PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆୟକର ଜାଲରେ ବୈଜୟନ୍ତ

ନୂଆଦିଲ୍ଲୀ,୮ା୨(ଏଜେନ୍ସି): ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଛି ଅର୍ଥ ଠକେଇ ଓ ଟିକସ ଫାଙ୍କିବା ଭଳି ସଙ୍ଗିନ୍‌ ଅଭିଯୋଗ । ବାହାମସ୍‌ର ୩ଟି ସେଲ୍‌ ବା ଭୂତ କମ୍ପାନି ମାଧ୍ୟମରେ ବୈଜୟନ୍ତ ବିଦେଶରୁ ୧୭.୭୨ କୋଟି ଟଙ୍କା ଆଣିଥିଲେ । ଏ ବାବଦରେ ସେ କୌଣସି ଟିକସ ପ୍ରଦାନ ନକରି ସିଧାସଳଖ ଭାବେ ଲାଭବାନ ହୋଇଥିଲେ । ଆଗକୁ ନିର୍ବାଚନ ଥିବାବେଳେ ଜାତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟ ବୈଜୟନ୍ତଙ୍କ ଅଡୁଆ ବଢ଼ାଇ ଦେଇଛି । ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଆୟକର ବିଭାଗ ନିକଟରେ ବୈଜୟନ୍ତ ଓ ତାଙ୍କ ପରିବାର ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି । କିନ୍ତୁ ଅଭିଯୋଗକାରୀଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଅଭିଯୋଗ ମୁତାବକ ଏହି ଆର୍ଥିକ ହେରଫେର ଘଟଣାରେ ବୈଜୟନ୍ତଙ୍କ ସମେତ ତାଙ୍କ ପତ୍ନୀ ଜାଗୀ ମଙ୍ଗତ୍‌ ପଣ୍ଡା ଏବଂ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ୍‌ ସମ୍ପୃକ୍ତ ଅଛନ୍ତି । ମଞ୍ଜୁଳା ଦେବୀଙ୍କ ବିଭିନ୍ନ କମ୍ପାନି ଏବଂ ବାହାମସ୍‌ର ୩ଟି ଭୂତ କମ୍ପାନି ମଧ୍ୟରେ ଏଭଳି କାରବାର କରାଯାଇଛି ଓ ଶେଷରେ ଏହାର ଫାଇଦା ବୈଜୟନ୍ତ ନେଇଛନ୍ତି ।
ରିପୋର୍ଟ ଅନୁସାରେ, ବୈଜୟନ୍ତ ଓ ପରିବାର ବାହାମସ୍‌ର ୩ଟି ଭୂତ କମ୍ପାନି ଯଥା ଫିନ୍‌ଲେ, ମେସିନା ଏବଂ ପିକିକା ଜରିଆରେ ଆର୍ଥିକ ଠକେଇ କରିଛନ୍ତି । ବାହାମସ୍‌ ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌ରେ ଉପଲବ୍ଧ ତଥ୍ୟ ମୁତାବକ ଫିନ୍‌ଲେ, ମେସିନା ଓ ପିକିକା ଯଥାକ୍ରମେ ୧୯୯୩ ଜୁନ୍‌, ୧୯୯୫ ଜାନୁଆରୀ ଏବଂ ୨୦୦୩ ମାର୍ଚ୍ଚରେ ସ୍ଥାପନ କରାଯାଇଥିଲା । ଏହି କମ୍ପାନିଗୁଡ଼ିକର ପାୱାର ଅଫ୍‌ ଆଟର୍ଣ୍ଣି ମଞ୍ଜୁଳା ଦେବୀଙ୍କ ନିକଟରେ ଥିଲା । ଏହାଛଡ଼ା ଗୁଜରାଟରେ ବିଦ୍ୟାଳୟ ପରିଚାଳନା କରୁଥିବା କାଲୋରେକ୍ସ ଗ୍ରୁପ୍‌ର ସିଇଓ ଥିବା ମଞ୍ଜୁଳା ଦେବୀ କିଶନଗଡ଼ ଏନ୍‌ଭର୍ଣ୍ଣମେଣ୍ଟାଲ୍‌ ଡେଭଲପ୍‌ମେଣ୍ଟ ଆକ୍ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଓଡ଼ିଶା ଟେଲିଭିଜନ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ମଧ୍ୟ ରହିଥିଲେ ।
୧୯୯୫ରୁ ୨୦୦୭ ମଧ୍ୟରେ ବାହାମସ୍‌ର ଉକ୍ତ ୩ଟି ଭୂତ କମ୍ପାନି ଯଥା ଫିନ୍‌ଲେ, ମେସିନା ଏବଂ ପିକିକା ସିଧାସଳଖ ଭାବେ ନିଜ ଭାରତୀୟ ସହଯୋଗୀ କମ୍ପାନି ଏମ୍‌ଏସ୍‌ ଟେଲିକମ୍‌ ଲିମିଟେଡ୍‌ ଓ କାଲୋରେକ୍ସ ହୋଲ୍‌ଡିଂସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ୧୭.୭୨ କୋଟି ଟଙ୍କା ନିବେଶ କରିଥିଲେ । ଉଭୟ ଏମ୍‌ଏସ୍‌ ଟେଲିକମ୍‌ ଓ କାଲୋରେକ୍ସରେ ନିର୍ଦ୍ଦେଶକ ରହିଛନ୍ତି ମଞ୍ଜୁଳା ଦେବୀ ।
ବାହାମସ୍‌ର ଉକ୍ତ ୩ଟି କମ୍ପାନି ସେମାନଙ୍କ ଭାରତୀୟ ସହଯୋଗୀଙ୍କ ଜରିଆରେ ଓର୍‌ଟେଲ୍‌ କମ୍ୟୁନିକେସନ୍‌ରୁ ୯.୪୬ କୋଟି ଟଙ୍କାର ଇକ୍ୱିଟି ସେୟାର ହାସଲ କରିଥିଲେ । କିନ୍ତୁ ପଣ୍ଡା ପରିବାର ନିଜର ପଣ୍ଡା ଇନ୍‌ଭେଷ୍ଟମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ମେଟ୍ରୋ ସ୍କାଇନେଟ୍‌ ଲିମିଟେଡ୍‌ ଜରିଆରେ ସେହି ଇକ୍ୱିଟି ସେୟାରକୁ ୧.୬୮ କୋଟି ଟଙ୍କା ଦେଇ ହାସଲ କରିଥିଲେ । ଏହାଛଡ଼ା ଫିନ୍‌ଲେ ଦ୍ୱାରା ହାସଲ କରାଯାଇଥିବା ସମସ୍ତ ସେୟାରକୁ ୨୦୧୦ ଡିସେମ୍ବରରେ ଓଡ଼ିଶା ଟେଲିଭିଜନ୍‌ ଲିମିଟେଡ୍‌ (ଓଟିଭି)କୁ ଆବଣ୍ଟନ ହୋଇଥିଲା । ଓଟିଭିରେ ମଞ୍ଜୁଳା ଦେବୀ ଏବଂ ଜାଗୀ ମଙ୍ଗତ୍‌ ପଣ୍ଡା ନିର୍ଦ୍ଦେଶକ ରହିଛନ୍ତି ।
ଏଭଳି ବେଆଇନ କାରବାର ପରେ ବାହାମସ୍‌ର ଉକ୍ତ ୩ଟି ଭୂତ କମ୍ପାନି ବନ୍ଦ ହୋଇଯାଇଥିଲା । ୨୦୧୧ ଜୁଲାଇରେ ପିକିକା, ୨୦୧୩ରେ ମେସିନା ଏବଂ ୨୦୧୮ ମାର୍ଚ୍ଚରେ ଫିନ୍‌ଲେ ବନ୍ଦ ହୋଇଯାଇଥିଲା । ଫିନ୍‌ଲେର ୯୬.୧୩% ଅଂଶଧନ ଏବଂ ୨.୦୩ କୋଟି ଟଙ୍କାର ଋଣ ଏମ୍‌ଏସ୍‌ ଟେଲିକମ୍‌ର ୨୦୧୭-୧୮ର ବାର୍ଷିକ ରିଟର୍ଣ୍ଣରେ ଦେଖିବାକୁ ମିଳିଥିଲା ।
ଓର୍‌ଟେଲ୍‌ କମ୍ୟୁନିକେସନ୍ସ ଲିମିଟେଡ୍‌ ୧୯୯୫ରେ କେବଲ୍‌ ଟିଭି ବ୍ୟବସାୟରେ ପ୍ରବେଶ କରିଥିଲା । ଘରୋଇ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ଭାବେ ଏହା ୧୯୯୮ରେ ଆଇଏସ୍‌ପି ଲାଇସେନ୍ସ ହାସଲ କରିଥିଲା । ୨୦୧୫ରେ କମ୍ପାନିର ଆଇପିଓ ବିଫଳ ହୋଇଥିଲା ଏବଂ ସୋନି ପିକ୍‌ଚର୍ସ ନେଟ୍‌ୱର୍କ ଇଣ୍ଡିଆର ଅଭିଯୋଗକ୍ରମେ ୨୦୧୮ ନଭେମ୍ବରରେ ଓର୍‌ଟେଲ୍‌ ବିରୋଧରେ ଦେବାଳିଆ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ ନ୍ୟାସ୍‌ନାଲ୍‌ କମ୍ପାନି ଲ’ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଥିଲେ ।
ଓର୍‌ଟେଲ୍‌ କମ୍ୟୁନିକେସନ୍ସ ପକ୍ଷରୁ ବଜାର ନିୟାମକ ସେବି ନିକଟରେ ହୋଇଥିବା ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ ମୁତାବକ ବାହାମାସ୍‌ର ଭୂତ କମ୍ପାନି ଫିନ୍‌ଲେ ୧୯୯୫ରୁ ୨୦୦୭ ମଧ୍ୟରେ ଓର୍‌ଟେଲ୍‌ କମ୍ୟୁନିକେସନ୍ସରେ ୮ଟି କିସ୍ତିରେ ୯.୬୮ କୋଟି ଟଙ୍କା ନିବେଶ କରିଥିଲା । ଏହାଛଡ଼ା ୧୯୯୫ରୁ ମଞ୍ଜୁଳା ଦେବୀ ଶ୍ରଫ୍‌ ନିର୍ଦ୍ଦେଶକ ଥିବା କାଲୋରେକ୍ସ ହୋଲ୍‌ଡିଂସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ମଧ୍ୟ ୪.୩୩ କୋଟି ଟଙ୍କା ନିବେଶ କରିଥିଲା । ପ୍ରତିବଦଳରେ କାଲୋରେକ୍ସ ଓର୍‌ଟେଲ୍‌ରେ ୨.୮୨ କୋଟି ଟଙ୍କା ନିବେଶ କରିଥିଲା ।
ଏହାପରେ ମଞ୍ଜୁଳା ଦେବୀ ଉଭୟ ନିର୍ଦ୍ଦେଶକ ଓ ଅଂଶୀଦାର ଥିବା ଏମ୍‌ଏସ୍‌ ଟେଲିକମ୍‌ ଇନ୍‌ଭେଷ୍ଟମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଫିନ୍‌ଲେ ୫୫ ଲକ୍ଷ ଟଙ୍କା ନିବେଶ କରିଥିଲା ଏବଂ ୨.୦୩ କୋଟି ଟଙ୍କା ଋଣ ଦେଇଥିଲା । ବଦଳରେ ଏମ୍‌ଏସ୍‌ ଟେଲିକମ୍‌ ଓର୍‌ଟେଲ୍‌ରେ ୫୫ ଲକ୍ଷ ଟଙ୍କା ନିବେଶ କରିଥିଲା । ସେହିଭଳି ୩୯.