ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟି, ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ବାଣପୁର, ୨୫।୦୧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ବାଣପୁର ବ୍ଲକ ବିଜେପି ତରଫରୁ ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ମୁତାବକ ୨୦୧୮/୧୯ରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ତିଆରି କରିଥିଲେ। ଉକ୍ତ ତାଲିକାରେ ବହୁ ତ୍ରୁଟି ଥିବା ଦର୍ଶାଇ ବିଭିନ୍ନ ସମୟରେ ବିଜେପି ତରଫରୁ ତାହାକୁ ବିରୋଧ କରାଯାଇଥିଲା। ଯାହାଫଳରେ ୩ ବର୍ଷ ଧରି ରାଜ୍ୟରେ ଆବାସ ବଣ୍ଟନ ବନ୍ଦ ଥିଲା। ବର୍ତ୍ତମାନ ରାଜ୍ୟ ସରକାର ୨୭ ଲକ୍ଷ ଆବାସ ଆବଶ୍ୟକ ଥିବା କେନ୍ଦ୍ରକୁ କହୁଥିବା ବେଳେ କେନ୍ଦ୍ର ସରକାର ୧ ଲକ୍ଷ ଘର ଅଧିକ ଦେଇଛନ୍ତି।
ରାଜ୍ୟ ସରାକର ଏବେ ଯେଉଁ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି ସେଥିରେ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଅଭିଯୋଗ କରିଛନ୍ତି। ତେଣୁ ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଘୋର ଅନ୍ୟାୟ କରିଥିବା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେହି ପରିପ୍ରେକ୍ଷୀରେ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚୟନ ନକରି ଲୋକଙ୍କ ଉପରେ ଛାଡିଦେଇଛନ୍ତି। ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ ସାଧାରଣ ଲୋକ ଅଭିଯୋଗ କରନ୍ତୁ l ଗରିବ ସାଧାରଣ ଲୋକ ଗାଁ ଗହଳିରେ କେବେ ବି କାହା ବିରୋଧରେ ଅଭିଯୋଗ କରିବେ ନାହିଁ ତେଣୁ ଅଯୋଗ୍ୟ ହିତାଧିକାରୀ ଆବାସ ଘର ପାଇବା ସୁଗମ ହୋଇଯିବ। ତେଣୁ ଯଦି କୌଣସି ଗୋଟିଏ ଅଯୋଗ୍ୟ ହିତାଧିକାରୀ ଘର ପାଇ ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ଭାରତୀୟ ଜନତା ପାର୍ଟି ତରଫରୁ ଏହାକୁ ସାରା ରାଜ୍ୟରେ ଜୋରଦାର ବିରୋଧ କରାଯିବ।
ଏହି ଦାବିପତ୍ର ଗ୍ରହଣ କରି ସଠିକ୍ ଭାବରେ ରାଜ୍ୟ ସରକାର ହିତାଧିକାରୀ ଚୟନ କରିବାକୁ ଦାବି କରାଯାଇଛି। ନଚେତ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାଥିରେ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଘେରାଉ କରାଯିବାକୁ ବାଣପୁର ବିଜେପି ତରଫରୁ ଚେତାବନୀ ଦିଆଯାଇଛି।