ଅନୁଗୁଳ,୧୩/୧୧: ପର କରିଦେଲା ମା’ ହାତୀ । ଚାହିଁଲାନି ଆଡ଼ ଆଖିରେ । ବନ ବିଭାଗର ୩ ଦିନର କସରତ ସତ୍ତେ୍ୱ ପାଖ ପୂରାଇଲାନି ମା’ ହାତୀ । ଫଳର ସହର ଉପକଣ୍ଠ ଶ୍ୟାମସୁନ୍ଦପୁର ଗ୍ରାମର ଏକ ଧାନ ବିଲରୁ ଉଦ୍ଧାର ହୋଇଥିବା ୧୫ ଦିନର ହାତୀଛୁଆ ଛେଉଣ୍ଡ ହୋଇଛି । ହାତୀ ଛୁଆ ସୁସ୍ଥ ଥିବା ବେଳେ ତା’ର ସମସ୍ତ ରିପୋର୍ଟ୍ ନେଗେଟିଭ୍ ଆସିଛି । ହାତୀ ଛୁଆ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି ଅନୁଗୁଳ ଡିଏଫ୍ଓ ନିତୀଶ୍ କୁମାର ।
ସୂଚନା ମୁତାବକ, ମନ୍ଦରଗିରି ପାହାଡ଼ରେ ରହୁଥିବା ଏକ ୨୨ଟିକିଆ ହାତୀପଲ ଗତ ଶୁକ୍ରବାର ରାତିରେ ଶ୍ୟାମସୁନ୍ଦରପୁରକୁ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ । ହାତୀପଲ ଧାନ ଖାଉଥିବା ବେଳେ ୧୫ ଦିନର ଏକ ହାତୀଛୁଆ କାଦୁଅରେ ଫସିଯାଇଥିଲା । ସକାଳ ହେବାରୁ ହାତୀପଲ ଛୁଆକୁ ଛାଡ଼ି ଚାଲିଯାଇଥିଳେ । ଗ୍ରାମବାସୀଙ୍କଠାରୁ ଖବର ପାଇ ବନ କର୍ମଚାରୀ ହାତୀଛୁଆକୁ ଉଦ୍ଧାର କରିଥିଲେ । ଅସୁସ୍ଥ ଥିବାରୁ କୁଲାସିଂହା ନର୍ସରୀକୁ ନେଇ ଚିକିତ୍ସା କରାଯାଇଥିଲା । ହାତୀ ଛୁଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ହାତୀ ପଲ ସହ ମିଶାଇବାକୁ ବନ ବିଭାଗ କସରତ ଆରମ୍ଭ କରିଥିଲା । ଗତ ରବିବାର, ସୋମବାର ଓ ମଙ୍ଗଳବାର ରାତିରେ ବନ ବିଭାଗ ହାତୀପଲ ପାଖକୁ ନେଇ ଛୁଆକୁ ଛାଡିଥିଲେ ହେଁ ମା’ ହାତୀ ଗ୍ରହଣ କରିନଥିଲା । ଉପରସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀଛୁଆ କପିଳାସ ଯିବା ଏକପ୍ରକାର ନିଶ୍ଚିତ ହୋଇଛି ।