କଟକ ୧୦/୧୧: ବାଲିଯାତ୍ରାରେ ବୁଲୁଛି ପୋଷ୍ଟ୍‌ ଅଫିସ୍‌ ଲେଟର୍‌ ବକ୍ସ ମାସ୍କଟ୍‌ । ଅବିକଳ ଲେଟର ବକ୍ସ ଭଳି ହୋଇଥିବା  ଏହି ମାସ୍କଟ୍‌ ଭିତରେ ଜଣେ ବ୍ୟକ୍ତି ରହିଥିବା  ବେଳେ ପଡ଼ିଆ ସାରା ବୁଲୁଥିବା ଦେଖିବାକୁ  ମିଳିଛି । ଏହି ମାସ୍କଟ୍‌କୁ ଦେଖିବାକୁ ଲୋକଙ୍କ ଭିଡ଼ ହେଉଥିବା ବେଳେ ପୁରୁଷଙ୍କଠାରୁ ଆରମ୍ଭ କରି ମହିଳାମାନେ ସେଲ୍‌ଫି ଉଠାଉଛନ୍ତି ।

ପ୍ରଥମ  ଥର ପାଇଁ ବାଲିଯାତ୍ରା ତଳ ପଡ଼ିଆ ୧୨ ନମ୍ବର  ଷ୍ଟଲ୍‌ରେ ହୋଇଥିବା ପୋଷ୍ଟ୍‌ ଅଫିସ୍‌ କାର୍ଯ୍ୟାଳୟ ପକ୍ଷରୁ ଏହି ମାସ୍କଟ୍‌ କରାଯାଇ ଡାକ ବିଭାଗରେ  ହେଉଥିବା ସମସ୍ତ କାର୍ଯ୍ୟ ଏବଂ ଯୋଜନା ବିଷୟରେ  ଲୋକଙ୍କୁ ସଚେତନ କରାଯାଉଛି । ଇଣ୍ଟରନେଟ୍‌  ଏବଂ ମୋବାଇଲ୍‌ ଯୁଗରେ ଡାକବାକ୍ସରେ ଚିଠି  ପଠାଇବାର ଗୁରୁତ୍ୱ କମିଥିବା ବେଳେ ପୋଷ୍ଟ୍‌  ଅଫିସ୍‌ରେ ଡିଜିଟାଲ୍‌ କାରବାର ଅଧିକ ବଢ଼ିଛି ।  ଡାକ ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀମାନେ ଆର୍ଥିକ ସହାୟତାଠୁ ଆରମ୍ଭ କରି ଆଧାର ପରିଚୟପତ୍ର ପଞ୍ଜୀକରଣ ସହ ନୂଆ  ଆଧାର କାର୍ଡ ଏବଂ ସଂଶୋଧନ କରାଯାଉଛି । ତେଣୁ ଲୋକଙ୍କ ଏହି ସବୁ କାର୍ଯ୍ୟ ଏବେ ସିଧାସଳଖ ବାଲିଯାତ୍ରା ପଡ଼ିଆରେ ଥିବା ଷ୍ଟଲ୍‌ରେ କରାଯାଉଛି । ତେଣୁ ଷ୍ଟଲ୍‌ରେ ଲୋକଙ୍କ ଭିଡ଼ ହେଉଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକେ ଆଧାର କାର୍ଡ  ପଞ୍ଜୀକରଣ କରିବା ସହ ପୋଷ୍ଟ୍‌ ଅଫିସ୍‌ ସମ୍ବନ୍ଧୀୟ  ବିଭିନ୍ନ କାର୍ଯ୍ୟ କରି ଉପକୃତ ହେଉଛନ୍ତି ।