ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଶେଷରେ ମିଳିଲା ଜାମିନ, ଅନ୍ତରିମ ବେଲ୍ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୯/ ୦୫ : ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ଜାମିନ ମିଳିଛି । ଆଜମ ଖାନଙ୍କୁ ଅନ୍ତରିମ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି କୋର୍ଟ । ତେବେ ଜାମିନ ମିଳିବା ପରେ କେଉଁ କେଉଁ ସର୍ତ୍ତ ରହିବ ସେ ନେଇ ଟ୍ରାଏଲ କୋର୍ଟ ରାୟ ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରେଗୁଲାର୍ ବେଲ୍ ମିଳିବା ଯାଏଁ ଅନ୍ତରୀମ ଆଦେଶ ଲାଗୁ ରହିବ ।
ସୂଚନାଯୋଗ୍ୟ, ୮୯ଟି ମାମଲାରେ ଗତ ୨୬ ମାସ ହେଲା ଜେଲରେ ଅଛନ୍ତି ସମାଜବାଦୀ ପାର୍ଟି ନେତା ତଥା ୟୁପିର ପୂର୍ବତନ ମନ୍ତ୍ରୀ ଆଜମ ଖାନ । ଗୋଟିଏ ମାମଲାରେ ଜାମିନ ମିିଳିଲେ ଅନ୍ୟ ଏକ ମାମଲା ରୁଜୁ ହୋଇଯାଉଛି । ଏବେ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ଆଜମ ଖାନ । ମଙ୍ଗଳବାର ଏହାର ଶୁଣାଣି କରି ସପା ନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଆଜମ ଖାନଙ୍କୁ ବିରୁଦ୍ଧରେ ଚାଲିଥିବା ୮୯ଟି ମାମଲାରୁ ୮୮ଟିରେ ତାଙ୍କୁ ଜାମିନ ମିଳିସାରିଛି । କିନ୍ତୁ ଶେଷ କେସରେ ତାଙ୍କୁ ଜାମିନ ଦେଇନଥିଲେ କୋର୍ଟ । ପରେ ମାମଲା ସୁପ୍ରିମକୋର୍ଟ ଯିବା ପରେ ଜାମିନ ଆବେଦନର ଶୁଣାଣି ହେବା ପୂର୍ବରୁ ସାମ୍ବିଧାନିକ ଶକ୍ତି ପ୍ରୟୋଗ କରି ଆଜମ ଖାନଙ୍କୁ ଅନ୍ତରୀମ ଜାମିନ ପ୍ରଦାନ କରିଛନ୍ତି ।
ମଙ୍ଗଳବାର ଆଜମ ଖାନଙ୍କ ମାମଲାରେ ଜାମିନ ପ୍ରଦାନ କରିବା ନେଇ ଶୁଣାଣି ସମୟରେ ବିରୋଧ କରିଥିଲେ ସଲିସିଟର୍ ଜେନେରାଲ ରାଜୁ । ସେ କହିଥିଲେ, ଏକ ମାମଲାରେ ପଚରାଉଚରା ପାଇଁ ଯାଇଥିବା ବେଳେ ଏସ୍ଡିଏମ୍ଙ୍କୁ ବି ଧମକ ଦେଇଥିଲେ ଆଜମ ଖାନ । କହିଥିଲେ ‘ଯେଉଁ ଏସଡିଏମ୍ ମୋ ବିରୁଦ୍ଧରେ ରୁଜୁ କରିବ ତାକୁ ମୁଁ ଦେଖିନେବି । ମୋ ସରକାର ଆସିବାକୁ ଦିଅ’। ତେବେ ଜାମିନ ଶୁଣାଣି ଅନ୍ୟ ଏକ ମାମଲାରେ ହେଉଥିବାରୁ କୋର୍ଟ ଏହାକୁ ବିଚାରକୁ ନେବା ପାଇଁ ମନାକରିଥିଲେ ଏବଂ ସଲିସିଟର୍ ଜେନେରାଲଙ୍କୁ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ବାରଣ କରିଥିଲେ ।