ବାକିରେ ସିଗାରେଟ୍ ମାଗିବାରୁ ଗଡ଼ିଲା ମୁଣ୍ଡ, ଯୁବକକୁ ଛୁରୀ ଭୁସି ହତ୍ୟା କଲେ ଚା’ ଦୋକାନ

ଅନୁଗୁଳ,୨୪/୦୫: ବାକିରେ ସିଗାରେଟ୍ ମାଗିବାରୁ ପ୍ରଥମେ ବଚସା । ପରେ ଗଣ୍ଡଗୋଳରୁ ଯୁବକକୁ ଛୁରି ଭୁସି ହତ୍ୟା । ଏମିତି ଘଟଣା ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା ନୂଆସାହି ଗ୍ରାମରେ ଆଲୋଡ଼ନ ଖେଳାଇ ଦେଇଛି । ମୃତକ ନୂଆସାହି ଗ୍ରାମର ଇନ୍ଦ୍ରମଣି ସାହୁଙ୍କ ପୁଅ ଲିଟୁ ଓରଫ୍ ଲଳିତ ସାହୁ(୨୮) । ପୁଲିସ୍ ଏହି ଘଟଣାରେ ନୂଆସାହି ଗ୍ରାମର ବିଜୟ ସାହୁ(୫୦) ଓ ତାଙ୍କ ଦୁଇ ପୁଅ ଦୁଷ୍ମନ୍ତ ସାହୁ(୨୦) ଓ ପିଣ୍ଟୁ ସାହୁ(୨୨)ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ମୃତଦେହ ଶବଗୃହରେ ସଂରକ୍ଷିତ ଥିବା ଜଣାପଡ଼ିଛି ।

ପୁଲିସ୍ ସୂଚନା ମୁତାବକ, କାଙ୍ଗୁଲା-ବେନ୍ତପୁର ପଞ୍ଚାୟତର ନୂଆସାହି ଗାଁ ମୁଣ୍ଡରେ ବିଜୟ ସାହୁଙ୍କ ଭିନ୍ନକ୍ଷମ ପୁଅ ଦୁଷ୍ମନ୍ତଙ୍କ ଏକ ଚା’ ଦୋକାନ ରହିଛି । ଏହି ଚା’ ଦୋକାନରୁ ଯାହା ରୋଜଗାର ହୁଏ ତାଙ୍କ ପରିବାର ଚଳେ । ମୃତ ଲିଟୁ ପୂର୍ବରୁ ତାଙ୍କ ଦୋକାନରୁ ବହୁବାର ସିଗାରେଟ୍, ଚା’ ଆଦି ପିଇ ଟଙ୍କା ଦେଉନଥିଲେ । ବାକି ଟଙ୍କା ମାଗିଲେ ଓଲଟା ଗାଳିଗୁଲଜ କରୁଥିଲେ । ସେ ଖଳପ୍ରକୃତିର ହୋଇଥିବାରୁ ଦୁଷ୍ମନ୍ତ ଡରିମରି ଦେଉଥିଲେ ବୋଲି କୁହାଯାଉଛି । ରବିବାର ସନ୍ଧ୍ୟାରେ ଦୁଷ୍ମନ୍ତଙ୍କଠାରୁ ସିଗାରେଟ୍ ଟାଣିଥିଲେ ଲିଟୁ । ପରେ ସିଗାରେଟ ବାବଦକୁ ଟଙ୍କା ନଦେଇ ପଳାଇ ଯାଇଥିଲେ । ସୋମବାର ମଧ୍ୟାହ୍ନରେ ତାଙ୍କ ଦୋକାନରେ ପୁନର୍ବାର ପହଞ୍ଚିଥିଲେ ଲିଟୁ । ତାଙ୍କୁ ସିଗାରେଟ୍ ମାଗିଥିଲେ । ପୂର୍ବ ବାକି ଟଙ୍କା ନଦେଲେ ସିଗାରେଟ୍ ଦେବେ ନାହିଁ ବୋଲି ଦୁଷ୍ମନ୍ତ ରୋକ୍ଠୋକ୍ ଶୁଣାଇଥିଲେ । ଏଥିରେ ଲିଟୁ ରାଗି ଯାଇ ଦୁଷ୍ମନ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପିଟାମରା କରିଥିଲେ ।
ଦୁଷ୍ମନ୍ତ ଘରକୁ ଯାଇ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଦୁଷ୍ମନ୍ତଙ୍କୁ ମାରପିଟ୍ କରିଥିବା ଜାଣିବା ପରେ ତାଙ୍କ ବାପା ଓ ବଡ଼ ଭାଇ ପିଣ୍ଟୁ ସିଧା ଲିଟୁଙ୍କ ଘରେ ପହଞ୍ଚି ପଚରାଉଚୁରା କରିଥିଲେ । ହେଲେ ଭୁଲ୍ ମାନିବା ବଦଳରେ ଲିଟୁ ସେଠାରେ ଭିନ୍ନକ୍ଷମ ଦୁଷ୍ମନ୍ତଙ୍କ ଉପରକୁ ପୁଣି ହାତ ଉଠାଇଥିଲେ । ଏଥିରେ ରାଗି ଯାଇ ଦୁଷ୍ମନ୍ତଙ୍କ ପରିବାର ଲୋକ ଲିଟୁକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଦୁଷ୍ମନ୍ତଙ୍କ ସାନ ଭାଇ ପିଣ୍ଟୁ ପକେଟ୍ରେ ଧରି ଯାଇଥିବା ଏକ ଛୁରି ଲିଟୁଙ୍କ ବେକରେ ଭୁସି ଦେଇଥିଲେ । ପ୍ରବଳ ରକ୍ତସ୍ରାବ ସହ ଲିଟୁ ତଳେ ପଡ଼ିଯାଇଥିବା ବେଳେ ଦୁଷ୍ମନ୍ତଙ୍କ ପରିବାର ଲୋକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ।
ମା’ ସାମ୍ନାରେ ପୁଅ ଲିଟୁକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲେ ମଧ୍ୟ ସେ ପୁଅକୁ ରକ୍ଷା କରିପାରିନଥିଲେ । ରକ୍ତ ଜୁଡୁବୁଡୁ ଲିଟୁକୁ ଉଦ୍ଧାର କରି କୌଣସି ଗାଡ଼ି ନମିଳିବାରୁ ଡାଲା ଅଟୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଲିଟୁଙ୍କ ଭାଇ ସଞ୍ଜୟ କୁମାର ସାହୁ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ହତ୍ୟା ମକଦ୍ଦମା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ୍ ୩ ଅଭିଯୁକ୍ତ ବିଜୟ ସାହୁ ଓ ତାଙ୍କ ଦୁଇ ପୁଅ ଦୁଷ୍ମନ୍ତ ଏବଂ ପିଣ୍ଟୁଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତ ଘଟଣାର ତଦନ୍ତ କରୁଛନ୍ତି ।