ବରଗଡ଼, ୨୬/୦୫ : ରାସ୍ତାକଡ଼ରୁ ଶିଶୁପୁତ୍ର ଉଦ୍ଧାର। ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍ ମିଲ୍ ଛକ ପାଖରେ ଥିବା ହୁଣ୍ଡାଇ ସୋରୁମ୍ ନିକଟରୁ ବରଗଡ଼ ସଦର ଥାନା ପୁଲିସ ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଶିଶୁଟିର ପରିଚୟ ମିଳିପାରି ନାହିଁ।
ସୂଚନାନୁଯାୟୀ, ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍ ମିଲ୍ ଛକ ପାଖରେ ଥିବା ହୁଣ୍ଡାଇ ସୋରୁମ୍ ନିକଟରେ ଜଣେ ୩ ବର୍ଷର ଶିଶୁପୁତ୍ର ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲା। ସ୍ଥାନୀୟ ଲୋକେ ପିଲାଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ। ବରଗଡ଼ ସଦର ଥାନା ପୁଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛି। ତେବେ ଶିଶୁଟି ତାର ପରିଚୟ ଦେଇପାରୁ ନଥିବା ବେଳେ ସେ ବରଗଡ଼ର ବବିତା ମିଶ୍ର ଏବଂ କୁନୁ ମିଶ୍ରଙ୍କ ସନ୍ତାନ ହୋଇଥିବା ସୂଚନା ମିଳିଛି। ଏଯାଏଁ ପୁଲିସକୁ କେହି ଯୋଗାଯୋଗ କରିନଥିବାରୁ ଶିଶୁକୁ ପୁଲିସ ଆଣି ବରଗଡ଼ ସଦର ଥାନାରେ ରଖିଛି। ଶିଶୁଟିର ପରିଚୟ ସ୍ପଷ୍ଟ ହେବାପରେ ତାକୁ ତାର ପରିବାରକୁ ହସ୍ତାନ୍ତର କରାଯିବ। କେହି ଶିଶୁଟିର ପରିଚୟ ଜାଣିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି।