ପୁରୀ,୨୦/୦୯: ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଜେଲ୍କୁ ପଠାଇଛି ପୁଲିସ । ତେବେ ଦୁଇ ଅଭିଯୁକ୍ତଙ୍କଠାରୁ ଜବତ ସାମଗ୍ରୀ ଶନିବାର ରାଜ୍ୟ ଫୋରେନସିକ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)କୁ ପଠାଯିବ ବୋଲି ତଦନ୍ତକାରୀ ଅଧିକାରୀ ଡିଏସ୍ପି ସସ୍ମିତା ବେହେରା ସୂଚନା ଦେଇଛନ୍ତି ।
ଶ୍ରୀମତୀ ବେହେରାଙ୍କ କହିବାନୁଯାୟୀ, ସେମାନଙ୍କଠାରୁ ଗୋଟିଏ ମୋବାଇଲ୍ ଫୋନ୍, ଖଡୁ ଜବତ ହୋଇଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ଅନେକ ସାମଗ୍ରୀ ଜବତ କରିଛି । ସେଗୁଡ଼ିକୁ ରାଜ୍ୟ ଫୋରେନ୍ସିକ୍ ଲାବୋରେଟୋରିକୁ ପଠାଯିବ । ସେଥିରୁ କିଛି ପ୍ରମାଣ ମିଳିବା ଆଶା କରାଯାଉଛି । ବିଶେଷକରି ମୋବାଇଲ୍ ଫୋନ୍ରୁ ଡିଲିଟ୍ ଫଟୋ ଓ ଭିଡିଓ ସଂପର୍କରେ ସ୍ପଷ୍ଟ ଜଣାପଡ଼ିବ ।
ଅନ୍ୟପକ୍ଷରେ ଦୁଷ୍କର୍ମ ମାମଲାରେ ବ୍ରହ୍ମଗିରି ଥାନା ଅଧୀନ ଚଣ୍ଡୀପୁଟ ଗ୍ରାମର ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରା ଓରଫ କାଳିଆ ଓ ସହଯୋଗୀ ଶିବ ସାହୁଙ୍କୁ ଗିରଫ କରାଯାଇଥିବାବେଳେ ମନ୍ଦିର ନିକଟରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ମାରପିଟ୍ ଘଟଣାରେ ରାହୁଲ ସାହୁ ଓ ପ୍ରଦୀପ ଯାଦବକୁ ଗିରଫ କରାଯାଇଛି । ମାମଲାରେ ଆଜି ସୁଦ୍ଧା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଡିଏସ୍ପି ଶ୍ରୀମତୀ ବେହେରା ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ଦ୍ୱିପ୍ରହରରେ ବ୍ରହ୍ମଗିରିର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ପୁଲିସ ଏହି ଘଟଣାରେ ଜଣେ ସହଯୋଗୀ ଓ ଅନ୍ୟ ୨ଜଣଙ୍କୁ ତତ୍କ୍ଷଣାତ୍ କାବୁ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କାଳିଆ ବାହାର ରାଜ୍ୟକୁ ଫେରାର ହୋଇଯାଉଥିଲା । ସେ ଟ୍ରେନ୍ରେ ତିରୁପତି ଯାଉଥିବା ବେଳେ ସ୍ୱତନ୍ତ୍ର ଟିମ୍ ତାକୁ କାବୁ କରିଥିଲା ।
ଷଡ଼ଯନ୍ତ୍ର କରେ ଶିବ,ବ୍ଲାକ୍ମେଲ୍ କରେ କାଳିଆ
ତଦନ୍ତକାରୀ ଅଧିକାରୀ ସସ୍ମିତା ବେହେରାଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ଶିବ ବାଲିହରଚଣ୍ଡୀଠାରେ ଏକ ଦୋକାନ କରିଛି । ସେ ଦୋକାନରେ ବସି କେଉଁ ପ୍ରେମୀଯୁଗଳ ଜଙ୍ଗଲ ଅଭିମୁଖେ ଯାଉଛନ୍ତି ଲକ୍ଷ୍ୟ କରି ସେମାନଙ୍କ ପିଛା କରେ । ପରେ ଏସମ୍ପର୍କରେ କାଳିଆକୁ ଖବର ଦିଏ । ଉଭୟେ ଲୁଚି ରହି ପ୍ରେମୀଯୁଗଳଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଉଠାଇ ବ୍ଲାକ୍ମେଲ୍ କରନ୍ତି । ଏପରିକି ସମ୍ପୃକ୍ତ ଯୁବତୀ ସମ୍ପର୍କ ନ ରଖିଲେ ସୋସିଆଲ ମିଡିଆରେ ଫଟୋ, ଭିଡିଓ ସେୟାର କରିଦେବେ ବୋଲି ଧମକ ଦେଇଥାନ୍ତି । ସେମାନେ ପୂର୍ବରୁ ଅନେକ ପ୍ରେମୀଯୁଗଳଙ୍କୁ ହଇରାଣ କରିଛନ୍ତି । କାଳିଆ ଜଣେ ଅଟୋଚାଳକ ।