ଯେବେ ମନରେ ପ୍ରଶ୍ନ ଉଠେ- ଈଶ୍ୱର କେଉଁଠି ରୁହନ୍ତି ବୋଲି, ପ୍ରତିଥର ଈଶ୍ୱରଙ୍କୁ ଭେଟେ, ମଣିଷ ହୃଦୟର ସୂକ୍ଷ୍ମ, ଦିବ୍ୟ ଭାବଗୁଡ଼ିକରେ । କୁହାଯାଏ- ମନୁଷ୍ୟ ଜନ୍ମର ଏ ଲାଭ, ଯେବେ ଗୋବିନ୍ଦେ କରେ ଭାବ । ଯେତେବେଳେ ମନୁଷ୍ୟଟିଏ ଗୋବିନ୍ଦଙ୍କ ସହିତ ନିଜ ଭାବଟିକୁ ଯୋଡ଼େ, ଆପେ ତା’ ହୃଦୟ ଦୟା, କରୁଣା, ପ୍ରେମ ପରି ଦିବ୍ୟ ଅନୁଭବରେ ହୁଏ ଧନୀ । ଏପରି ପବିତ୍ର ଭାବ ଥିବା ମନୁଷ୍ୟମାନେ ହିଁ ତ ଈଶ୍ୱରଙ୍କ ପ୍ରତିରୂପ । ଏମାନଙ୍କର ସାନ୍ନିଧ୍ୟ ପାଇଲେ ହୃଦୟ ହୋଇଉଠେ ପୁଲକିତ । ଆପେ ହାତ ଯୋଡ଼ି ହୋଇଯାଏ ସେହି କରୁଣା ସାଗରଙ୍କ ନିକଟରେ । ପୁରୀରୁ ଡକରା ଆସିଲେ ଦେହ ମନ ଆଉ ନିଜ ଆୟତ୍ତରେ ରହେନା । ଦେହ, ଘରକାମରେ ବ୍ୟସ୍ତ ଥିଲାବେଳେ ମନ ଧାଇଁଯାଏ ମନୁଆ ପାଖକୁ । ଆଉ ସେ ମନୁଆ ଏପରି ନାଟୁଆ ଯେ, ଯେପରି ନାଟ ଲଗାଇଦିଏ ସେପରି ଘାଟରେ ବସି ବାଟ ବି ଦେଖୁଥାଏ । ତାକୁ କିଛି କହିବାକୁ ପଡ଼େନା । ମନ ପଢ଼ି, ମନ ଜାଣି ସେଇ ହିସାବରେ ସବୁ ଯୋଗାଡ଼ି ଦିଏ । ଆଉ ଏପରି ନିରୀହ ମୁହଁ କରି ବସିଥାଏ ଯେ, ଯିଏ ଦେଖିବ ଭାବିବ- ଆହା ଲୋ! ସତେଯେମିତି କିଛି ଜାଣିନି! ସଂସାର ହାଟରେ ନଟନାଗରର ନାଟକୁ ବୁଝିବା ଆମ ପାଇଁ ଖୁବ୍ କାଠିକର ପାଠ । ଇଏ, ମୁଁ, ଦେଡ଼ଶୁର ଓ ଯାଆ, ଆମେ ବାହାରିଲୁ ପୁରୀ । ମୁଁ ଯେବେ ପୁରୀ ଯାଏ ଆନନ୍ଦ ବଜାରରେ ଭକ୍ତମାନେ ଖାଉଥିବା ଅବଢ଼ାରୁ ହାତ ପାତି ଟିକିଏ ଖାଇ ମୁଣ୍ଡରେ ମାରେ । ଏଠି ତ କିଛି ଅଇଁଠା ନୁହେଁ ।
ପୁଣି କୁହାଯାଏ ଯେ, ଏପରି ହାତପାତି ମାଗିକରି ଖାଇଲେ ମନ ଭିତରେ ନିଜ ଆସ୍ଥାନ ଜମାଇ ବସିଥିବା ଅହଙ୍କାରର ଅହଂ ହୁଏ କ୍ଷୁଣ୍ଣ । ହେଲେ କାହିଁକି କେଜାଣି, ମନ ଭିତରେ ଆସିଲା ଯେ, ଏଥର ମୁଁ ମାଗି କରି ଖାଇବିନାହିଁ, ଠାକୁରେ ନିଜେ ଯଦି ଯାଚିକରି ଦେବେ ତାହାଲେ ଯାଇ ଖାଇବି । ମନେମନେ ଚକାଆଖିକୁ ଚାହିଁ ଏତକ ସିନା କହିଦେଲି, ହେଲେ ମନ ତ ଅମାନିଆ, ବାରମ୍ବାର ସଂଶୟ ଆସୁଥାଏ ମନରେ, ସତେ କ’ଣ ଏପରି