- ଭୟରେ ଥରହର ହରିଣ, ମାଙ୍କଡ଼ ଓ ଅନ୍ୟ ବନ୍ୟପ୍ରାଣୀ
- ବେଆଇନ ନିର୍ମାଣ ଯୋଗୁ ସହର ମୁହାଁ ବନ୍ୟପ୍ରାଣୀ
- ଇକୋ-ସେନ୍ସିଟିଭି ଜୋନରେ ଫାର୍ମ ହାଉସ୍ ଓ ହୋଟେଲ
- ବାତ୍ୟାରୁ ରକ୍ଷା କରୁଥିବା ଜଙ୍ଗଲ ପାଇଁ ନିଆଁ ସାଜିଛି ବିପଦ
ପୁରୀ, (ନିରଞ୍ଜନ ମିଶ୍ର) ୨୦/୦୩: କେବଳ ଫଳକରେ ସୀମିତ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଭୟାରଣ୍ୟ । ବିପଦରେ ପୁରୀ ଜିଲ୍ଲାରେ ଥିବା ବିଶାଳ ଜଙ୍ଗଲ ଓ ପାହାଡ଼ । ବେଆଇନ ଭାବେ ଜଙ୍ଗଲ କାଟିବା ଓ ପାହାଡ଼ ଖୋଳି ଚାଲାଣ କରାଯିବା ଜିଲ୍ଲାର ପରିବେଶକୁ ପ୍ରଭାବିତ କରୁଛି । ଭୟରେ ଥରହର ହରିଣ, ମାଙ୍ଗଡ଼ ଓ ଅନ୍ୟ ବନ୍ୟପ୍ରାଣୀ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ବ୍ରହ୍ମଗିରି-ସାତପଡ଼ା, ପଟ୍ଟନାୟିକିଆଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ଯିବା ବେଳେ ଜଙ୍ଗଲ ଓ ପାହାଡ଼ ଚୋରିର ଦୃଶ୍ୟ ପରିବେଶ ସୁରକ୍ଷା ପ୍ରତି ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ତାଜୁବ୍ କରୁଛି । ପୁରୀ-କୋଣାର୍କ ରାସ୍ତାରେ ଯିବା ପରେ ଅଭୟାରଣ୍ୟ ବୋଲି ଲେଖାଯାଇଥିବା ବାଲୁଖଣ୍ଡ ବନ୍ୟପ୍ରାଣୀ ବନାଞ୍ଚଳକୁ ମାଫିଆମାନେ କିପରି ଦିନ ଦିପହରେ କାଟି ନେଉଛନ୍ତି ତାହା ଦେଖାଯାଉଛି । ବନ ବିଭାଗ ରେଞ୍ଚ କାର୍ଯ୍ୟାଳୟ ନିକଟରେ ଏପରି ଜଙ୍ଗଲ କାଟ ଓ ଚାଲାଣ ହେଉଥିଲେ ହେଁ ପ୍ରଶାସନିକ ଅଧିକାରୀ ନିରବ । ଏହି ବନାଞ୍ଚଳର ନିଷିଦ୍ଧାଞ୍ଚଳ ଥିବା ଇକୋସେନ୍ସିଟିଭି ଅଞ୍ଚଳକୁ ମଧ୍ୟ ପ୍ରଶାସନ ସୁରକ୍ଷା ଦେଉନି । ଏଠାରେ ଗଢ଼ି ଉଠିଛି ହୋଟେଲ, ଫାର୍ମ ହାଉସ୍, ରେସ୍ତୋରାଁ ସାଙ୍ଗକୁ ଅନେକ ବ୍ୟାବସାୟିକ ସଂସ୍ଥା । ଯାହାକୁ ନେଇ ଏନ୍ଜିଟିକୁ ମାମଲା ଯାଇଛି ।
ସେପଟେ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ନାମରେ ଫଲ୍ସ ବିଲ୍ କରି ପ୍ରତିବର୍ଷ ଚଳୁ ହେଉଛି କୋଟି କୋଟି ଟଙ୍କା । ପୁରୀ ଜିଲ୍ଲାର ପୁରୀ ସଦର, କାକଟପୁର, ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡ଼ା, ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୀ ବନ୍ୟପ୍ରାଣୀ ଓ ଖୋର୍ଦ୍ଧା ବନଖଣ୍ଡ ତରଫରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ଯଥା-ବର୍ଦ୍ଧିତ ସବୁଜ ବଳୟ (ଆଇଜିସି), ସବୁଜ ମହାନଦୀ ମିଶନ (ଜିଏମ୍ଏମ୍), କାମ୍ପା, ମନରେଗା ଭାରତୀୟ ଉପକୂଳ ଅଧିକାରୀ ଗୋଷ୍ଠୀଙ୍କ ନିମନ୍ତେ ଜୟବାୟୁ ସହନଶୀଳତା ଅଭିବୃଦ୍ଧି (ଆଇସିଆର୍ଆଇସିସି), ସାମାଜିକ ଦାୟିତ୍ୱବୋଧ ଯୋଜନା (ଏସ୍ଆର୍ସି) ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍ଡିଏମ୍ଏଫ୍)ରେ ବୃକ୍ଷରୋପଣ ନିମନ୍ତେ ସମୁଦାୟ ୪ କୋଟି ୨୦ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଦୁଇ ଆର୍ଥିକ ବର୍ଷରେ ଏହି ନିର୍ବାଚନ ମଣ୍ଡଳୀମାନଙ୍କରେ ମୋଟ ୨୦୧.୫୦ ହେକ୍ଟର ସଘନ ବନୀକରଣ, ୧୩୦ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର, ୭୭ କିମି ପଥପାଶ୍ୱର୍ ବନୀକରଣ ସହିତ ୧୪ ହଜାର ଚାରା ସହରାଞ୍ଚଳ ବନୀକରଣରେ ବ୍ୟବହାର ହୋଇଛି । ଏହି ବନୀକରଣରେ ମୋଟ୍ ୫.୫୫ ଲକ୍ଷ ଚାରାରୋପଣ କରାଯାଇଛି । ଏହାବାଦ୍ ୪.୮୨ ଲକ୍ଷ ଚାରା ବିଭିନ୍ନ ଅନୁଷ୍ଠାନ ଓ ହିତାଧିକାରୀଙ୍କୁ ନିଜସ୍ୱ ଜମିରେ ରୋପଣ ନିମନ୍ତେ ବଣ୍ଟନ କରାଯାଇଛି ।
ରିପୋର୍ଟରୁ ଜଣାପଡ଼ିଛି, ୨୦୨୪-୨୫ରେ ପିପିଲି ନିର୍ବାଚନମଣ୍ଡଳୀରେ ଲାଗିଥିବା ଗଛ ମଧ୍ୟରୁ ୫୫ରୁ ୭୦% ଗଛ ବଞ୍ଚିଛନ୍ତି । ଯେତେବେଳେ କି ୨୦୨୫-୨୬ରେ ଏଠାରେ ୫୫ରୁ ୮୦% ଗଛ ବଞ୍ଚିଥିବା ଜଣାପଡ଼ିଛି । ମାତ୍ର ଅନ୍ୟ ଅଞ୍ଚଳରେ ୯୮ରୁ ୧୦୦% ବନୀକରଣ ସଫଳ ହୋଇଥିବା ରିପୋର୍ଟ କହୁଛି । ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ବନ୍ୟପ୍ରାଣୀ ଅଞ୍ଚଳରେ ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ନିମନ୍ତେ ୧ କୋଟି ୩ ଲକ୍ଷ ୫୦ ହଜାର, ଚିଲିକା ବନ୍ୟପ୍ରାଣୀ ଅଞ୍ଚଳରେ ୭୦ ଲକ୍ଷ ୬୭ ହଜାର ଟଙ୍କା ଓ ପୁରୀ ବନ୍ୟପ୍ରାଣୀ ଅଞ୍ଚଳରେ ୫୯.୯୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ସେହିପରି ବନ୍ୟପ୍ରାଣୀ ଅଞ୍ଚଳକୁ ନଷ୍ଟ କରି ନିଜର ପ୍ରତିଷ୍ଠାନ କରିବା ନିମନ୍ତେ ଦୁର୍ବୃତ୍ତମାନେ ନିଆଁ ଲଗାଇବା ଚକ୍ରବ୍ୟୂହ ରଚନା କରିଛନ୍ତି । ପ୍ରତିବର୍ଷ ଲାଗୁଥିବା ନିଆଁ ବହୁ ହେକ୍ଟର ଜଙ୍ଗଲ ନଷ୍ଟ କରିଛି । ୨୦୧୯ରେ ୧୩ ଥର ନିଆଁ ଲାଗି ୩୨.୪୧ ହେକ୍ଟର, ୨୦୨୦ରେ ୪ ଥର ନିଆଁ ଲାଗି ୮.୨ ହେକ୍ଟର, ୨୦୨୧ରେ ୧୫ ଥରରେ ୯୦.୧ ହେକ୍ଟର, ୨୦୨୨ରେ ୭ ଥରରେ ୧୬.୫ ହେକ୍ଟର, ୨୦୨୩ରେ ୨୧ ଥରରେ ୬୬.୬ ହେକ୍ଟର, ୨୦୨୪ରେ ୨୯ ଥରରେ ୪.୭୨ ହେକ୍ଟର, ୨୦୨୫ରେ ୧୦ ଥର ନିଆଁ ଲାଗି ୧୬.