ବୈଜୟନ୍ତଙ୍କୁ ବିଜେପି ଜାତୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ

ଭୁବନେଶ୍ୱର,୮ା୩(ବ୍ୟୁରୋ): ନୂଆ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ଦଳର ଜାତୀୟ ଉପସଭାପତି ପଦବୀ ସହ ତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛି ବିଜେପି । ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଅନୁମୋଦନ କ୍ରମେ ବୈଜୟନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ରାଜ୍ୟ ପ୍ରଭାରୀ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ସୂଚନା ଦେଇଛନ୍ତି । ଏହି ଦାୟିତ୍ୱ ମିଳିବା ପରେ ଦଳର ଜାତୀୟ ସଭାପତି ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ । ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି, ଦଳର ସଫଳତା ବଜାୟ ରଖିବାକୁ ସେ ନିଷ୍ଠାର ସହ କାମ କରିବେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଭାରତ ଗଠନ ପାଇଁ ଉଦ୍ୟମ ଜାରି ରଖିବେ ।
ସୂଚନାଯୋଗ୍ୟ, ବିଜେଡିରୁ ବିଦା ହେବା ପରେ ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ଟାଣି ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ ।