭିଡ୍ ବହୁତ ଭଲ ଉର୍ଦ୍ଦୁ କହିପାରୁଥିଲା, କିନ୍ତୁ ସେ ପଞ୍ଜାବୀରେ କଥାବାର୍ତ୍ତା କରୁଥିଲା। ମୁଁ ପରେ ଜାଣିବାକୁ ପାଇଲି ଯେ ତାଙ୍କ ମାଆ ସେରିଲ୍ ଜଣେ ଆମେରିକୀୟ ନାଗରିକ ଥିଲେ ଏବଂ ତାଙ୍କ ବାପା ପାକିସ୍ତାନୀ ଥିଲେ। ସେରିଲ୍ଙ୍କ ବାପା ଯୁକ୍ତରାଷ୍ଟ୍ର ବାୟୁସେନାରେ ଜଣେ ଏୟାର କମୋଡୋର୍ ଥିଲେ। ପାରିବାରିକ ସମସ୍ୟା ଏବଂ ବିଶେଷକରି ତାଙ୍କ ସାବତ ମାଆଙ୍କ ନିର୍ଯାତନା ଯୋଗୁଁ, ଡେଭିଡ୍ ପାକିସ୍ତାନ ଛାଡ଼ି ଆମେରିକା ଯାଇ ତାଙ୍କ ଜନ୍ମିତ ମାଆଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲା।'
କେମିତି ଡେଭିଡ୍ ହେଡ୍ଲି ସହିତ ହେଲା ପରିଚୟ ?
୧୯୭୯ ମସିହାରେ, ଯେତେବେଳେ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ଫାଶୀ ଦିଆଯାଇଥିଲା, 'ମୁଁ ମୋର ବାପା ମା'ଙ୍କୁ ନକହି ଆମେରିକା ଚାଲିଗଲି, ଯଦିଓ ମୋର ସରକାରୀ ଭିସା ଥିଲା। ମୋର ଲକ୍ଷ୍ୟ ଥିଲା ଫିଲାଡେଲଫିଆର ପ୍ରସିଦ୍ଧ ହାନିମାନ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଡାକ୍ତରୀ ଶିକ୍ଷା ହାସଲ କରିବା। କିନ୍ତୁ ସେଠାରେ ଶିକ୍ଷାଦାନ ଫି ପ୍ରାୟ ୬୦୦୦ ଡଲାର ଥିଲା, ଯାହା ମୁଁ ଦେଇ ପାରିଲି ନାହିଁ, ତେଣୁ ମୋତେ ପାକିସ୍ତାନ ଫେରିବାକୁ ପଡ଼ିଲା। ଏହା ପରେ, ମୁଁ ପାକିସ୍ତାନ ସେନାର ଡାକ୍ତରୀ କାର୍ଯ୍ୟକ୍ରମ ପାଇଁ ଆବେଦନ କଲି। ମୁଁ ପ୍ରବେଶିକା ପରୀକ୍ଷାରେ ପାସ୍ କଲି ଏବଂ ମନୋନୀତ ହେଲି। ୧୯୮୧ ରୁ ୧୯୮୬ ପର୍ଯ୍ୟନ୍ତ, ମୁଁ ରାୱଲପିଣ୍ଡିର ଆର୍ମି ମେଡିକାଲ କଲେଜରେ କ୍ୟାଡେଟ୍ ଭାବରେ ତାଲିମ ନେଇଥିଲି। ୧୯୮୬ ମସିହାରେ, ମୁଁ ଏମ୍ବିବିଏସ୍ ପାଠପଢ଼ା ଶେଷ କଲି ଏବଂ ପାକିସ୍ତାନ ସେନାରେ କ୍ୟାପ୍ଟେନ୍ ଭାବରେ ମେଡିକାଲ କର୍ପସରେ କମିଶନ ହୋଇଥିଲି।
ମୋର ପ୍ରଥମ ନିଯୁକ୍ତି ୧୯୮୬ ରୁ ୧୯୮୭ ପର୍ଯ୍ୟନ୍ତ ପାକିସ୍ତାନର କ୍ବେଟାରେ କେଡିକାଲ ଅଫିସର ଭାବରେ ହୋଇଥିଲା। ପୁଣି ୧୯୮୭ରୁ ୧୯୮୮ ମଧ୍ୟରେ ମତେ ସିନ୍ଧ ଏବଂ ବଲୁଚିସ୍ତାନର ଗ୍ରାମାଞ୍ଚଳରେ ନିୟୋଜିତ କରାଯାଇଥିଲା। ୧୯୮୮ ରୁ ୧୯୮୯ ପର୍ଯ୍ୟନ୍ତ ବହାବଲପୁରରେ ଡିଜର୍ଟ ରେଞ୍ଜର ଭାବରେ ନିୟୋଜିତ କରାଯାଇଥିଲା।"
ଏନ୍ଆଇଏ୍ ହାତରେ ତହବ୍ବୁର ରାଣା
୧୯୮୯ରେ ସାଉଦୀ ଆରବ ଯାଇଥିଲା ତହବ୍ବୁର:
ରାଣା ତଦନ୍ତକାରୀ ଅଧିକାରୀଙ୍କ ଆଗରେ କହିଛି,'୧୯୮୯ ମସିହାରେ ମୋତେ ସାଉଦି ଆରବକୁ ଡେପୁଟେସନରେ ପଠାଯାଇଥିଲା, ସେଠାରେ ମୁଁ ସାଉଦି ସଶସ୍ତ୍ର ବାହିନୀର ଚତୁର୍ଥ ବ୍ରିଗେଡ ସହିତ କାର୍ଯ୍ୟ କରିଥିଲି। ୧୯୯୨ ମସିହାରେ ପାକିସ୍ତାନ ଫେରିବା ପରେ ମୋତେ ବାଲ୍ଟିସ୍ତାନ ଅଞ୍ଚଳର ସିଆଚେନ୍ ଏବଂ ବାଲ୍ଟୋରୋ ସେକ୍ଟରରେ ପୋଷ୍ଟ କରାଯାଇଥିଲା। ସେଠାକାର କଠିନ ପରିସ୍ଥିତି ଏବଂ କମ ଅମ୍ଳଜାନ ସ୍ତର ଯୋଗୁଁ ମୁଁ ଫୁସଫୁସ ଏବଂ ମସ୍ତିଷ୍କ ଏଡିମାରେ ପୀଡ଼ିତ ହୋଇଥିଲି। ସୁସ୍ଥ ହେବା ପରେ ୧୯୯୩ ମସିହାରେ ମୁଁ ସେନାରୁ ଛୁଟି ନେଇ ଜର୍ମାନୀ ଗଲି ଏବଂ ସେଠାରେ ତିନି ମାସ ରହିବା ପରେ ମୁଁ ଇଂଲଣ୍ଡ ଗଲି। ଏହି ସମୟରେ ପାକିସ୍ତାନ ସେନା ମୋତେ ପଳାତକ ଘୋଷଣା କରିଥିଲା। ପ୍ରାୟ ଏଗାର ମାସ ଇଂଲଣ୍ଡରେ ରହିବା ପରେ, ମୁଁ ୧୯୯୪ ମସିହାରେ ଆମେରିକା ଗଲି।"
ଆମେରିକାରେ ମିଳିଗଲା ପ୍ରାକ୍ଟିସ୍ କରିବାର ଅନୁମତି:
'ଆମେରିକାରେ, ମୁଁ ୟୁଏସ୍ ମେଡିକାଲ ଲାଇସେନ୍ସିଂ ଏକ୍ଜାମିନେସନ ଦେଇଥିଲି ଏବଂ ୧୯୯୭ ମସିହାରେ ପାସ୍ କରିଥିଲି। ଏହା ମୋତେ ସେଠାରେ ଡାକ୍ତରୀ ଅଭ୍ୟାସ କରିବାକୁ ଅନୁମତି ଦେଇଥିଲା। ସେହି ବର୍ଷ, ମୁଁ କାନାଡାର ଅଟାୱାକୁ ଚାଲିଗଲି ଏବଂ ନାଗରିକତା ପାଇଁ ଆବେଦନ କଲି। ମୋତେ ୨୦୦୦ ମସିହାରେ କାନାଡାର ନାଗରିକତା ପ୍ରଦାନ କରାଗଲା ଏବଂ ସେଠାରେ ସ୍ଥାୟୀ ଭାବରେ ରହିବାକୁ ନିଷ୍ପତ୍ତି ନେଲି। ୨୦୦୦ ମସିହାରେ, ମୁଁ ଆମେରିକା ପାଇଁ ଏକ ନିବେଶକ ଭିସା ପାଇଁ ଆବେଦନ କଲି ଏବଂ ବ୍ୟବସାୟ ଉଦ୍ଦେଶ୍ୟରେ ଆମେରିକା ଗଲି। ଭିସା ପାଇବା ପରେ, ମୁଁ ଇଲିନୋଇସର କିଙ୍ଗସରେ ଏକ ମାଂସ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କଲି। ଏହା ସହିତ, ମୁଁ ଚିକାଗୋରେ ଏକ କିରାଣା ଦୋକାନ ଆରମ୍ଭ କଲି ଏବଂ ଏକ ମେଡିକାଲ କ୍ଲିନିକ୍ ପାଇଁ ଏକ କୋଠା ଭଡ଼ା ନେଇଥିଲି। ସାଉଦି ଆରବରେ ମୋର ପୋଷ୍ଟିଂ ସମୟରେ, ମୁଁ ବହୁତ ଟଙ୍କା ସଞ୍ଚୟ କରିଥିଲି, ଯାହା ଆମେରିକାରେ ମୋର ନିବେଶ କରିବାରେ ସହାୟକ ହୋଇଥିଲା। ମୋ ସ୍ତ୍ରୀ, ସମରାଜ ରାଣା, ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଯିଏକି ୟୁଏସ୍ଏମ୍ଏଲ୍ଇ ପାସ୍ କରିଛନ୍ତି ଏବଂ ବର୍ତ୍ତମାନ କାନାଡାରେ ଜଣେ ପଞ୍ଜିକୃତ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି।
ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ଡେଭିଡ୍ ହେଡ୍ଲି
ଡେଭିଡ୍ ହେଲ୍ଲି ବିଷୟରେ କ'ଣ କହିଲା ରାଣା?
'ଯେତେବେଳେ ମୋତେ ପଚରାଗଲା ଯେ ଡି (ଡେଭିଡ୍) କେଉଁ ଭାଷାରେ ଦକ୍ଷ, ମୁଁ ତାଙ୍କୁ କହିଲି ଯେ ସେ ପଞ୍ଜାବୀ, ଉର୍ଦ୍ଦୁ, ଇଂରାଜୀ, ହିନ୍ଦୀ, ଫାର୍ସି, ପାସ୍ତୋ ଏବଂ ଆରବିରେ ଅନର୍ଗଳ ଭାବରେ କହିପାରେ। ୨୦୦୫ ରେ ଡେଭିଡ୍ ମୋତେ କହିଥିଲା ଯେ ସେ ୨୦୦୩-୨୦୦୪ ରେ ଲସ୍କର-ଏ-ତୈବା ସହିତ ଜଡ଼ିତ ତିନୋଟି କୋର୍ସ କରିଥିଲା। କିଛି କୋର୍ସର ନାମ 'ଆମ୍' ଏବଂ 'ଖାସ୍' ଥିଲା, ତୃତୀୟଟିର ନାଁ ଏବେ ମନେ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ସେ ଅନେକ ମହିଳାଙ୍କୁ ବିବାହ କରିଛି। ଆମେରିକାରେ, ସେ ଫିଲାଡେଲଫିଆରେ ରହୁଥିଲା। ଥରେ ଯେତେବେଳେ ମୁଁ ତା ସହିତ ଯୋଗାଯୋଗ କଲି, ସେ ବହୁତ ଖରାପ ଅବସ୍ଥାରେ ଥିଲା ଏବଂ ସେ କହିଥିଲା ଯେ ସେ କିଛି ନିଶାରେ ଆକ୍ରାନ୍ତ। ମୋତେ ୧୮.୧୦.୨୦୦୯ ରେ ଡେନିସ୍ ଖବରକାଗଜ ଉପରେ ଆକ୍ରମଣ ମାମଲାରେ ଗିରଫ କରାଯାଇଥିଲା ଏବଂ ସମ୍ଭବତଃ ଡେଭିଡ୍ ମୋ ପୂର୍ବରୁ ୦୪.୧୦.୨୦୦୯ ରେ ସେହି ମାମଲାରେ ଗିରଫ କରାଯାଇଥିଲା। ମୁଁ ଜାଣିଥିଲି ଯେ ପରବର୍ତ୍ତୀ ୧୦ ରୁ ୧୪ ଦିନ ପାଇଁ ଏଫ୍ବିଆଇ ଡେଭିଡ୍ର ବୟାନ ରେକର୍ଡ କରୁଥିଲା।'
"ଯେତେବେଳେ ମୋତେ 'ଇମିଗ୍ରାଣ୍ଟ ଲ ସେଣ୍ଟର' ଅର୍ଥାତ୍ ପ୍ରବାସୀ ଆଇନ କେନ୍ଦ୍ର ବିଷୟରେ ପଚରାଗଲା, ମୁଁ କହିଲି ଯେ ମାଂସ ପ୍ରକ୍ରିୟାକରଣ ଏବଂ କିରାଣା ବ୍ୟବସାୟ ସହିତ, ମୁଁ ଏକ କେନ୍ଦ୍ର ଆରମ୍ଭ କରିଥିଲି ଯାହା ଲୋକଙ୍କୁ ବିଭିନ୍ନ ଦେଶର ଭିସା ପାଇବାରେ ସାହାଯ୍ୟ କରୁଥିଲା। ଏହି ପ୍ରବାସୀ ଆଇନ କେନ୍ଦ୍ରର ଧାରଣା ଡେଭିଡ୍ ମୋରିସ୍ ଙ୍କର ଥିଲା, ଯିଏକି ପୂର୍ବରୁ ଏହି ବ୍ୟବସାୟରେ ଥିଲେ। ଆମେ ଆମେରିକାର ଚିକାଗୋରେ ଏକ ଶାଖା ଆରମ୍ଭ କରିଥିଲୁ, ଯେଉଁଠାରେ ରେମଣ୍ଡ ଜେ. ସାଣ୍ଡର୍ସଙ୍କୁ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା। କାନାଡାର ଅଟାୱାରେ ଡେଭିଡ୍ ମୋରିସ୍ ଏହି କେନ୍ଦ୍ର ପରିଚାଳନା କରୁଥିଲେ ଏବଂ ଅଷ୍ଟ୍ରେଲିଆରେ ଜଣେ ପାକିସ୍ତାନୀ ନାଗରିକ ଆରିଫ୍ ଏହାକୁ ଦେଖାଶୁଣା କରୁଥିଲେ। ଭାରତରେ, ଏହି ଦାୟିତ୍ୱ ହାଇଦ୍ରାବାଦର ସୟଦ ସଜ୍ଜାଦକୁ ଦିଆଯାଇଥିଲା ଏବଂ ସେ ପୂର୍ବରୁ ଚିକାଗୋରେ ରହୁଥିଲେ।
ଲସ୍କର ସହିତ କେମିତି ଯୋଡ଼ି ଯୋଇଥିଲା ତହବ୍ବୁର ରାଣା?
