କଟକ,୩୧/୦୮: ପୂର୍ବ ଆଶଙ୍କା ସତ ହେବାକୁ ଯାଉଛି । ଐତିହାସିକ କଟକ ବାଲିଯାତ୍ରା  ଏଣିକି କେବଳ ତଳ ପଡ଼ିଆରେ ଆୟୋଜନ ହେବ। ଉପର ପଡ଼ିଆ ବା କିଲ୍ଲାପଡ଼ିଆରେ କୌଣସି ଷ୍ଟଲ୍‌ ପଡ଼ିବ ନାହିଁ । ଏଠାରେ କେବଳ ପାର୍କିଂ ସ୍ଥଳ ହେବ ।  ଏବର୍ଷର ବାଲିଯାତ୍ରା ଆୟୋଜନରେ ଏଭଳି କିଛି ନୂଆ ନିଷ୍ପତ୍ତି ଲାଗୁ କରି ସଂସ୍କାର ଆଣିବାକୁ ଯାଉଛି ଆୟୋଜକ  ଜିଲ୍ଲା ପ୍ରଶାସନ । ବାଲିଯାତ୍ରା-୨୦୨୫  ପାଇଁ ଆଜିଠୁ ବିଧିବଦ୍ଧ ଭାବେ ଜିଲ୍ଲା  ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି ।  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ  ସିନ୍ଦେଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା  ପାଇଁ ଶନିବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା । ପ୍ରାରମ୍ଭିକ ଆଲୋଚନା  ଭିତରେ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ  ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥର ଉପର ପଡ଼ିଆରେ କୌଣସି ଷ୍ଟଲ୍‌ ନ କରି  କିଲ୍ଲା ପଡ଼ିଆକୁ ଅନ୍ୟ କ୍ଷେତ୍ର(ଯେପରି ପାର୍କିଂ) ରେ ବ୍ୟବହାର କରାଯିବା ନେଇ ଆପାତତଃ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।  

ସେହିପରି ବାଲିଯାତ୍ରାର ସବୁଠୁ ଆକର୍ଷଣୀୟ  ଅଂଶ ‘କଟକ ଇନ୍‌ କଟକ’ର ଥିମ୍‌ ବା ବିଷୟବସ୍ତୁ  ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଗତବର୍ଷ  ଓଡ଼ିଆ ସିନେମାକୁ ବିଷୟବସ୍ତୁ କରାଯାଇଥିବା ବେଳେ  ଏହା ଲୋକାଦୃତ ହୋଇଥିଲା । ତେଣୁ ଏଥର ‘ଓଡ଼ିଆ  ଅସ୍ମିତା' ଆମ ଭାଷା ଆମ ପରିଚୟ’ ବିଷୟ ଉପରେ  କଟକ ଇନ୍‌ କଟକର ରୂପରେଖକୁ ବଦଳାଇବାକୁ  ପ୍ରାଥମିକ ନିଷ୍ପତ୍ତି ହୋଇଛି । ଓଡ଼ିଆ ଭାଷାର ଇତିହାସ  ଓ ବର୍ତ୍ତମାନକୁ ନେଇ ପ୍ରସ୍ତୁତ ହେବ କଟକ ଇନ୍‌  କଟକ । ଅବଶ୍ୟ ଏହାର ନିର୍ଦ୍ଦିଷ୍ଟ ରୂପରେଖ କ’ଣ ହେବ  ସେନେଇ ଆଗାମୀ ଦିନରେ ବୁଦ୍ଧିଜୀବୀ ବର୍ଗଙ୍କ ମତାମତ  ନିଆଯାଇ ନିଷ୍ପତ୍ତି କରାଯିବ ବୋଲି ସ୍ଥିର ହୋଇଛି ।  

ଐତିହାସିକ ବାଲିଯାତ୍ରାର ଏହି ପ୍ରାକ୍‌-ପ୍ରସ୍ତୁତି  ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ  ଅଂଶ ଗ୍ରହଣ କରି ଆଲୋଚନା କରିଛନ୍ତି । ଚଳିତବର୍ଷ  କଟକ ବାଲିଯାତ୍ରାକୁ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ  କରିବା ପାଇଁ ପ୍ରତ୍ୟେକ ବିଭାଗରେ ଉତ୍କର୍ଷ ପ୍ରତିପାଦନ  କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବାଲିଯାତ୍ରାର ଭିତ୍ତିଭୂମି ନିର୍ମାଣ, ପରିମଳ ବ୍ୟବସ୍ଥା,  ଧୂଳି ନିୟନ୍ତ୍ରଣ ଆଦି କାର୍ଯ୍ୟକୁ ଅଧିକ ଉନ୍ନତ ମାନର କରିବା ସହ ପୂର୍ବାପେକ୍ଷା ମେଳାକୁ ଅଧିକ ଜନଉପଯୋଗୀ କରିବାକୁ ଆଲୋଚନା କରାଯାଇଥିଲା ।  ବାଲିଯାତ୍ରା କାର୍ଯ୍ୟକ୍ରମର ପ୍ରତ୍ୟେକ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ବହନ କରିବେ । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି  ମଞ୍ଚର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବାପେକ୍ଷା ଅଧିକ ଚିତ୍ତାକର୍ଷକ କରିବା ସହ କଟକ-ଇନ୍‌-କଟକକୁ  ଅଧିକ ଜନାଦୃତ କରିବା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।  

ବାଲିଯାତ୍ରା ସ୍ମରଣିକାକୁ ଅଧିକ ପାଠକାଦୃତ କରିବା ସହ ଏହାକୁ ଉଚିତ ସମୟରେ ପାଠକଙ୍କ ନିମନ୍ତେ  ଉପଲବ୍ଧ କରାଇବା ପାଇଁ ଆଲୋଚନା ହୋଇଥିଲା ।  ଉଠାଦୋକାନୀଙ୍କଠାରୁ ଆରମ୍ଭ କରି ସମସ୍ତ  ବର୍ଗର ଭାଗୀଦାର ଏବଂ ଯାତ୍ରୀମାନଙ୍କ  ନିମନ୍ତେ ଯୋଜନାମାନ ପ୍ରସ୍ତୁତ  କରି ଚଳିତ ବାଲିଯାତ୍ରାକୁ  ସ୍ମରଣୀୟ କରିବାକୁ ଜିଲ୍ଲାପାଳ  କହିଛନ୍ତି । ବୈଠକରେ ସିଏମ୍‌ସି କମିସନର  କିରନଦୀପ କୌର ସହୋତା,  ଅତିରିକ୍ତ ଜିଲ୍ଲାପାଳ ଶିବ  ଟପ୍ପୋ, ଅତିରିକ୍ତ ଜିଲ୍ଲାପାଳ  ଡ. ଦିବ୍ୟଲୋଚନ ମହନ୍ତ,  ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍‌ସିତା  ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରଶାନ୍ତ କୁମାର ନାୟକ, ଆଠଗଡ଼ ଉପଜିଲ୍ଲାପାଳ  ପ୍ରହଲ୍ଲାଦ ନାରାୟଣ ଶର୍ମା, ବାଙ୍କୀ ଉପଜିଲ୍ଲାପାଳ  ପ୍ରଣବ କୁମାର ବେହେରା, ସିଡିଏ ସଚିବ ଶ୍ୱେତ  କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ  ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି  ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।