ଅନୁଗୁଳ,୧୭/୧୧: ମଣିଷ ସଂସ୍ପର୍ଶରେ ଆସି ଅଛୁଆଁ ହୋଇଯାଇଥିବା ହାତୀ ଛୁଆକୁ ପାଖରେ ପୂରାଇଲାନି ମା’ ହାତୀ । ବନ ବିଭାଗର ଏକାଧିକ ପ୍ରୟାସ ବିଫଳ ହେବା ପରେ ରବିବାର ଅପରାହ୍ଣରେ ୨୪ ଦିନର ହାତୀଛୁଆକୁ ଅନୁଗୁଳ ବନଖଣ୍ଡ କୁଲାସିଂହା ନର୍ସରୀରୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ବନ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି) ଓ ମୋବାଇଲ୍ ଭେଟେରିନାରୀ ୟୁନିଟ୍ର ସମନ୍ୱୟରେ ହାତୀ ଛୁଆକୁ କପିଳାସରେ ଛଡ଼ାଯାଇଛି । ସେଠାରେ ହାତୀଛୁଆର ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ମିଳିବା ସହ ୨୪ ଘଣ୍ଟିଆ ନିରୀକ୍ଷଣରେ ରହିବ ବୋଲି ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ମନ୍ଦରଗିରି ପାହାଡ଼ରେ ରହୁଥିବା ଏକ ୨୨ ଟିକିଆ ହାତୀପଲ ଗତ ୭ ତାରିଖ ରାତିରେ ଅନୁଗୁଳ ବ୍ଲକ୍ ସରଧାପୁର ଶ୍ୟାମସୁନ୍ଦରପୁର ଇଲାକାରେ ବ୍ୟାପକ ଧାନଫସଲ ନଷ୍ଟ କରିଥିଲେ । ଏହି ସମୟରେ ଧାନ ବିଲରେ ପ୍ରାୟ ୧୫ ଦିନର ଏକ ହାତୀ ଛୁଆ କାଦୁଅରେ ଫସିଯାଇଥିଲା । ସକାଳ ହେବାରୁ ଛୁଆକୁ ଛାଡ଼ି ହାତୀପଲ ଚାଲିଯାଇଥିଲେ । ସକାଳେ ବନ ବିଭାଗ ହାତୀଛୁଆକୁ ଉଦ୍ଧାର କରିବା ସହ ଅସୁସ୍ଥ ଥିବାରୁ କୁଲାସିଂହା ନର୍ସରୀରେ ଚିକିତ୍ସା କରାଇଥିଲା । ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ୮ ତାରିଖ ରାତିରେ ହାତୀ ଦଳକୁ ଫେରାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ୯ ତାରିଖରେ ଡ୍ରୋନ୍ ଉଡ଼ାଇ ହାତୀପଲର ଅବସ୍ଥିତି ଅନୁଧ୍ୟାନ କରିବା ପରେ ପୁନର୍ବାର ହାତୀଛୁଆକୁ ଦଳରେ ମିଶାଇବାକୁ ପ୍ରୟାସ କରାଯାଇଥିଲା । ଛୁଆ ଦେହରେ ହାତୀ ମଳ ଲଗାଇ ଦଳ ପାଖକୁ ଛଡ଼ାଯାଇଥିଲା । ହେଲେ ମା’ ହାତୀ ଛୁଆକୁ ଗ୍ରହଣ ନ କରିବାରୁ ହାତୀ ଛୁଆକୁ କୁଲାସିଂହା ନର୍ସରୀକୁ ଫେରାଇ ଅଣାଯାଇଥିଲା ।