PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବିଶ୍ୱ ବ୍ୟାଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବେ ବୈଶାଳୀ,ଜାତିସଂଘରେ ନୀତି ଅଧିକାରୀ ଭାବେ କରୁଛନ୍ତି କାମ

ପୁରୀ,୨୨/୦୩: ବିଶ୍ୱ ବ୍ୟାଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବାକୁ ପୁରୀ ଝିଅ ବୈଶାଳୀ ମହାନ୍ତିଙ୍କୁ ନିମନ୍ତ୍ରଣ ହୋଇଛି । ଆସନ୍ତା ଏପ୍ରିଲ ୧୦ରୁ ୧୬ ଯାଏ ଆମେରିକାର ୱାସିଂଟନ ଡିସିରେ ଥିବା ବିଶ୍ୱବ୍ୟାଙ୍କର ମୁଖ୍ୟାଳୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଜାତିସଂଘର ସଦସ୍ୟ ଥିବା ରାଷ୍ଟ୍ରର ଅର୍ଥମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶର ରିଜର୍ଭ ବ୍ୟାଙ୍କ ମୁଖ୍ୟ ଯୋଗ ଦେବେ ।

ବୈଶାଳୀ ଏବେ ମିଳିତ ଜାତିସଂଘର ବରିଷ୍ଠ ନୀତି ଅଧିକାରୀ ଭାବେ କାମ କରୁଛନ୍ତି । ଜାତିସଂଘ ମୁଖ୍ୟାଳୟରେ ‘ପିସ୍‌ ଆଣ୍ଡ କନ୍‌ଫ୍ଲିକ୍ଟ ରିଜୋଲ୍ୟୁସନ’ ଟିମ୍‌ର ସେ ନେତୃତ୍ୱ ନେଉଛନ୍ତି । ଜାତିସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମିଶନରେ ସେ ନିଜର କୃତିତ୍ୱ ଦେଖାଇଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା ଯୋଗୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବାକୁ ତାଙ୍କୁ ଚୟନ କରାଯାଇଛି । ୨୦୨୨ରେ ଓଡ଼ିଶା ସରକାର ବୈଶାଳୀଙ୍କୁ ରୋମାନିଆର ସ୍ୱତନ୍ତ୍ର ଦୂତ ଭାବେ ନିଯୁକ୍ତ କରିଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏହାକୁ ସେ ଅତି ଦକ୍ଷତାର ସହ ପରିଚାଳନା କରିଥିଲେ ।

ବୈଶାଳୀ ତାଙ୍କର ପ୍ରାଥମିକ ଶିକ୍ଷା ପୁରୀର ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲରୁ ସାରିଥିଲେ । ପରେ ଦିଲ୍ଲୀର ପ୍ରସିଦ୍ଧ ଲେଡି ଶ୍ରୀରାମ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥଲେ । ବୈଶାଳୀ ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରି ୨୦୧୬ରେ ବେଷ୍ଟ ଗ୍ରାଜୁଏଟ ଭାବେ ‘ହାଇ ପ୍ରୋଫାଇଲ ଆଚିଭ୍‌ମେଣ୍ଟ ଆୱାର୍ଡ’ ପାଇଥିଲେ । ୨୦୧୭ରେ ବୈଶାଳୀ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସିଭିଲ ସେବା ପାଇଁ ମନୋନୀତ ହୋଇଥିଲେ । ପରେ ୨୦୨୦ରେ ସେ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ।

ମାତ୍ର ୨୭ ବର୍ଷ ବୟସରୁ ବୈଶାଳୀଙ୍କୁ ବିଶ୍ୱ ବ୍ୟାଙ୍କ୍‌ ସମ୍ମିଳନୀରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇ ଥିବାରୁ ତାଙ୍କ ପରିବାର ଓ ବନ୍ଧୁ ମହଲରେ ଆନନ୍ଦର ଲହରି ଖେଳି ଯାଇଛି । ବୈଶାଳୀଙ୍କ ମା’ ମାନସୀ ପ୍ରଧାନ ପୂର୍ବତନ ଜାତୀୟ ମହିଳା କମିଶନ ସଦସ୍ୟା ହୋଇଥିବା ବେଳେ ବାପା ବିନୋଦ ମହାନ୍ତି ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ । ବୈଶାଳୀଙ୍କ ସଫଳତାକୁ ନେଇ ପୁରୀବାସୀ ଗର୍ବ ଅନୁଭବ କରୁଛନ୍ତି ।