PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆସୁଛି ଆୟୁଷ୍ମାନ ଭାରତ ୨.୦, ୪୦ କୋଟି ମଧ୍ୟବିତ୍ତଙ୍କୁ ସଞ୍ଜୀବନୀ

ନୂଆଦିଲ୍ଲୀ,୨୯/୩: କୋଟି କୋଟି ଗରିବଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ‘ଆୟୁଷ୍ମାନ ଭାରତ’ ସ୍କିମ୍‌ର ହେବ ନବକଳେବର । ଆସିବ ଆୟୁଷ୍ମାନ ଭାରତ ୨.୦ । ୪୦ କୋଟି ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଏଥିରେ ବର୍ଷକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ । ଯଦିଓ ଏ ବାବଦରେ ମୋଦି ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି, ୨୦୨୪ ପୂର୍ବରୁ ଏହା ବାସ୍ତବ ରୂପ ନେବା ସମ୍ଭାବନା ରହିଛି । ଏଥିପାଇଁ ଖୁବଶୀଘ୍ର ଏକ ଚିଠା ନୀତି ଆସିପାରେ ।

କେନ୍ଦ୍ର ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ୍‌ ନୀତି ଆୟୋଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ ଆୟୁଷ୍ମାନ ଭାରତ ୨.୦ ଉପରେ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି ପ୍ରସ୍ତାବିତ ଯୋଜନାର ବିଭିନ୍ନ ଦିଗ ଉପରେ ବରିଷ୍ଠ ଅଧିକାରୀମାନେ ମାନସ ମନ୍ଥନ କରୁଛନ୍ତି । ବୃହତ୍‌ ସ୍କିମ୍‌ରେ ହେବାକୁ ଥିବା ଖର୍ଚ୍ଚ ଏବଂ ସରକାରଙ୍କ ରାଜକୋଷ ଉପରେ ପଡ଼ିବାକୁ ଥିବା ଏହାର ପ୍ରଭାବ ଆଦିକୁ ତର୍ଜମା କରାଯାଉଛି । ଏମିତି କି ଏହାର କାର୍ଯ୍ୟକାରିତା ନେଇ ରହିଥିବା ସମ୍ଭାବ୍ୟ ଆହ୍ୱାନଗୁଡ଼ିକ ଉପରେ ମଧ୍ୟ ବିଚାରବିମର୍ଶ ଚାଲିଛି ।

ପ୍ରାୟ ୪ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୮ ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆୟୁଷ୍ମାନ ଭାରତ’ ସ୍କିମ୍‌ର ଶୁଭାରମ୍ଭ କରିଥିଲେ । ଏଥିରେ ପ୍ରାୟ ୧୧ କୋଟି ଗରିବ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି । ପାଖାପାଖି ୫୦ କୋଟି ହିତାଧିକାରୀ ବିଭିନ୍ନ ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ହୋଇ ସ୍କିମ୍‌ର ଲାଭ ଉଠାଉଛନ୍ତି ।

ବର୍ତ୍ତମାନ ମୋଦି ସରକାର ଏହି ସ୍କିମ୍‌କୁ ଆହୁରି ବ୍ୟାପକ କରିବା ଉପରେ ଜୋର ଦେଇଛନ୍ତି । ଅଧିକରୁ ଅଧିକ ଲୋକ  କିଭଳି ସ୍କିମ୍‌ର ଲାଭ ଉଠାଇବେ, ତାହା ନେଇ ଚିନ୍ତା କରାଯାଉଛି । ଏ ନେଇ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସରକାର ବର୍ତ୍ତମାନ ଆୟୁଷ୍ମାନ ଭାରତ ୨.୦ର ବିଭିନ୍ନ ଦିଗ ନେଇ ବିଚାର କରୁଛନ୍ତି । ସମ୍ଭାବ୍ୟ ବୃହତ୍‌ ସ୍କିମ୍‌ କାର୍ଯ୍ୟକାରୀ ହେଲେ ଏହାଯୋଗୁ ସୃଷ୍ଟି ହେବାକୁ ଥିବା ଆର୍ଥିକ ବୋଝକୁ ତଉଲାଯାଉଛି ।

ଏମିତି କି ଆୟୁଷ୍ମାନ ଭାରତ ଭଳି ଆଉ ଏକ ସ୍ୱାସ୍ଥ୍ୟ ବୀମା ସ୍କିମ୍‌ ଆଣିବା ଉପରେ ମଧ୍ୟ ନୀତି ଆୟୋଗ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା କରୁଛି । ବିଭିନ୍ନ ବିକଳ୍ପ ସୁବିଧା ଯୋଗାଇବା ନେଇ ବିଚାର କରାଯାଉଛି । ଆହୁରି ମଧ୍ୟ କୁହାଯାଉଛି ଯେ ପ୍ରସ୍ତାବିତ ଆୟୁଷ୍ମାନ ଭାରତ ୨.୦ ଅଧୀନରେ ହିତାଧିକାରୀ ଏକ ‘ଟପ୍‌-ଅପ୍‌’ ହିସାବରେ ଆଂଶିକ ଅର୍ଥ ଖର୍ଚ୍ଚ କରି ସ୍ୱାସ୍ଥ୍ୟ ସେବା ପାଇବେ । ସରକାର ବଳକା ଖର୍ଚ୍ଚ ବହନ କରିବେ । ଏହାକୁ ଏକ ବିକଳ୍ପ ଭାବେ ବିବେଚନା କରାଯାଉଛି ।

