PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସରି ବି ସରିଲାନି ବାଲିଯାତ୍ରା: ମଉକାର ଫାଇଦା ଉଠାଇଲେ ଲୋକ, ମୂଲ୍‌ଚାଲ୍‌ କରି ଶସ୍ତାରେ ବୋହିନେଲେ ସାମଗ୍ରୀ

କଟକ,୧୯/୧୧: ବାଲିଯାତ୍ରା ଗୁରୁବାର ସରିଗଲା । ପ୍ରଶାସନ ପକ୍ଷରୁ ଷ୍ଟଲ୍‌ଗୁଡିକରୁ ଲାଇନ୍‌ କାଟି ଦିଆଗଲା । ଏହାପରେ କେତେକ ବ୍ୟବସାୟୀ ନିଜ ବଳକା ସାମଗ୍ରୀ ଧରି ଘରକୁ ଫେରିଗଲେ । ହେଲେ ଆଉ କେତେକ ରହିଗଲେ । ରାସ୍ତାକଡ଼କୁ ଉଠାଇ ନେଲେ ପସରା । ସାମଗ୍ରୀ ଶସ୍ତାରେ କିଣିବାକୁ ଚାହିଁରହିଥିବା ଗ୍ରାହକ ଏହାକୁ ହାତଛଡ଼ା ନ କରିବାକୁ କିଣାକିଣିରେ ଲାଗିପଡ଼ିଲେ । ବେପାରୀ ମଧ୍ୟ କିଛି ଶସ୍ତା କରି ସେମାନଙ୍କ ସାମଗ୍ରୀ ବିକିଚାଲିଲେ ଯାହାକୁ ନେଇ ବାଲିଯାତ୍ରା ପଡ଼ିଆ ଏବଂ ନିକଟ ରାସ୍ତାପାଶ୍ୱର୍ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ଶୁକ୍ରବାର ବାସି ବେପାର ଭଲ ଜମିଥିଲା । ମନଛୁଆଁ ସାମଗ୍ରୀ ସାଙ୍ଗକୁ ସୁହାଇବା ଭଳି ଦର ଥିଲା । ତେଣୁ ଯିଏ ଯାହା ପାରିଲେ କିଣିଲେ । ଗୋଟିଏ କି ଦୁଇଟି ନୁହଁ ମୂଲ୍‌ଚାଲ୍‌ କରି ଅନେକ ଘରକରଣା ସାମଗ୍ରୀ ବୋହିନେଲେ । ସେହିଭଳି ବଳକା ସାମଗ୍ରୀକୁ ମଧ୍ୟ କମ୍‌ ଦାମ୍‌ରେ ଦେଇ ହାତଖୋଲା ବ୍ୟବସାୟ କଲେ ବେପାରୀ । ବାଲିଯାତ୍ରା ସରିଯାଇଥିଲେ ମଧ୍ୟ ଆଜି ଦିନ ତମାମ୍‌ ପଡିଆରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ପାଖାପାଖି ୧୦ଦିନ ଯାକ ବାଲିଯାତ୍ରା ପଡିଆରେ ରହି ଭଲ ବ୍ୟବସାୟ କରିଥିଲେ । ସେଥିମଧ୍ୟରୁ କିଛି ବ୍ୟବସାୟୀଙ୍କ ସାମଗ୍ରୀ ବଳକା ରହିଯାଇଥିଲା । ତେଣୁ ସେଗୁଡିକୁ ଶେଷ କରିବା ପରେ ଘରକୁ ଫେରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ । ଆଉ ଏହି ମଉକାକୁ ଅପେକ୍ଷା କରି ରହିଥିବା ଲୋକେ ଦିନ ସାରା ଜିନିଷ କିଣାକିଣିରେ ଲାଗି ପଡ଼ିଥିଲେ । ବାଲିଯାତ୍ରା ବେଳେ ଅଧିକ ଦରରେ ଜିନିଷ କିଣିପାରିନଥିବାବେଳେ ଏବେ ସୁଯୋଗ ପାଇ କିଣାକିଣିରେ ଲାଗି ପଡ଼ିଥିଲେ । ବ୍ୟବସାୟୀମାନେ ମଧ୍ୟ ଅଳ୍ପ ଲାଭ ରଖି ସବୁ ଘରକରଣା ସାମଗ୍ରୀ ବିକି ଚାଲିଥିଲେ । ଯଦିଓ ଅନେକ ବ୍ୟବସାୟୀ ଘରକୁ ଫେରି ସାରିଛନ୍ତି କିନ୍ତୁ ଏବେ ବି କଟକ ଆଖପାଖରୁ ଆସିଥିବା ଅନେକ ବ୍ୟବସାୟୀ ରି ବନ୍ଧ କଡରେ ପସରା ମେଲାଇ ବସିଛନ୍ତି।