ମାଲକାନଗିରି, ୧୧/୩ : ବଡଯାତ୍ରାର କାନମରାଜ, ବାଲରାଜ ତନି ଠାକୁର ଓ ମା’ ମୁତ୍ୟାଲୁମା ମାଲକାନଗିରି ସହରରେ ୪ଦିନ ରହିଥିଲେ। ଏହା ପରେ ମାଉଲି ମା’ ମନ୍ଦିର ସିଂହ ଦ୍ୱାର ପୀଠ ରେ ମଙ୍ଗଳବାର ଶେଷ ଭୋଗ ପାଇବା ପରେ ଯାତ୍ରା ଶେଷ ହୋଇଛି। ମଙ୍ଗଳବାର ରାତିରେ ବଡ଼ଯାତ୍ରା ଠାକୁର କାନମରାଜ, ପୋତରାଜ, ବାଲରାଜ ଓ ମୁତ୍ୟାଲୁମାଙ୍କୁ ପୂଜାରୀ , ଦିଶାରୀମାନେ ତାଙ୍କର ଜନ୍ମ ପୀଠ ମାନ୍ୟମକୋଣ୍ଡା ଅଭିମୁଖେ ନେଇଛନ୍ତି।
ମାଉଲି ମା’ ମନ୍ଦିର ମୁଖ୍ୟପୀଠକୁ ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା’ ମୁତ୍ୟାଲୁମାଙ୍କୁ ସୁସଜ୍ଜିତ ବିମାନରେ ପୁଜାରୀମାନେ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ବିମାନ, ଲାଠି ଧରି ଶୋଭାଯାତ୍ରାରେ ରବିବାର ରାତିରେ ନେଇ ମୁଖ୍ୟପୁଜା ମଣ୍ଡ ମାଉଲିମା ମନ୍ଦିର ପୀଠ ନିକଟରେ ପହଞ୍ଚାଇଥିଲେ । ଏହି ଶୋଭା ଯାତ୍ରାରେ କାଳସୀ ନାଟ ସାଙ୍ଗକୁ ପାରମ୍ପାରିକ କୋୟା ଆଦିବାସୀ ନୃତ୍ୟ, ଢେମସା ନାଚ, କାଳସି ନାଟ,ବାଘନୃତ୍ୟ, ଆନ୍ଧ୍ର ପ୍ରଦେଶର ପୌରାଣିକ ନୃତ୍ୟ ଦଳ ଭାଗ ନେଇଥିଲେ । ତିନିଦିନ ଧରି ମାଉଲି ମା’ ପୀଠ ରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଆନ୍ଧ୍ର ଓଡିଶା,ଛତିଶଗଡ, ତେଲାଙ୍ଗାନା ରାଜ୍ୟରୁ ଆସି ଠାକୁର ଦର୍ଶନ କରିଥିଲେ ।
ଏହି ବଡ ଯାତ୍ରା ପ୍ରତି ଦୁଇବର୍ଷର ଥରେ ଦୋଳପୁର୍ଣ୍ଣିମାରେ ହୋଇଥାଏ। ବଡ ଯାତ୍ରା ସମୟରେ ମାଲକାନଗିରି ସହରବାସୀ ହୋଲି ରଙ୍ଗ ନ ଖେଳି ଠାକୁରଙ୍କ ନିକଟରେ ଭୋଗ ଲଗାଇ ନିଜ ନିଜ ମାନସିକ କରିଥାନ୍ତି ।