'ହେଡଲି ଏବଂ ମୁଁ ପିଲାଦିନର ବନ୍ଧୁ। ଆମେ ଦୁହେଁ ୧୯୭୪ ରୁ ୧୯୭୯ ପର୍ଯ୍ୟନ୍ତ ପାକିସ୍ତାନର ପଞ୍ଜାବ ସାହିବର କ୍ୟାଡେଟ୍ ହାସନ ଅବଦାଲ ମିଲିଟାରୀ କଲେଜରେ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଥିଲୁ। 'ହେଡଲି କହିଥିଲା ଯେ (ସମ୍ଭବତଃ ୨୦୦୧ କିମ୍ବା ୨୦୦୪ ରେ), ସେ ପାକିସ୍ତାନରେ ତିନି ଥର ଲସ୍କର ତାଲିମ ନେଇଥିଲା। ସେ ତାଲିମ ପାଇଥିଲା କିନ୍ତୁ ଲସ୍କର ସଦସ୍ୟମାନେ ପ୍ରକୃତରେ ବିଚାରଧାରା ପାଳନକାରୀ ନୁହଁନ୍ତି ବରଂ ଗୁପ୍ତଚର ବୋଲି କହି ଭ୍ରମିତ କରିବାକୁ ଚେଷ୍ଟା କରିଥିଲା ହେଡ୍ଲି। ମୁମ୍ବାଇରେ ଏକ ଇମିଗ୍ରେସନ ସେଣ୍ଟର ଖୋଲିବା ବିଷୟରେ ପଚରାଯିବାରୁ, 'ମୁଁ ସ୍ପଷ୍ଟ ଭାବରେ କହିଲି ଯେ ଏହା ମୋର ଧାରଣା, ହେଡଲିର ନୁହେଁ। ମୁଁ କହିଲି ଯେ ମୋର ମ୍ୟାନେଜର ମାହରୁଖ ଭାରୁଚା ମୁମ୍ବାଇରେ ମୋର ଶାଖା ପରିଚାଳନା କରୁଛନ୍ତି, ହେଡଲି ନୁହେଁ। ଏନେଇ ଟଙ୍କା ପ୍ରଥମ ଇମିଗ୍ରେସନ ସେଣ୍ଟର ଦ୍ୱାରା ଦିଆଯାଇଥିଲା।"
ତଦନ୍ତକାରୀ ଅଧିକାରୀଙ୍କୁ ରାଣା କହିଛି ଯେ, 'ମୁଁ ବୁଝାଇଲି ଯେ ସିଆଚେନରେ ମୋର ପୋଷ୍ଟିଂ ସମୟରେ ମୋର ଫୁସଫୁସ ଇଡିମା ହୋଇଥିଲା ଏବଂ ମୁଁ ଡ୍ୟୁଟିରେ ଅନୁପସ୍ଥିତ ଥିଲି। ୧୯୯୩ ମସିହାରେ, ମୁଁ ପାଠପଢ଼ା ପାଇଁ ଜର୍ମାନୀ ଏବଂ ତା'ପରେ ଇଂଲଣ୍ଡ ଯାତ୍ରା କରିଥିଲି। ମୁଁ ୧୯୯୪ ଜୁଲାଇରେ ଆମେରିକା ଯାଇଥିଲି ଏବଂ ୧୯୯୭ ମସିହାରେ ୟୁଏସ୍ଏମ୍ଏଲ୍ଇ ପାସ୍ କରିଥିଲି। ଏହା ପରେ, ୧୯୯୭ ରୁ ୨୦୦୦ ମଧ୍ୟରେ, ମୁଁ କାନାଡିଆନ ନାଗରିକତା ପାଇଲି ଏବଂ ଓଟାୱାରେ ରହିବା ଆରମ୍ଭ କଲି।'
ମୁମ୍ବାଇ ଆକ୍ରମଣରେ କିଏ କିଏ ସାମିଲ ଥିଲେ?