୧ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ରିପୋର୍ଟ ହୋଇଛି । ୨୦୨୩ ଆଇଏସ୍ଏଫ୍ଆର ତଥ୍ୟ ମୁତାବକ ପୁରୀ ଜିଲ୍ଲାରେ ୨୮୫.୦୩ ବର୍ଗ କିଲୋମିଟର ଜଙ୍ଗଲ ରହିଥିଲା । ୨୦୨୧ରେ ପ୍ରାୟ ୧.୩୭ ବର୍ଗ କିଲୋମିଟର ଜଙ୍ଗଲକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥିଲା । ପୁରୀ ଜିଲ୍ଲାରେ ପ୍ରାୟ ୧୫୬୬.୧୯ ହେକ୍ଟର ଅଣସଂରକ୍ଷିତ ଜଙ୍ଗଲ ଜମି ରହିଛି ।
ସେହିପରି ୬୨୦୫ ପ୍ରସ୍ତାବିତ ଅଣସଂରକ୍ଷିତ ଜଙ୍ଗଲ ଜମି ଓ ୩୨୫.୫୮୨ ଗ୍ରାମ୍ୟ ଜଙ୍ଗଲ ରହିଛି । ମାତ୍ର ଜିଲ୍ଲାରେ ସଂରକ୍ଷିତ ଜଙ୍ଗଲ ପରିମାଣ ଶୂନ । ଯେତେବେଳେ କି ଏହା ଭିତରୁ ୨୪.୫ ହେକ୍ଟର ଅଣସଂରକ୍ଷିତ ଜଙ୍ଗଲ ଓ ୪୦୬ ହେକ୍ଟର ପ୍ରସ୍ତାବିତ ଅଣସଂରକ୍ଷିତ ଜଙ୍ଗଲକୁ ମିଶାଇ ମୋଟ୍ ପ୍ରାୟ ୪୩୦ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି । ଏନେଇ ୩୭ଟି ମାମଲା ହୋଇଥିଲେ ହେଁ ଜବରଦଖଲ ହଟାଇବା ନିମନ୍ତେ ପଦକ୍ଷେପ ସଂଖ୍ୟା ଶୂନ । ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ବିରଳ ଖଣିଜ ଠାବ ପରେ ଏହା ଉପରେ ଥିବା ବିଶାଳ ଅଣସଂରକ୍ଷିତ ଜଙ୍ଗଲ ଜମି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଖଣି ଉତ୍ତୋଳନ ନିମନ୍ତେ ୬୧୦.୮ ହେକ୍ଟର ଜଙ୍ଗଲ ଜମି କିସମ ବଦଳାଇବାକୁ ସରକାରୀ ପଦକ୍ଷେପ ଆରମ୍ଭ ହୋଇଛି ।
ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିମନ୍ତେ ପ୍ରସ୍ତାବିତ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ୧୯୮୭ ମସିହାରେ ପୁରୀ ବଲୁଖଣ୍ଡକୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ୩୯ ବର୍ଷ ପରେ ବି ଏନେଇ ଜମି ଅଧିଗ୍ରହଣ କରିବାକୁ ପଦକ୍ଷେପ ନେଉନି ସ୍ଥାନୀୟ ପ୍ରଶାସନ । ୧୯୯୯ ଓ ୨୦୧୯ ବାତ୍ୟାରୁ ସୁରକ୍ଷା ଦେଇ ନିଜକୁ ମାଟିରେ ମିଶାଇ ଦେଇଥିବା ଜଙ୍ଗଲ ଏବେ ତାହାର ପରିଚୟ ଖୋଜି ବୁଲୁଛି । ଡିଏଫ୍ଓ ମଗର ଧନଜୀ ରାଓସୋ କହିଛନ୍ତି, ବେଆଇନ ଜଙ୍ଗଲ କାଟୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଶ୍ଚିତ ପଦକ୍ଷେପ ନିଆଯିବ । ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଜଙ୍ଗଲ ଜବରଦଖଲ ନେଇ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।