ବଲାଙ୍ଗିର,୧୫/୦୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ପୁଲିସ୍‌  ଗତ ସପ୍ତାହକ ତଳେ ବେଆଇନ  ଚାଲାଣ ଅଭିଯୋଗରେ ସାଢ଼େ ୬  ଟନ୍‌ ବିସ୍ପୋରକ ଜବତ କରିଥିଲା ।  ଏବେ ଉକ୍ତ ମାମଲାରେ ବଲାଙ୍ଗିର  ଲିଙ୍କ୍‌ ବାହାରିଛି । ସବୁତକ ବିସ୍ଫୋରକ  ବେଲପଡ଼ା ଥାନା କର୍ଲାବାହାଲିସ୍ଥିତ  ଏକ୍ସପ୍ଲୋସିଭ ମେଗ୍‌ଜିନ (ବାରୁଦ  ଗୋଦାମ) କଳିଙ୍ଗ ଆଣ୍ଡ କମ୍ପାନିରୁ ଯାଇଥିଲା । ଏହି ମାମଲାରେ  ଜୟପାଟଣା କ୍ରସର ମାଲିକଙ୍କ ସମେତ ୫ଜଣଙ୍କୁ ପୁଲିସ୍‌ ଗିରଫ କରିଛି ।  ହେଲେ କମ୍ପାନିର ଅକ୍ୟୁପାୟର  ପାର୍ଟନର ଅନୁପ ଅଗ୍ରୱାଲ ଏବଂ  ଦୀପକ ଚନ୍ଦ ଜୈନ ଫେରାର ଅଛନ୍ତି । ଷ୍ଟକ ଅନିୟମିତତା ଏବଂ ଚାଲାଣ  ଅନୁମତି ଉଲ୍ଲଂଘନ ଅଭିଯୋଗରେ  କମ୍ପାନି ବିରୋଧରେ ମାମଲା ରୁଜୁ ହୋଇଛି । ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି । 

ସୂଚନାଯୋଗ୍ୟ, ଗତ ୫ତାରିଖରେ ଜୟପାଟଣା  ପୁଲିସ ଜଗନ୍ନାଥ କ୍ରସରରୁ ଦୁଇଟି ଚାରିଚକିଆରେ  ଥିବା ସାଢ଼େ ୬ଟନ ବିସ୍ଫୋରକ ଜବତ କରିଥିଲା ।  ବେଆଇନ ବିସ୍ଫୋରକ ଗଚ୍ଛିତ ଅଭିଯୋଗରେ  ପୁଲିସ କ୍ରସର ମ୍ୟାନେଜର ଜଗନ୍ନାଥ ତିୱାରୀ, ଟ୍ରକ  ଡ୍ରାଇଭର ରଞ୍ଜନ କ୍ଷିତି, ପିକ୍‌ଅପ ଡ୍ରାଇଭର ଧର୍ମୁ  ପୋଢ଼ ଏବଂ ଅରୁଣ କୁମାରକୁ ଗିରଫ କରିଥିଲା ।  ଫେରାର କ୍ରସର ମାଲିକ ବିକ୍ରମ ଗୁପ୍ତାକୁ ଗତ  ଶୁକ୍ରବାର କଳାହାଣ୍ଡି ପୁଲିସ୍‌ ବିଶାଖାପାଟଣାରୁ  ଗିରଫ କରିଥିଲା । ହେଲେ ବିସ୍ଫୋରକ ଯାଇଥିବା  ଗୋଦାମ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି । 

ଏପରିକି  ପୁଲିସ୍‌ ସନ୍ଦିଗ୍ଧ କଳିଙ୍ଗ ଆଣ୍ଡ କମ୍ପାନିର  କର୍ଲାବାହାଲିସ୍ଥିତ ଗୋଦାମ୍‌ର ଷ୍ଟକ ଏପର୍ଯ୍ୟନ୍ତ  ଯାଞ୍ଚ କରି ନ ଥିବା ଜଣାପଡ଼ିଛି । କାରଣ ସମ୍ପୃକ୍ତ  କମ୍ପାନିକୁ ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ  ସେଫ୍ଟି ଅର୍ଗାନାଇଜେସନ (ପିଇଏସଓ) ରୁଲ୍ସ  ଅନୁଯାୟୀ ମିଳିଥିବା ଅନୁମତି ଅନୁଯାୟୀ କ୍ଲାସ-୨ ନାଇଟ୍ରେଡ ମିକ୍ସଚର (ବିସ୍ଫୋରକ) ୯ ଟନ,  କ୍ଲାସ-୬ ସେଫ୍ଟି ଫ୍ୟୁଜ ୨୦ହଜାର ମିଟର, କ୍ଲାସ-୬ ଡିଟୋନେଟିଂ ଫ୍ୟୁଜ ୫ହଜାର ମିଟର ଏବଂ  କ୍ଲାସ-୬ର ଡିଟୋନେଟର ୪୪ ହଜାର ଖଣ୍ଡ  ଏକାଥରକେ ମହଜୁଦ ରଖିପାରିବେ । ଜୟପାଟଣା  ପୁଲିସ୍‌ ସାଢ଼େ ୬ ଟନ୍‌ ବିସ୍ଫୋରକ ଏବଂ ୧୧୫ଟି  ଡିଟୋନେଟର ଜବତ କରିଛି । ଗୋଦାମରେ କେତେ  ବିସ୍ଫୋରକ ଏବଂ ଡିଟୋନେଟର ବଳକା ରହିଛି³  ତାହା ଯାଞ୍ଚ କରାଯାଇ ଷ୍ଟକ୍‌ ସହ ତାଳମେଳ କରିବା  କଥା । ହେଲେ ଘଟଣା ପରଠୁ ଗୋଦାମ୍‌ର ପାର୍ଟନର ଦ୍ୱୟ ଫେରାର ରହିଛନ୍ତି । ଯେଉଁଥିପାଇଁ ପୁଲିସ  ଷ୍ଟକ୍‌ ଯାଞ୍ଚ କରି ନ ଥିବା ଜଣାପଡ଼ିଛି । ଜୟପାଟଣା  ପୁଲିସ୍‌ ଏବଂ ବଲାଙ୍ଗିର ପୁଲିସ୍‌ ଉଭୟଙ୍କୁ ଖୋଜୁଛି ।  ସେମାନେ ଧରାପଡ଼ିବା ପରେ ଅନେକ ଗୁମର  ପଦାକୁ ଆସିବ ବୋଲି କୁହାଯାଉଛି ।