'ମୁଁ ଜାଣିଛି ଯେ ମେଜର ଇକବାଲଙ୍କୁ ପାକିସ୍ତାନର ଆଦିବାସୀ ଅଞ୍ଚଳରେ ଗିରଫ କରାଯାଇଥିଲା। ଅବଦୁଲ ରେହମାନ ପାଶାଙ୍କ ସହ ମୋର ସାକ୍ଷାତ ହେଡଲି ଦ୍ୱାରା ହୋଇଥିଲା। ରାଜାରାମ ରେଗେ, ଯାହା ବିଷୟରେ ଦାଉଦ ଉଲ୍ଲେଖ କରିଥିଲେ, 'ସେ ଲାଞ୍ଚ ମାଗୁଥିଲେ, କିନ୍ତୁ କେଉଁ ଉଦ୍ଦେଶ୍ୟରେ କହିଲେ ନାହିଁ। ମେଜର ଇକବାଲଙ୍କ ଇମେଲ୍ ଆଇଡି ମୋତେ ପଠାଯିବା ବିଷୟରେ ପଚରାଯିବାରୁ, ମୁଁ କୌଣସି କାରଣ ଦେଇ ନଥିଲି ଏବଂ ଭ୍ରମିତ କରିବାକୁ ଚେଷ୍ଟା କରିଥିଲି। ଆମେରିକାର ଭାରତୀୟ ଦୂତାବାସରେ ଦାଖଲ କରାଯାଇଥିବା ଭିସା ଫର୍ମରେ ହେଡଲି ଭୁଲ ସୂଚନା ଦେବା ବିଷୟରେ ପଚରାଯିବାରୁ, ମୁଁ କହିଲି ଯେ ଏହା ଦୂତାବାସର ଭୁଲ ଥିଲା, ସେମାନଙ୍କୁ ତଦନ୍ତ କରିବା ଉଚିତ ଥିଲା।'
ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ମୁଖ୍ୟ ହାଫିଜ ସଇଦ
ହାଫିଜ ସଇଦକୁ ନେଇ ଖୁଲାସା:
ଯେତେବେଳେ ହେଡଲିର ମୁମ୍ବାଇରେ ଅବତରଣ ସ୍ଥାନ ବିଷୟରେ ସୂଚନା ପ୍ରଦାନ କରିବା ବିଷୟରେ ପଚରାଗଲା, ମୁଁ ଏହାକୁ ମନା କଲି। ହାଫିଜ୍ ସଇଦକୁ ଭେଟିବା ବିଷୟରେ ପଚରାଗଲା, ମୁଁ କହିଲି ଯେ ମୁଁ ତାଙ୍କୁ କେବେ ଭେଟିନାହିଁ, କିନ୍ତୁ ମୁଁ ଜାଣେ ଯେ ଲସ୍କର-ଏ-ତୈବା, ହରକତ-ଉଲ-ଜିହାଦ ଏବଂ ଜୈଶ-ଏ-ମହମ୍ମଦ ପାକିସ୍ତାନର ଆତଙ୍କବାଦୀ ସଂଗଠନରେ ହାଫିଜ ଏହାର ନେଟଓ୍ବର୍କ ଚଳାଉଥିଲା। ଯେତେବେଳେ ଭାରତର ବଶିର ଶେଖଙ୍କ ବିଷୟରେ ପଚରାଗଲା, 'ମୁଁ କହିଲି ଯେ ସେ ମୋତେ କାନାଡାରେ ଭେଟିଥିଲେ ଏବଂ ହେଡଲିଙ୍କୁ ମୁମ୍ବାଇରେ ରହିବା ପାଇଁ ସାହାଯ୍ୟ କରିଥିଲେ।'
ଆତଙ୍କୀ ତଦବ୍ବୁର ରାଣାକୁ ଭାରତକୁ ଆମେରିକା ପ୍ରତ୍ୟର୍ପଣ କରିବା ପରେ ଏବେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି ତଦନ୍ତକାରୀ ସଂସ୍ଥା। ତମାମ ମାମଲାରେ ଆଗକୁ ଅନେକ କିଛି ତଥ୍ୟ ହାସଲ କରିବା ପାଇଁ ପଚରାଉଚୁରା କରାଯାଉଛି।