ଏଠାରେ ଅଛନ୍ତି ମାତ୍ର ଜଣେ ଭୋଟର, ପ୍ରତି ବର୍ଷ ନିର୍ବାଚନ କମିଶନ୍ କରିଥାନ୍ତି ସ୍ବତନ୍ତ୍ର ବ୍ୟବସ୍ଥା

ଜୁନାଗଡ,୧୪।୩: ନିକଟରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ସେଥିପାଇଁ ଏବେ ବେଶ୍ ସରଗରମ ହୋଇ ଉଠଛି ଦେଶରେ ରାଜନୈତିକ ମାହୋଲ। ତେବେ ଏହା ଭିତରେ ଏବେ ଏକ ମଜାଦାର କଥା ଶୁଣିବାକୁ ମିଳିଛି। ତାହା ଶୁଣି ଆପଣମାନେ ନିହାତି ପକ୍ଷେ ଆଶ୍ଚର୍ଯ୍ୟ ହେବେ। ଗୁଜରାଟରେ ଏଭଳି ଏକ ପୋଲିଂ ବୁଥ୍ ରହିଛି, ଯେଉଁଠି ଜଣେ ମାତ୍ର ଭୋଟର ରହିଛନ୍ତି। ଜୁନାଗଡ ସ୍ଥିତ ଗୀର ଜଙ୍ଗଲରେ ବାଣୋଜ ନାମକ ଏକ ସ୍ଥାନ ରହିଛି। ଯେଉଁଠି ଏକ ଧାର୍ମିକ ସ୍ଥଳରେ ଭରତଦାସ ବାପୁ ନାମକ ସାଧୁ ରୁହନ୍ତ। ନିର୍ବାଚନ କମିଶନ୍ ତାଙ୍କ ପାଇଁ ବିଶେଷ ଭାବରେ ଭୋଟଦାନ ବ୍ୟବସ୍ଥା ଲାଗୁ କରିଥାନ୍ତି।

ଏହି ସାଧୁଜଣକ ହେଉଛନ୍ତି ମହନ୍ତ ଭରତଦାସ ବାପୁ।ତାଙ୍କ ପାଇଁ ଦେଶର ନିର୍ବାଚନ କମିଶନ୍ ଭୋଟଦାନ ପାଇଁ ଖାସ୍ ବ୍ୟବସ୍ଥା ଗ୍ରହଣ କରିଥାନ୍ତି। ଗିର ଜଙ୍ଗଲ ଭିତରେ ବାଣ ଗଙ୍ଗା ମହାଦେବ ମନ୍ଦିରର ମହନ୍ତ ଭରତଦାସ ଗୁରୁ ଦର୍ଶନଦାସ କେବଳ ଏକମାତ୍ର ମତଦାତା।

ଏ ସମ୍ପର୍କରେ ସୂଚନା ଦେଇ ଜୁନାଗଡର ଜିଲ୍ଲାପାଳ ଡଃ. ସୌରଭ ପାରଧି କହିଛନ୍ତି ଆମର ଜଣେ ଭୋଟରଙ୍କ ପାଇଁ ନିର୍ବାଚନ କମିଶନ୍ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରନ୍ତି। ଗୁଜରାଟ ବନବିଭାଗ ଦ୍ବାରା ଗିର ଜଙ୍ଗଳରେ ଥିବା ବାଣୋଜ ମନ୍ଦିର ପାଖରେ ହିଁ ଏକ ଖାସ୍ ପୋଲିଂ ବୁଥ୍ ତିଆରି କରାଯିବ। ଏହି ପୋଲିଂ ବୁଥ୍ ଗିର-ସୋମନାଥ ଜିଲ୍ଲାର ଗିର-ଗଢା ନିର୍ବାଚନ ମଣ୍ଡଳୀରେ ରହିଛି। ଏହି ଜଙ୍ଗଲ ୫୫ କିଲୋମିଟର ଦୂରରେ ରହିଛି। ଭରତଦାସ ବାବା ଭୋଟଦାନ ପାଇଁ ପ୍ରଶାସନର ଏକ ଖାସ୍ ପୋଲିଂ ପାର୍ଟି ଗଠନ କରାଯାଇଛି।

ବାଣୋଜ ନାମକ ଏହି ଅଞ୍ଚଳ ଗିର ଜଙ୍ଗଲ ଭିତରେ ରହିଛି। ତେଣୁ ସେଠାକୁ ଯିବା ଆସିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ। କାରଣ ଏହି ଅଞ୍ଚଳରେ ବାଘମାନେ ଚଳବିଚଳ କରିଥାନ୍ତି। ମହନ୍ତ ଜଣକ ସେଠାରେ ଏକାକୀ ରୁହନ୍ତି। ଏହାଠାରୁ ଯେ କୌଣସି ସହର କିମ୍ବା ଗାଁ ଅତି କମରେ ୩୦ କିଲୋମିଟର ଦୂରରେ ରହିଥାଏ।