ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ, ଅଭିବାଦନ ଗ୍ରହଣ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ବାଲେଶ୍ୱର, ୨୬/୦୧ : ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ପୁଲିସ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଉଦବୋଧନ ଦେଇଛନ୍ତି।

ସମୀର ରଞ୍ଜନ ଦାଶ ବାଲେଶ୍ୱର ମାଟିକୁ ପ୍ରମାଣ ଜଣାଇ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ, ବାଲେଶ୍ୱର ମାଟି ସଂଗ୍ରାମର ମାଟି। ଏହି ମାଟି ସ୍ୱାଧୀନତା ସଂଗ୍ରାମକୁ ଦିଗଦର୍ଶନ ଦେଇଥିଲା। ଅବିଭକ୍ତ ଏହି ମାଟିରେ ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ର ଦାସଙ୍କଠାରୁ ଆରମ୍ଭ କରି ଏହି ତାଲିକା ଯେତେ ପଢିଲେ ଲମ୍ବିବ। ଏ ମାଟିରେ ବାଘାଯତୀନ ସହିଦ ହେବା କମ୍ କଥା ନୁହେଁ। ଭାଷାଭିତ୍ତିକ ଆନ୍ଦୋଳନର ଏହି ମାଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ଏଜି ଅବସରରେ ସେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ, ସମ୍ପ୍ରତି ଓଡ଼ିଶା ପ୍ରଗତିର ଶୀର୍ଷ ଛୁଇଁଛି। ପ୍ରଗତି ରାଜ୍ୟରେ ଏକ ପରମ୍ପରା ପାଲଟିଛି। କୃଷିଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସଫଳତାକୁ ଛୁଇଁଛି। ମହିଳାଙ୍କୁ ସ୍ୱାବଲମ୍ଭୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବିକାଶର ଧାରା ଆଗକୁ ଜାରି ରହିବ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି। ପରେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡି.ଭି ଶିନ୍ଦେ, ଆଇଜି ହିମାଂଶୁ ଲାଲ, ଏସପି ସାଗରିକା ନାଥଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।