ହେବ! ନମାଗି ବି ଠାକୁରେ ମୋ ହାତରେ ତାଙ୍କ ପ୍ରସାଦ ଟିକିଏ ଦେବେ! ଆମେ ପହଞ୍ଚିଗଲୁ ପାର୍କିଂ ସ୍ଥାନରେ । ସରକାରଙ୍କ ତରଫରୁ ବେଶ୍ ସୁବିଧା ରହିଛି । ଶ୍ରଦ୍ଧାଳୁଙ୍କୁ ବ୍ୟାଟେରୀ ଗାଡ଼ିସବୁ ନେଇ ପହଞ୍ଚାଇ ଦେଉଛି ମନ୍ଦିର ନିକଟରେ । ଶ୍ରୀମନ୍ଦିରକୁ ପଶୁ ପଶୁ ଦ୍ୱାରରେ ଥିବା ଶ୍ରୀ’ଙ୍କୁ ମୁଣ୍ଡିଆଟିଏ ମାରି ଭିତରକୁ ପଶିଲି । ବାଇଶି ପାହାଚରେ ଭକ୍ତ କିଛି ତଳକୁ ଗଡ଼ି ଗଡ଼ି ଆସୁଥାନ୍ତି । ଆମ ସହିତ ରହି ସବୁକିଛିର ସୁବନ୍ଦୋବସ୍ତ କରିଦେଇଥାନ୍ତି ମହାପ୍ରଭୁଙ୍କ ସେବକ ହେମନ୍ତ ଭାଇ । ଭିଡ଼ ଏପରି ଯେ, ଭରସା ଆସୁନଥାଏ ଠାକୁରଙ୍କୁ ଟିକେ ମନଭରି, ଆଖି ପୂରେଇ ଦେଖିପାରିବି ବୋଲି । ଗୋଟିଏ ପାଖକୁ ଆମେ ଛିଡ଼ା ହୋଇଥାଉ, ଭିଡ଼ ପତଳା ହେଲେ ଭିତରକୁ ଯିବୁ ବୋଲି ।
ଆମ ଆଗରେ ବୁଢ଼ୀଟିଏ ତଳେ ବସିଥାନ୍ତି ଠୁଙ୍କା ହୋଇ, ନିକଟରେ ଛିଡ଼ା ହୋଇଥାନ୍ତି ବୁଢ଼ା । ବୁଢ଼ୀ ଯେ ସମ୍ପୂର୍ଣ୍ଣ ଅସୁସ୍ଥ, ତାହା ବେଶ୍ ଜଣାଯାଉଥାଏ । ତାଙ୍କୁ ଦେଖି ହେମନ୍ତ ଭାଇ ପଚାରିଲେ- କ’ଣ ହେଲା? ବୁଢ଼ାଲୋକଟି କିଛି କହିନପାରି ହାତ ହଲାଇ ନିଜ ଅସହାୟତା ପ୍ରକାଶ କରି କାନ୍ଦି ପକାଇଲେ । ନିଜ ଶେଷ ଅବସ୍ଥାରେ ଟିକିଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ କି ଆକୁଳତା, ଥରଟିଏ ସେ ଆଖିରେ ଆଖି ମିଶିଗଲେ କୋଟି ଜନ୍ମର ପାପ ଧୋଇ ହୋଇଯାଏ ପରା! ଚାଲିପାରୁନଥିବା ପାଦ, ଉଠିପାରୁନଥିବା ଦେହକୁ କେବଳ ଟାଣିଆଣିଛି ବ୍ୟାକୁଳ ମନଟିଏ ସେଇ ମନୁଆର ଡାକରାରେ । ଯିଏ ଡାକିଛନ୍ତି ସିଏ ହିଁ ତ ବ୍ୟବସ୍ଥା କରିବେ । ହଁ, ହେମନ୍ତ ଭାଇଙ୍କ କଣ୍ଠରେ ବିଜେ ହେଲେ ସ୍ୱୟମ୍ ସରସ୍ୱତୀ । ସେ ଡାକିଲେ ଜଣେ ପୋଲିସଙ୍କୁ, ଆଉ କହିଲେ ୟାଙ୍କୁ ଟିକେ କାନ୍ଧରେ ବସାଇ ମହାପ୍ରଭୁଙ୍କ ଦର୍ଶନ କରାଇଦେବ । ସେ ବି ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଆଗ୍ରହ ଦେଖାଇ ଆଗେଇ ଆସିଲେ । ହୃଦୟ ମୋର ଆନନ୍ଦରେ ଭରିଯାଉଥିଲା । ପୋଲିସର