ବଡ଼ଦାଣ୍ଡରେ ମଝିରେ ସ୍କୁଟର ଉପରେ ଶୋଇପଡିଲେ ଯୁବକ, ମୃତ୍ୟୁ ଘଟିଥିବା ଭାବି ଲାଗିଲା ଗହଳି; ଆଉ ତା ପରେ….

ପୁରୀ,୨୩/୦୬: ଭୋର୍ ଡାକ୍ତରଖାନା ଛକ ଠାରେ ଲାଗିଥିଲା ଗହଳି । ବଡ଼ଦାଣ୍ଡ ମଝିରେ ଛିଡ଼ା ହୋଇଥିଲା ଏକ ଗିଅର ବିହୀନ ସ୍କୁଟର । ସ୍କୁଟର ଉପରେ ବସି ହ୍ୟାଣ୍ଡେଲ୍ ଉପରେ ମୁଣ୍ଡ ରଖି ଝୁଲି ପଡ଼ିଥିଲେ ଜଣେ ଯୁବକ । ନିସ୍ତେଜ ଅବସ୍ଥାରେ ଶୋଇ ରହିଥିବା ଯୁବକଙ୍କୁ ଘେରି ରହିଥିଲେ ଲୋକେ । ତେଣୁ ତାଙ୍କର ମୃତ୍ୟୁ ଘଟିଥିବା ଭାବି ଲୋକେ ଯୁବକଙ୍କୁ ଛୁଇଁ ନଥିଲେ । ଅନ୍ୟପଟେ ଏଭଳି ଅବସ୍ଥାରେ ଯୁବକଙ୍କ ଫଟୋ ଉଠାଇବାରେ ଲୋକେ ବ୍ୟସ୍ତ ଥିଲେ ।
ବୁଧବାର ଭୋର ୫ଟା ୨୦ । ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଯୁବକ ଭିଡ଼ ଭିତରେ ପଶି ଯୁବକଙ୍କୁ ଏଭଳି ଅବସ୍ଥାରେ ଦେଖିଥିଲେ । ତତ୍କ୍ଷଣାତ୍ ସେ ୧୧୨କୁ ଡାଏଲ୍ କରିଥିଲେ । ପୁଲିସ ପହଞ୍ଚି ଯୁବକଙ୍କ ମୁହଁକୁ ପାଣି ମାରିଥିଲା । ଏଥର ଯୁବକଙ୍କ ହାତ ହଲିଥିଲା । ପରେ ମୁଣ୍ଡ ଟେକି ସାମ୍ନାରେ ମାଟିଆ ପୋଷାକଧାରୀଙ୍କୁ ଦେଖି ମୁରୁକି ହସିଥିଲେ । ଏ କ’ଣ ବୋଲି ପଚାରିଥିଲେ ପୁଲିସ ବାବୁ । ଉତ୍ତରରେ ଯୁବକ ଜଣକ ମୁରୁକି ହସି ‘ଟିକେ ଶୋଇ ପଡ଼ିଲି ଆଉ’ ବୋଲି କହିଥିଲେ । ପରେ ନିଜକୁ ଜଣେ ବ୍ୟାଙ୍କ୍ କର୍ମଚାରୀ ବୋଲି କହି ଘଟଣା ସ୍ଥଳରୁ ଦ୍ରୁତ ଗତିରେ ପଳାଇଥିଲେ । ସେ ନିଶାସକ୍ତ ଅବସ୍ଥାରେ ବଡ଼ଦାଣ୍ଡ ମଝିରେ ଗାଡ଼ି ଅଟକାଇ ସିଟ୍ରେ ବସିଥିବା ଅବସ୍ଥାରେ ଝୁଲି ପଡ଼ିଥିଲେ ବୋଲି ପୁଲିସକୁ କହିଥିଲେ ଲୋକେ । ହେଲେ ଉପସ୍ଥିତ ଲୋକଙ୍କୁ ପୁଲିସ ଗାଳି କରି ଏଭଳି ଅବସ୍ଥାରେ ତାଙ୍କୁ ସହଯୋଗ ବଦଳରେ ଉପହାସ କରିବା ଜଣେ ମଣିଷର କର୍ତ୍ତବ୍ୟ ନୁହେଁ ବୋଲି କହିଥିଲେ । ଯୁବକଙ୍କ ଏଭଳି ଆଚରଣ ବଡ଼ଦାଣ୍ଡ ଓ ବଡ଼ଶଙ୍ଖରେ ଚର୍ଚ୍ଚାର ବିଷୟ ପାଲଟିଥିଲା।