ନିମବାହାଳି,୩୦/୧୦: ମୁକୁଳା କୂଅରେ ଖସି ପଡ଼ିଲା ହାତୀ ଛୁଆ। କୂଅ ନିକଟରେ ଜଗି ରହିଲା ମା' ହାତୀ । ଦୁଇ ଘଣ୍ଟା କସରତ କରି ହାତୀ ଛୁଆକୁ କୂଅ ମଧ୍ୟରୁ ଉଦ୍ଧାର କରିଛନ୍ତି ବନ କର୍ମଚାରୀ । ମା' ଓ ଛୁଆ ହାତୀ ଉଭୟ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛନ୍ତି। ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ଫରେଷ୍ଟ ସେକ୍ସନ ଖଡଗପ୍ରସାଦ ଅଞ୍ଚଳରେ ଗୁରୁବାର ସକାଳୁ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୁରୁବାର ସକାଳୁ ଖଡଗପ୍ରସାଦ ଅଞ୍ଚଳର ଏକ ବଗିଚାରେ ଥିବା ଖୋଲାକୂଅରେ ହାତୀ ଶାବକ ଖସି ପଡିଥିଲା। ସାଥିରେ ଥିବା ମା' ହାତୀ ଘଟଣା ସ୍ଥଳରେ ଜଗି ରହିଥିଲା। ଫଳରେ ଛୁଆ ହାତୀକୁ ଉଦ୍ଧାର କରିବାକୁ ବନ ବିଭାଗ ନାକେଦମ ହୋଇ ପଡିଥିଲା। ହାତୀ ଛୁଆକୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେ ନେଇ ଉଦ୍ୟମ ଆରମ୍ଭ ହୋଇଥିଲା। କୂଅକୁ ଖୋଳି ରାସ୍ତା ତିଆରି କରାଯାଇଥିଲା। ଏହାପରେ ହାତୀଟି କୂଅ ମଧ୍ୟରୁ ବାହାରି ମା' ହାତୀ ସହ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି। ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳରେ ୪୦ରୁ ଉର୍ଦ୍ଧ୍ୱ ହାତୀପଲ ରହିଛନ୍ତି ।