୪୫ ଲକ୍ଷ ଟଙ୍କାରେ ଓର୍‌ଟେଲ୍‌ ସେୟାର ହାସଲ କରିଥିବା କାଲୋରେକ୍ସରେ ବାହାମସ୍‌ କମ୍ପାନି ମେସିନା ୫୦ ଲକ୍ଷ ଟଙ୍କା ନିବେଶ କରିଥିଲା । ପିକିକା ସିଧାସଳଖ ଭାବେ ଓର୍‌ଟେଲ୍‌ରେ ୬୨.୫ ଲକ୍ଷ ଟଙ୍କା ମୂଲ୍ୟର ସେୟାର କିଣିଥିଲା । ଏହିଭଳି ଭାବେ ବାହାମାସ୍‌ର ୩ଟି ଭୂତ କମ୍ପାନି ପଣ୍ଡା ପରିବାର ଓ ମଞ୍ଜୁଳା ଦେବୀ ଶ୍ରଫ୍‌ଙ୍କ କମ୍ପାନିଗୁଡ଼ିକରେ ମୋଟ ୧୭.୭୨ କୋଟି ଟଙ୍କା ଟେକିଦେଇଥିଲେ । ଫଳରେ ଏହି ଅର୍ଥ କାରବାର ବାବଦରେ ବୈଜୟନ୍ତ ପଣ୍ଡା କୌଣସି ଟିକସ ପ୍ରଦାନ କରିନଥିଲେ ।
ଓର୍‌ଟେଲ୍‌ର ୨୦୧୧ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ ଅନୁଯାୟୀ ୧୯୯୯ ସେପ୍ଟେମ୍ବରରେ ପଣ୍ଡା ଇନ୍‌ଭେଣ୍ଟମେଣ୍ଟ୍‌ସ କାଲୋରେକ୍ସର ସମସ୍ତ ୨୮,୧୮,୦୦୦ ଓର୍‌ଟେଲ୍‌ ସେୟାରକୁ (ସେୟାର ପିଛା ୨.୫୫ ଟଙ୍କା ମୂଲ୍ୟରେ) ପଣ୍ଡା ହାସଲ କରିନେଇଥିଲା । ସେହିଭଳି ୨୦୧୦ ମେ ମାସରେ ଏମ୍‌ଏସ୍‌ ଟେଲିକମ୍‌, କାଲୋରେକ୍ସ, ଫିନ୍‌ଲେ ଏବଂ ପିକିକାର ୪୮,୫୯,୫୧୨ ଓର୍‌ଟେଲ୍‌ ସେୟାରକୁ ମେଟ୍ରୋ ସ୍କାଇନେଟ୍‌ ସେୟାର ପିଛା ମାତ୍ର ୧.୯୫ ଟଙ୍କା ମୂଲ୍ୟରେ କିଣିନେଇଥିଲା । କିନ୍ତୁ ୨୦୧୦ ଏପ୍ରିଲ୍‌ରେ ପଣ୍ଡା ଏବଂ ତାଙ୍କ ଅଧୀନରେ ଥିବା କମ୍ପାନିଗୁଡ଼ିକ ତୃତୀୟ ପକ୍ଷଙ୍କ ଠାରୁ ସେୟାର ପିଛା ୭୯ ଟଙ୍କା ମୂଲ୍ୟରେ ଓର୍‌ଟେଲ୍‌ ସେୟାର ହାସଲ କରିଥିଲେ ।
ଏଠାରେ ଉଲ୍ଲେଖଥାଉ କି ୨୦୧୬ରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଏବଂ ଆଇସିଆଇଜେ (ଇଣ୍ଟରନ୍ୟାସ୍‌ନାଲ୍‌ କନ୍‌ସୋର୍ଟିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟସ) ଦ୍ୱାରା ୨୦୧୬ରେ ‘ବାହାମସ୍‌ ଲିକ୍ସ’ ନାମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ ଫିନ୍‌ଲେ କର୍ପୋରେସନ୍‌ ଲିମିଟେଡ୍‌, ମେସିନା କର୍ପୋରେସନ୍‌ ଲିମିଟେଡ୍‌ ଏବଂ ପିକିକା ଲିମିଟେଡ୍‌ ସ୍ଥାନ ପାଇଥିଲେ । ଏହି କମ୍ପାନିଗୁଡ଼ିକ ଅର୍ଥ ଠକେଇ ଓ ଟିକସଫାଙ୍କି ଭଳି ଘଟଣାରେ ଜଡ଼ିତ ଥିବା ଦର୍ଶାଯାଇଥିଲା ।

