ବଜ୍ରପାତ ଘଟି ଜଳିଗଲା ୫ ବଖରା ଘର, ୩ ଗୁରୁତର

କୁଜଙ୍ଗ, ୨୭/୦୫ : ବଜ୍ରପାତ ଘଟି ଜଳିଗଲା ୫ ବଖରା ଘର। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଚଣ୍ଡ ବଜ୍ରପାତ ଯୋଗୁ ଜିଲ୍ଲାନାସି ପଞ୍ଚାୟତ ବରିହାଡ଼ିଆ ଗ୍ରାମର ରାଧେଶ୍ୟାମ ପରିଡ଼ା, ମଥୁରି ପରିଡ଼ା, ଗୌର ପରିଡ଼ାଙ୍କ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ୫ ବଖରା ଘରେ ନିଆଁ ଲାଗି ଯାଇଥିଲା। ଘରେ ଥିବା ଲିଟୁନା ପରିଡ଼ା, ବୁଟୁ ପରିଡ଼ା, ଲତିକା ପରିଡ଼ା ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ହେଲେ ନିଆଁକୁ ଆୟତ୍ତ କରି ପାରିନଥିଲେ । କିଛି ସମୟ ମଧ୍ୟରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ସେତେବେଳକୁ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିଲା। ଘରେ ଥିବା ସମସ୍ତ ଆସବାବପତ୍ର ଫ୍ରିଜ୍, ଗଡ଼ରେଜ୍, ଧାନ, ମୁଗ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜଳି ଯାଇଛି। ଖବର ପାଇ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଚରଣ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅଭୟ ପରିଡ଼ା ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି।