ଭୁବନେଶ୍ୱର, ୦୯/୦୫ : ବଳାତ୍କାର ଉଦ୍ୟମ ସମ୍ପୂର୍ଣ୍ଣ ମିଛ । ଏମିତି କିଛି ବି ଘଟିନାହିଁ । ବାଲିଅନ୍ତା ବର୍ବରତାର ପୁରା ଘଟଣା ବଖାଣିଲେ ମୃତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍ ପ୍ରକାଶ । ଘଟଣା ଦିନ ଓମ୍ ପ୍ରକାଶ ଓ ସୌମ୍ୟ ଏକାଠି ଥିଲେ । ଓମ୍ ଗଣମାଧ୍ୟମକୁ କହିଛନ୍ତି, ସୌମ୍ୟ ଓ ସେ ଗୋଟିଏ ବାଇକ୍ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ି ଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍ ସୌମ୍ୟଙ୍କୁ ବାତ ମାରିଥିଲା । ସେ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍ଙ୍କ ବେକକୁ ସୌମ୍ୟ ଜୋର୍ରେ ଧରି ପକାଇଥିଲେ । ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମାନ୍ୟ ପାଟି ତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ ।
ଜଣେ ଯୁବତୀଙ୍କ ସହ ଓମ୍କୁ ବି ହଠାତ୍ ମାଡ଼ ମାରିଥିଲେ ସୌମ୍ୟ । ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଯାଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ । ଚାହୁଁ ଚାହୁଁ ଡକା ଡକି ହୋଇ ଲୋକମାନେ ମାଡ଼ି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟିଲେ । ଓମ୍ଙ୍କ କହିବା ଅନୁସାରେ, ଗୋଇଠା, ବିଧା, ମୁଥ ସହ ବାଉଁଶ ଫାଳିଆରେ ନିର୍ଧୁମ ପିଟି ଚାଲିଲେ । ଓମ୍ ଯେତେ ଅନୁରୋଧ କଲେ ବି କେହି ଅଟକି ନଥିଲେ । ଓଲଟି ତାଙ୍କୁ ବାଡ଼େଇବାକୁ ଉଦ୍ୟମ କରିଥିଲେ । ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା ସୌମ୍ୟଙ୍କ ଉପରେ ଅମାନୁଷିକ ପ୍ରହାର । ଏହାପରେ ପୁଲିସ୍ ପହଞ୍ଚିଲା । ହେଲେ ସୌମ୍ୟଙ୍କ ଉପରେ ମାଡ଼ ଥମିଲା ନାହିଁ । ପୁଲିସ୍ ଦେଖୁଥାଏ, ଲୋକ ପିଟୁଥାନ୍ତି । ସୌମ୍ୟଙ୍କୁ ପଘାରେ ବାନ୍ଧିଲା ବେଳେ ବି ମାଡ଼ ଚାଲିଥାଏ ।
ଭୟ ଓ ଭାବାବେଗର ସହ ଓମ୍ କହିଛନ୍ତି, ମୋ ଆଖି ଆଗରେ ସବୁ ଘଟିଗଲା । ହେଲେ ସୌମ୍ୟଙ୍କୁ ବଞ୍ଚାଇପାରିଲି ନାହିଁ । ଏଭଳି ଅମାନୁଷିକ ଭାବେ ଜଣେ ମଣିଷକୁ ମାରିବା ପରେ ତା’ର ଚରିତ୍ର ସଂହାର କରିବାକୁ ପ୍ରାୟୋଜିତ କାହାଣୀ ରଚାଯାଉଛି । ପୁଲିସ୍ ଓ ଦୁଇ ଯୁବତୀ ଡାହା ମିଛ କହୁଛନ୍ତି । ସୌମ୍ୟଙ୍କ ଆକ୍ରମଣରେ ଯୁବତୀ ଚେତା ହରାଇଥିବା ନେଇ ଯାହା କହୁଛନ୍ତି, ତାହା ବି ମିଛ । ସୌମ୍ୟଙ୍କୁ ନ୍ୟାୟ ମିଳୁ ବୋଲି ଓମ୍ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ବାଲିଅନ୍ତା ବର୍ବରତା : ଗିରଫ ସଂଖ୍ୟା ୭କୁ ବୃଦ୍ଧି, ୫ ଅଟକ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