‘ବୈଜୟନ୍ତଙ୍କ କଳାଧନ’ ପ୍ରସଙ୍ଗ: ଅଭିଯୋଗ ସତ୍ତେ୍ୱ ତଦନ୍ତ ଏଜେନ୍ସି ଚୁପ୍

source:www.thehindu.com
ଭୁବନେଶ୍ୱର,୭ା୩(ବ୍ୟୁରୋ): ପୂର୍ବତନ ବିଜେଡି ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଓ ତାଙ୍କ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ୍ ବାହାମସ୍ର ସେଲ୍ କମ୍ପାନି ଜରିଆରେ କଳାଧନ ହେରଫେର୍ ଓ ଟିକସ ଫାଙ୍କିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ), ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କଳାଧନ ଏସ୍ଆଇଟି ନିକଟରେ ଅଭିଯୋଗ କରାଯାଇଛି । କିନ୍ତୁ ଅଭିଯୋଗ କରାଯିବାର ୪୨ ଦିନ ବିତଥିଲେ ମଧ୍ୟ ସବୁ ତଦନ୍ତ ଏଜେନ୍ସି ହାତବାନ୍ଧି ଚୁପ୍ ବସିଛନ୍ତି ।
ସୂଚନା ଅଧିକାର କର୍ମୀ ତଥା ଅନୁସନ୍ଧାନକାରୀ ସାମ୍ବାଦିକ ଭୁପେନ ସିଂହ ପଟେଲ ଆଜି ଓଡ଼ିଶା ଗସ୍ତରେ ଆସି ଏଭଳି ଅଭିଯୋଗ ବାଢ଼ିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାହାମସ୍ରେ ଭାରତୀୟଙ୍କର ୧୩ ଲକ୍ଷ ସେଲ୍ କମ୍ପାନିରେ କଳାଧନ ଥିବା ନେଇ ୨୦୧୬ରେ ଆଇସିଆଇଜେ ଖୁଲାସା କରିଥିଲା । ଏହାପରେ ସେ ଓ ତାଙ୍କ ଟିମ୍ ଗତ ଦେଢ଼ ବର୍ଷ ହେଲା ବାହାମସ୍ରେ ଥିବା ସେଲ୍ କମ୍ପାନି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିଲେ । ଏ ଅବସରରେ ସେମାନେ ଫିନ୍ଲେ କର୍ପୋରେସନ, ପିକିକା ଲିମିଟେଡ୍ ଓ ମେସିନା କର୍ପୋରେସନ ଭଳି ୩ଟି ସେଲ୍ କମ୍ପାନିର ସନ୍ଧାନ ପାଇଛନ୍ତି ଯାହାକି ଓଡ଼ିଶାର ବିଶିଷ୍ଟ ରାଜନେତା ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ ସହ ଜଡ଼ିତ । ଏହି କମ୍ପାନିଗୁଡ଼ିକ କେବଳ କାଗଜ କଲମରେ ଚାଲିଥିଲା । ଓଟିଭିର ନିର୍ଦ୍ଦେଶିକା ମଞ୍ଜୁଳା ଦେବୀ ଶ୍ରଫ୍ ଫିନ୍ଲେ କାର୍ପୋରେସନ ନାମକ ସେଲ୍ କମ୍ପାନିର ପାୱର ଅଫ୍ ଆଟର୍ଣ୍ଣି ଥିଲେ । ତାଙ୍କ ଜରିଆରେ ଭାରତୀୟ ଆଇନ ଆଖିରେ ଅଙ୍ଗୁଠି ଗେଞ୍ଜି ବହୁ ପରିମାଣର କଳାଧନ ବିଦେଶରୁ ଓଡ଼ିଶାକୁ ଆସିଛି । ପ୍ରାୟ ୧୭.୭୨ କୋଟି ଟଙ୍କା ସେମାନଙ୍କ ସହ ଜଡ଼ିତ କମ୍ପାନି ଅରଟେଲ୍ କମ୍ୟୁନିକେସନ, ମେଟ୍ରୋ ସ୍କାଏନେଟ୍, ଓଟିଭି ଓ ଏମ୍ଏସ୍ ଟେଲିକମ୍ରେ ନିବେଶ ହୋଇଛି ବୋଲି ଶ୍ରୀ ପଟେଲ ଅଭିଯୋଗ କରିଛନ୍ତି ।
ଏ ପ୍ରସଙ୍ଗରେ ଜାନୁଆରୀ ୨୪ରେ ସେ ପିଏମ୍ଓ, ଇଡି, ସିବିଆଇ, କଳାଧନ ଏସ୍ଆଇଟି, ମାଗ୍ ନିକଟରେ ଅଭିଯୋଗ କରିଛନ୍ତି । ୮ ପୃଷ୍ଠାର ଏ ଅଭିଯୋଗ ସହ ଶ୍ରୀ ପଣ୍ଡା, ଶ୍ରୀମତୀ ପଣ୍ଡା ଓ ମଞ୍ଜୁଳା ଦେବୀଙ୍କ ବିରୋଧରେ ୨୦୦ ପୃଷ୍ଠାର ପ୍ରମାଣ ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ଏହା ସତ୍ତେ୍ୱ ତଦନ୍ତ ଏଜେନ୍ସିଗୁଡ଼ିକ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଶ୍ରୀ ପଟେଲ ଅଭିଯୋଗ କରିଛନ୍ତି ।
ସୂଚନା ଥାଉକି, ନିକଟରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅର୍ଥ ଠକେଇ ଓ ଟିକସ ଫାଙ୍କି ଅଭିଯୋଗ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଅଭିଯୋଗ ବୈଜୟନ୍ତଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।