ନିର୍ବାଚନ ଆସିଲେ ଏମିତି ହୁଏ: ବୈଜୟନ୍ତ
ମୋ ବିରୋଧରେ ଏବଂ ମୋ ପରିବାର ବିରୋଧରେ ଆସିଥିବା ଏଭଳି ଅଭିଯୋଗ ଭିତ୍ତିହୀନ । ଆଗକୁ ନିର୍ବାଚନ ଥିବାରୁ ମୋତେ ବଦନାମ କରିବା ପାଇଁ ଚିରାଚରିତ ଭାବେ ଏଭଳି ପ୍ରୟାସ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଚକ୍ରାନ୍ତ କରାଯାଇଛି । କେଉଁ ବ୍ୟକ୍ତି ବା ସଂସ୍ଥା ଏହି ଅଭିଯୋଗ ଆଣିଛନ୍ତି, ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ । ତେବେ ବର୍ଷ ବର୍ଷ ଧରି ମୁଁ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି । ତା’ସତ୍ତେ୍ୱ ନିର୍ବାଚନ ପାଖେଇ ଆସୁଥିବାରୁ ପୁଣି ଏଭଳି ଅଭିଯୋଗ କରାଯାଉଛି ।
ପୂର୍ବ ଅଭିଯୋଗଗୁଡ଼ିକ ଭଳି ସଦ୍ୟ ଅଭିଯୋଗକୁ ମଧ୍ୟ ମୁଁ ଦୃଢ଼ତାର ସହ ଖଣ୍ଡନ କରୁଛି । ୬୦ ବର୍ଷର ଉତ୍ତମ ଟ୍ରାକ୍‌ ରେକର୍ଡ ରଖିଥିବା ରାଜ୍ୟର ଏକ ବ୍ୟବସାୟିକ ପରିବାରରୁ ମୁଁ ଆସିଛି । ଆମ କମ୍ପାନିଗୁଡ଼ିକ ଭାରତରେ ହଜାର ହଜାର ଲୋକଙ୍କୁ ଚାକିରି ଦେଇଥିବା ବେଳେ ଆଇନର କ୍ଷେତ୍ରାଧିକାରରେ ରହି ଆର୍ଥିକ କାରବାର କରିଛନ୍ତି । ସେହି କମ୍ପାନିଗୁଡ଼ିକ ମଧ୍ୟରୁ ଓର୍‌ଟେଲ୍‌ ଅନ୍ୟତମ । ୧୯୯୦ ଦଶକରେ ରାଜ୍ୟର ପ୍ରଥମ ଘରୋଇ କମ୍ପାନି ଭାବେ ଏହା ଆଇଏସ୍‌ପି ଲାଇସେନ୍ସ ହାସଲ କରିଥିଲା । ଇ-ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କୁ ଜବାବ ଦେଇ ବୈଜୟନ୍ତ ଆହୁରି କହିଛନ୍ତି ଯେ ଏହି ସଦ୍ୟତମ ଅଭିଯୋଗରେ ଯେଉଁ କାରବାର ବିଷୟରେ ଉଲ୍ଲେଖ କରାଯାଇଛି, ତାହା ଦୁଇ ଦଶନ୍ଧି ପୁରୁଣା । ଉକ୍ତ କାରବାରଗୁଡ଼ିକ ସମସ୍ତ ନିୟାମକ ମଞ୍ଜୁରି ହାସଲ କରିଥିଲା । ତା’ଛଡ଼ା ସେୟାର ମୂଲ୍ୟ ବାବଦରେ ଯେଉଁ ଅଭିଯୋଗ ଅଣାଯାଇଛି, ତାହା ଯୁକ୍ତିଯୁକ୍ତ ନୁହେଁ । କାରଣ ବଜାରରେ ଅସ୍ଥିରତା ଲାଗିରହିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏମିତି ଗୋଟିଏ ବର୍ଷରେ ମଧ୍ୟ କମ୍ପାନିର ସେୟାର ମୂଲ୍ୟରେ ବଡ଼ଧରଣର ଅସ୍ଥିରତା ଦେଖିବାକୁ ମିଳିଥିଲା ।