ବାରିପଦା,୧୨।୬ (ଆ ପ୍ର): ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ଜନବସତି ମୁହାଁ ହେଉଥିବା ବେଳେ ସେମାନଙ୍କୁ ଜଙ୍ଗଲରେ ପ୍ରଚୁର ପରିମାଣର ଖାଦ୍ୟ ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି l ଏହି ଅଭିଯାନ ରେ ହାତୀଙ୍କ ଖାଦ୍ୟ ସୁରକ୍ଷା କଥା ଚିନ୍ତା କରି ଜଙ୍ଗଲରେ କିଭଳି ଅଧିକ ବାଉଁଶ ଗଛ ସୃଷ୍ଟି ହୋଇ ପାରିବ ସେଥିପାଇଁ ଏକ ନିଆରା ପଦକ୍ଷେପ ନିଆ ଯାଇଛି l
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଅବସ୍ଥିତ ଚାକିଡି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜଙ୍ଗଲରେ ବାଉଁଶମଞ୍ଜି ପ୍ରକ୍ଷେପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି l ଏହାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ ତଥା ଆରସିସିଏଫଡ. ପ୍ରକାଶ ଚାନ୍ଦ ଗୋଗିନାନୀ , ବାରିପଦା ବନଖଣ୍ଡ ଅଧୀକାରୀ ଏ ଉମା ମହେଶ , ପୂର୍ବତନ ପିସିସିଏଫ ଏବଂ ସେଭ ଏଲିଫେଣ୍ଟ ଫାଉଣ୍ଡେସନର ମୁଖ୍ୟ ଡ.ଦେବବ୍ରତ ସ୍ଵାଇଁ , ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ତଥା ସ୍ପାର୍ଡା ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ , ଶିମିଳିପାଳ ଦକ୍ଷିଣ ସହକାରୀ ବନ୍ୟ ସଂରକ୍ଷକ ସାମରେଶ ବିଶ୍ଵାଳଙ୍କ ସହିତ ବାଙ୍ଗିରିପୋଷି, ବଡଗାଁ,ତାଳବନ୍ଧ ବନାଞ୍ଚଳ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ ଚାକିଡି ସରପଞ୍ଚ ବିକ୍ରମ ମୁର୍ମୁ, ସେଭ ଏଲିଫେଣ୍ଟ ଫାଉଣ୍ଡେସନର ରଜନୀ କାନ୍ତ ଜେନା,ହରିହର ଦାସ, ସ୍ପାର୍ଡା ଅନୁଷ୍ଠାନର ମୋହନ ମୁର୍ମୁ, ହାଡିବନ୍ଧୁ ମୁର୍ମୁ, ପ୍ରଦୀପ ଦାସ ମହାପାତ୍ର, ସୁଧୀର ନାଏକ, ପୂର୍ଣ ନାଏକ ଏବଂ ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ଉପସ୍ଥତିରେ ଏହି ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଥିଲା l
ଏହା ଏକ ଅଭିନବ କାର୍ଯ୍ୟକ୍ରମ ଏବଂ ଏଭଳି ଉଦ୍ୟମ ଜାରି ରହିଲେ ହାତୀ ମାନେ ଖାଦ୍ୟ ଅନ୍ଵେଷଣରେ ଜନବସତିକୁ ଆସିବା କମ କରିବେ ବୋଲି ପୂର୍ବତନ ପି ସି ସି ଏଫ ଦେବବ୍ରତ ସ୍ଵାଇଁ ମତାମତ ଦେଇଥିଲେ । ଏହି କାର୍ଯ୍ୟକୁ ଆହୁରି ବ୍ୟାପକ କରି ପ୍ରତ୍ୟେକ ବର୍ଷ ଏହା କରାଯିବାକୁ ଏବଂ ଅନ୍ୟାନ୍ୟ ଗଛ ମଧ୍ୟ ରୋପଣ କରାଯିବ ବୋଲି ଆର ସି ସି ଏଫ ପ୍ରକାଶଚାନ୍ଦ ଗୋଗିନାନୀ କହିଥିଲେ । ବାରିପଦା ବନଖଣ୍ଡ ଅଧୀନରେ ଥିବା ହାତୀ ଆସୁଥିବା ଜଙ୍ଗଲ ଗୁଡିକରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ବାରିପଦା ବନଖଣ୍ଡ ଅଧୀକାରୀ ଏ ଉମା ମହେଶ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଗ୍ରାମ ସଂଗଠନ ମାନଙ୍କୁ ସଂପୃକ୍ତ କରାଯାଇ ଏହାକୁ ବ୍ୟାପକ କରାଯିବ ବୋଲି ବିବେକାନନ୍ଦ ପଟ୍ଟନାୟକ ମତାମତ ଦେଇଥିଲେ ।
ପାରମ୍ପାରିକ ପୂଜା ଅର୍ଚ୍ଚନା ସହିତ ୧୩ଟି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜଙ୍ଗଲ ମଧ୍ୟରେ ମାଟିରେ ତିଆରି ୧୦,୦୦୦ ବାଉଁଶ ମଞ୍ଜି ଗୋଳା (ବାମ୍ବ ସିଡ ବଲ )ଜଙ୍ଗଲ ମଧ୍ୟରେ ପ୍ରକ୍ଷେପଣ କରିଥିଲେ ।