ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାଣପୁର, ୨୪/୦୫ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ। ମୃତକ ଜଣଙ୍କ ହେଉଛନ୍ତି ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ।
ସୂଚନା ମୁତାବକ, ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ (୨୨ ବର୍ଷ) କିଛି ବର୍ଷ ପୂର୍ବେ ନରେନ୍ଦ୍ରପୁର ଗ୍ରାମର କନ୍ଧ ବାରିକଙ୍କ ପୁଅ ସମୀର ବାରିକଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଅଛି। ମଙ୍ଗଳବାର ରାତିରେ ପୁଷ୍ପାଞ୍ଜଳିଙ୍କୁ ଶ୍ୱଶୁର ଘର ଲୋକ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି କରି ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟରାତ୍ରିରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ଏନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସକୁ ସୂଚନା ଦିଆଯାଇଥିଲା। ତେବେ ପୁଷ୍ପାଞ୍ଜଳିଙ୍କ ପରିବାରବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ପୁଷ୍ପାଞ୍ଜଳିଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ପଛରେ କୌଣସି ଏକ ରହସ୍ୟ ରହିଛି।ଅପର ପକ୍ଷରେ ବାଣପୁର ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।