ରୁକ୍ଷ ପୋଷାକ ତଳେ ଥିବା ସେଇ ଦୟାପୂର୍ଣ୍ଣ କୋମଳ ହୃଦୟଟି ନିକଟରେ ମୁଣ୍ଡ ନଇଁଯାଉଥିଲା । ଏଇ ସମୟରେ ଭିତରକୁ ଯିବାପାଇଁ ଆମେ ବାହାରିଲୁ । ହଠାତ୍ ଆଖି ପଡ଼ିଲା ତଳେ ବସିଥିବା ଚାରି ପାଞ୍ଚଜଣ ଭକ୍ତଙ୍କ ଉପରେ । ଜଣକୁ ଦେଖି ଅଟକିଗଲି, ଆରେ ଇଏ ତ ଭାରତ ବିଖ୍ୟାତ ହିନ୍ଦୀ ଭାଷାର ବିଶିଷ୍ଟ ବ୍ୟଙ୍ଗ କବି ଦିନେଶ ବାୱରା । ଆଶ୍ଚର୍ଯ୍ୟ ହେବା ସହିତ ପାଖକୁ ଯାଇ ତାଙ୍କୁ ନମସ୍କାର କରି ମୁଁ ଯେ ତାଙ୍କର ଜଣେ ସ୍ତବକ ବୋଲି କହିଲି । ସେ ବି ଭାରି ଖୁସି ହୋଇ ମୋ ସହିତ ହାତ ମିଳାଇଲେ । ଅଧିକ କଥା ହେବାପାଇଁ ଅବସର ବି ନଥିଲା । ଏପଟେ ଏମାନଙ୍କ ସହିତ ନଗଲେ ହାତ ଛାଡ଼ି ହୋଇଯିବ । ତରତର ହୋଇ ଭିଡ଼ରେ ଭିଡ଼ିହୋଇ ଗଲି । ଭିତରେ କଳାବଦନ, ନାଲିଅଧରରେ ମୁରୁକି ମୁରୁକି ହସି ବସି ରହିଥାନ୍ତି । ଭିଡ଼ ଯେ ଭିଡ଼, ଗୋଡ଼ କେଉଁଠି, ହାତ କେଉଁଠି, ଦେହ କେଉଁଠି, କିଛି ଜାଣେନା, କେବଳ ମୋ ଆଖି ଦୁଇଟି ତିନି ଯୋଡ଼ା ଆଖିକୁ ଚାହିଁ ହୋଇଉଠୁଥାଏ କୃତ୍ୟ କୃତ୍ୟ ।
ହେମନ୍ତ ଭାଇ ପଚାରିଲେ, ଠାକୁରଙ୍କ ରତ୍ନପଲଙ୍କ ଦେଖିଛ, ମୁଣ୍ଡ ହଲେଇ ମନା କଲି । ସେ ନେଇଗଲେ ପ୍ରଭୁଙ୍କ ରତ୍ନପଲଙ୍କ ନିକଟକୁ । ମଖମଲ କପଡ଼ାରେ ଗଦି ଓ ତକିଆ ସବୁ ଥୁଆ ହୋଇଥାଏ । ସେହି ଶେଯଙ୍କୁ ଦେଖି, ତାଙ୍କୁ ଛୁଇଁ, ଦେହ ମନ କିପରି ଗୋଟିଏ ଶିହରିତ ହୋଇଗଲା । ନିକଟରେ ଥିଲା ପ୍ରଭୁଙ୍କ ରତ୍ନଭଣ୍ଡାର । ଯାହାଙ୍କର ଭଣ୍ଡାର ରକ୍ଷକ ହେଉଛନ୍ତି ସ୍ୱୟମ ପ୍ରଭୁ ଲୋକନାଥ । ସମ୍ମୁଖରେ ବସିଥାନ୍ତି ପୂଜକ ଜଣେ । କେହି ଜଣେ ଦର୍ଶନ କରି ଟଙ୍କା ନଦେଇ ଚାଲିଯିବାରୁ ତାଙ୍କୁ କରୁଥାନ୍ତି ଗାଳି । ସେ ଗାଳି ଶୁଣି ପାଦ ମୋର ଅଧା ପାହାଚରେ ଅଟକିଗଲା । ଦୂରରୁ ଦର୍ଶନ କରି ମୁଣ୍ଡିଆଟିଏ ମାରିଲା ବେଳକୁ ପୂଜକଟି ଡାକିଲେ, ମାଆ ଏଇଠିକୁ ଆସୁନୁ । ଭାରି ଅସହାୟ ମନେହେଲା ନିଜକୁ, କାନ୍ଦ କାନ୍ଦ ହୋଇ କହିଲି, ଆଜ୍ଞା ମୋ ପାଖରେ ତ କିଛି ଟଙ୍କା ନାହିଁ ଦେବାକୁ ତେଣୁ... । ସଙ୍ଗେ ସଙ୍ଗେ ସେ କହିଲେ, ଆରେ ତତେ କିଏ ଟଙ୍କା ମାଗୁଛି, ଆ ଇଏ ପରା ପ୍ରଭୁଙ୍କ ରତ୍ନଭଣ୍ଡାର, ଏଠି ବିରାଜିତ ହୋଇଛନ୍ତି ପ୍ରଭୁ ଲୋକନାଥ । ପାଖକୁ ଗଲି, ଠାକୁରଙ୍କୁ ମୁଣ୍ଡିଆଟିଏ ମାରି ଉଠିଲା ବେଳକୁ ସେ ବିଶାଳ ବପୁଧାରୀ ପୂଜକଟି ଆଖିରେ ମୋର କର୍ପୂର ଟିକିଏ ମାରି ଆଶୀର୍ବାଦ ପ୍ରଦାନ କଲେ । ହୃଦୟ ମୋର କୃତଜ୍ଞତାରେ ଭରିଗଲା । କିନ୍ତୁ ଠିକ୍ ଫେରିଲା ବେଳକୁ କହିଲେ, ପଇସା ସବୁ ନେଇ ଯେଉଁଠି ସେଇଠି ଖର୍ଚ୍ଚ କରିବ, ଠାକୁରଙ୍କୁ ଦେଲାବେଳକୁ କିଛି ନାହିଁ! ତାଙ୍କୁ ପ୍ରଣାମଟିଏ କରି ଫେରିବା ଛଡ଼ା ଆଉ ବା କ’ଣ କରିଥାନ୍ତି । କିପରି ବା ବୁଝାଇଥାନ୍ତି ଯେ, ସିଏ ତ ଦାତା, ମୁଁ ଭିକାରୁଣୀ ବୋଲି ।
ଆସିଲା ବେଳେ କେତେ କ’ଣ ଭାବିଥିଲି ମାଗିବି ବୋଲି, ହେଲେ କ’ଣ ହୁଏ କେଜାଣି ଚକାନୟନଙ୍କୁ ଥରେ ଚାହିଁଦେଲେ ସବୁ ଭୁଲି ହୋଇଯାଏ, ଆଉ ପୁଣି ମନେପନେ ମନ୍ଦିରରୁ ବାହାରିଲା ପରେ । ମନ୍ଦିରରୁ ବାହାରି ଆସିଥିଲି । ଚାରିଆଡ଼େ ଭିଡ଼ ଭକ୍ତଙ୍କର, ପ୍ରାୟ ଲୋକଙ୍କ ହାତରେ ଭୋଗ । ଭୋଗ ବାସ୍ନାରେ ମହମହ ହୋଇ ବାସିଯାଉଥାଏ ଖଣ୍ଡମଣ୍ଡଳ । ବାରମ୍ବାର ମନ ଚାହୁଁଥାଏ ହାତ ପାତି ଦେବାକୁ । କିନ୍ତୁ ଅଭିମାନ ଆସି ଓଗାଳୁଥାଏ ବାଟ, ତୁମ ଘରକୁ ଆସି, ସବୁ ଥର ମାଗି କରି ଖାଉଚି, ଥରଟିଏ ଯଦି ଯାଚି କରି ନଦେବ, ତେବେ ସେମିତି ଫେରିଯିବି । ଠିକ୍ ଏଇ ସମୟରେ ହେମନ୍ତ ଭାଇ ହାତରେ ମୁଠାଏ ଅବଢ଼ା ଧରି କହିଲେ "ନିଅ ଟିକେ ପାଇନିଅ’ । ମୁଁ ତାଙ୍କ ହାତରୁ ମହାପ୍ରସାଦ ଆଣି ପାଟିରେ ଦେଇ ମୁଣ୍ଡରେ ମାରିଲି । ସେ ସମୟର ଅନୁଭବ, ଦେହ ମନରେ ଅପୂର୍ବ ସେ ଯେଉଁ କମ୍ପନ, ତାକୁ ଭାଷାରେ ବର୍ଣ୍ଣନା କରିବା ପାଇଁ ମୋର ବା ଶକ୍ତି କାହିଁ! ଏଇ ସମୟରେ ଆଉ ଏକ ଚାଲିପାରୁନଥିବା, ଗୋଡ଼ ଘୋଷାରି ଘୋଷାରି ଯାଉଥିବା ବୃଦ୍ଧା ମାତାଙ୍କୁ ହାତଧରି ତାଙ୍କ ପୁଅ ଆମ ଆଗରେ ନେଇକରି ଗଲେ । ଭାବୁଥିଲି- ନଟ ନାଗରର ଇଏ କି ଲୀଳା! ଦୁଃଖ ବି ଦେବ, ଦୁଃଖହାରୀ ହୋଇ କୋଳେଇ ବି ନେବ!