ଆଉ ଏକ ବିକଳ୍ପ ଉପରେ ବି ଚିନ୍ତା କରାଯାଉଛି । ଏହା ଅନୁସାରେ ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ କମ୍ପାନିମାନେ  ଆର୍ଥିକ ଦିଗରୁ ସୁହାଇଲା ଭଳି ପ୍ୟାକେଜ୍‌ ଆଣିବେ, ଯେଉଁଥିରେ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ । ଏ ବାବଦରେ ଘରୋଇ କମ୍ପାନିମାନେ ଏକ ନୂଆ ଉତ୍ସର୍ଗୀକୃତ ବୀମା ଉତ୍ପାଦ ଆଣବି । ତେବେ ଏଥିପାଇଁ ସରକାର ସେମାନଙ୍କୁ ବ୍ୟାପକ ମାତ୍ରାର କଭରେଜ ଯୋଗାଇବା ଲାଗି ପ୍ରତିଶ୍ରୁତି ଦେଲେ ସେମାନେ ଆଗେଇବେ ବୋଲି କହିଛନ୍ତି ।

ସରକାରୀ ଥିଙ୍କ୍‌ ଟ୍ୟାଙ୍କ୍‌ ନୀତି ଆୟୋଗ ଏହି ପ୍ରସ୍ତାବିତ ସ୍କିମ୍‌କୁ ନେଇ ବୀମା କମ୍ପାନିଗୁଡ଼ିକ ସହ ଏକାଧିକ ପର୍ଯ୍ୟାୟ ଆଲୋଚନା କରିସାରିଲାଣି। ଆଲୋଚନା ଶେଷ ହେବା ପରେ ଏହା ଖୁବଶୀଘ୍ର ଏକ ଚିଠା ନୀତି ଉପସ୍ଥାପନ କରିବ । ଆୟୋଗ ଆର୍ଥିକ ବିଶେଷଜ୍ଞଙ୍କ ସହ ମଧ୍ୟ ପରାମର୍ଶ ଜାରି ରଖିଛି । ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌ଜେଏୱାଇ)ରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ସେମାନେ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସେବା ପାଉଛନ୍ତି । ଏଥିରେ ପ୍ରାୟ ୧୧ କୋଟି ଗରିବ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ମୋଟ ପାଖାପାଖି ୫୦ କୋଟି ହିତାଧିକାରୀ ଉପକୃତ ହେଉଛନ୍ତି ।

ଉଭୟ ଗ୍ରାମ ଓ ସହରାଞ୍ଚଳ ପାଇଁ ସାମାଜିକ-ଆର୍ଥିକ ଜାତି ଜନଗଣନା ୨୦୧୧ର ମାନଦଣ୍ଡ ଅନୁସାରେ ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି । ୨୦୧୧ ଡାଟାବେସ୍‌ରେ ନ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ହିତାଧିକାରୀ ପରିବାର ଏଥିରେ ସାମିଲ ଅଛନ୍ତି । ସରକାର ପିଏମ୍‌ଜେଏୱାଇ ଅଧୀନରେ ଦେଶର ଅନ୍ତତଃ ୪୦% ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଜୋର ଦେଇଛନ୍ତି । ଶୀର୍ଷ ୨୦% ବା ଉଚ୍ଚ ଆୟ ବର୍ଗର ଲୋକମାନେ ସ୍ୱାସ୍ଥ୍ୟ ସେବା ବାବଦ ଖର୍ଚ୍ଚ ବହନ କରିପାରିବେ । ତେଣୁ ମଧ୍ୟମ ଆୟ ବର୍ଗର ଲୋକଙ୍କୁ କିଛିଟା ସହଯୋଗ ପ୍ରଦାନ କରିବାକୁ ସରକାର ଚାହୁଁଛନ୍ତି ।

ବରିଷ୍ଠ ଅଧିକାରୀଙ୍କ ମୁତାବକ ସରକାର ସ୍ୱାସ୍ଥ୍ୟ ବୀମା ସୁବିଧାକୁ ବ୍ୟାପକ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଆବଶ୍ୟକ ପାଙଋିକୁ ନେଇ ସରକାର ଆଦୌ ଚିନ୍ତିତ ନାହାନ୍ତି । କିନ୍ତୁ ଏଥିରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଏହି ବ୍ୟବସ୍ଥାରେ ସେବା ଯୋଗାଇବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୪ ସୁଦ୍ଧା ଆୟୁଷ୍ମାନ ଭାରତ ସ୍କିମ୍‌ ଅଧୀନରେ ପ୍ରାୟ ୨୨ କୋଟି ହିତାଧିକାରୀଙ୍କୁ ସତ୍ୟାପିତ କରାଯାଇଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୩୧ କୋଟିରୁ ଅଧିକ ହେଲ୍‌ଥ ଆକାଉଣ୍ଟ ସୃଷ୍ଟି କରାଯାଇଛି । ଦେଶବ୍ୟାପୀ ୧.୫୪ ଲକ୍ଷ ଏଚ୍‌ଡବ୍ଲ୍ୟୁସି (ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର) କାର୍ଯ୍ୟ କରୁଛି । ଅର୍ଥନୈତିକ ସର୍ଭେ ୨୦୨୨-୨୩ ଅନୁସାରେ ସ୍କିମ୍‌ରେ ପ୍ରାୟ ୪.୩ କୋଟି ଲୋକ ୨୬,୦୫୫ ହସ୍ପିଟାଲ ନେଟ୍‌ୱର୍କରେ ଚିକିତ୍ସିତ ହୋଇଛନ୍ତି, ଯେଉଁଥିପାଇଁ ୫୦,୪୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର