କଟକ, ୯।୨: ସୁଆଦିଆ ବନରାଜ କୁକୁଡ଼ା ବା କଲର୍ ବାର୍ଡର ମାଂସ ଗ୍ରାହକଙ୍କ ଦ୍ୱାରା ଧୀରେ ଧୀରେ ଆଦୃତ ହେଉଥିବାରୁ ଏହାର ଚାଷ ବା ଉତ୍ପାଦନ ବଢ଼ାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉଛି । ଏବେ ଏହି କୁକୁଡ଼ା ଗ୍ରାମାଞ୍ଚଳ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟ ଥିବା ବେଳେ ସହରୀ ଗ୍ରାହକଙ୍କୁ ଟାର୍ଗେଟ୍ କରି ଏହାର ଚାଷ ଓ ଉତ୍ପାଦନକୁ ବଢ଼ାଯିବ । ଯଦିଓ ଏହି କୁକୁଡ଼ା, ଅଣ୍ଡା ଚାଷ ପାଇଁ ଲାଭଦାୟକ ହେଉଛି ତଥାପି ମାଂସର ଚାହିଦା ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି କୁକୁଡ଼ା ମାଂସର ଗୁଣବତ୍ତା ବା ମାନ ବ୍ରୟଲର କୁକୁଡ଼ା ତୁଳନାରେ ଢେର ଭଲ । କୁକୁଡ଼ା ମାଂସ ମଧ୍ୟରେ ଦେଶୀ କୁକୁଡ଼ାର ଚାହିଦା ସବୁଠୁ ଅଧିକ । ମାତ୍ର ଏହାର ଚାଷ ରାଜ୍ୟରେ ମାତ୍ର ଶୂନ ଦଶମିକ ୦୫ ରହିଛି । ଯାହା ଘରୋଇ ଭାବେ ବିନା କୌଣସି ଫାର୍ମରେ କରାଯାଉଛି । ତେଣୁ କୁକୁଡ଼ା ମାଂସର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟରେ ପ୍ରାୟ ୩୫ ବର୍ଷ ହେବ ବ୍ରୟଲର ବା ମାଂସ ପାଇଁ ପ୍ରସ୍ତୁତ କୁକୁଡ଼ା ଚାଷ ହେଉଛି । ଏହି କୁକୁଡ଼ା ମାଂସ ଉଭୟ ଘରୋଇ ଓ ହୋଟେଲ୍ ଶିଳ୍ପ ପାଇଁ ଉପଯୋଗୀ ହେଉଛି । ମାତ୍ର ବ୍ରୟଲରରେ ମାଂସର ପରିମାଣ ଅଧିକ ରହିଥିବାରୁ ଏହାର ସ୍ୱାଦ ଦେଶୀ ତୁଳନାରେ ଭଲ ନୁହେଁ ।

ତେଣୁ ଦେଶୀ ଭଳି ସ୍ୱାଦ ହୋଇଥିବା ଏବଂ କମ୍ ସମୟ ମଧ୍ୟରେ ଚାଷ କରାଯାଇ ପାରୁଥିବା ଏକ ନୂତନ କିସମର କୁକୁଡ଼ା ‘ବନରାଜ’ ଗତ ୧୦ ବର୍ଷ ହେବ ଚାଷ ଆରମ୍ଭ ହୋଇଛି । ଏହି କୁକୁଡ଼ା ଦେଖିବା ପାଇଁ ଦେଶୀ ଭଳି ରଙ୍ଗିନ୍ । ଏଥିରେ ମାଂସର ପରିମାଣ କମ୍ । କୁକୁଡ଼ାକୁ କାଟିବା ପରେ କଣ୍ଟାଳିଆ ମାଂସ ତଥା ଚିକ୍କଣ ମାଂସ ଅଧିକ ପରିମାଣରେ ମିଳିଥାଏ । ଯାହାକି ଦେଶୀ ଭଳି ସ୍ୱାଦ ଦେଇଥାଏ । ଏହାର ମାଂସ ସୁଆଦିଆ ହୋଇଥିବାରୁ ଧୀରେ ଧୀରେ ଏହାର ମାଂସ ଖାଇବାକୁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି । ଦେଶୀ କୁକୁଡ଼ାର ବିକଳ୍ପ ଭାବେ କିଛି ବ୍ୟବସାୟୀ ଏହାକୁ ବିକୁଛନ୍ତି, କିଣୁଛନ୍ତି । ପ୍ରଥମେ ପ୍ରଥମେ ଏହାକୁ ଗ୍ରାମାଞ୍ଚଳର ଚାଷୀମାନେ ଉତ୍ପାଦିତ କରି ସ୍ଥାନୀୟ ମାର୍କେଟ୍ରେ ବିକ୍ରି କରିଥିଲେ । ଖାସ୍କରି ଉପକୂଳ ଜିଲ୍ଲା କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ ଓ ବାଲେଶ୍ୱରରେ ଏହି କୁକୁଡ଼ା ଚାଷ ବଢ଼ି ବଢ଼ି ଚାଲିଛି । ଚାଷ ବେଳେ କୁକୁଡ଼ା ମରିବା ସଂଖ୍ୟା କମ୍ ଓ କୁକୁଡ଼ା ତ୍ୟାଗ କରୁଥିବା ମଳ ପରିମାଣ ମଧ୍ୟ କମ୍ । ତେଣୁ ଏହାକୁ ଚାଷୀ ଅଧିକ ମାତ୍ରାରେ ଚାଷ କରୁଛନ୍ତି । ବ୍ରୟଲର କୁକୁଡ଼ାର ଦରଠାରୁ କଲର୍ ବାର୍ଡର ଦର ସାମାନ୍ୟ ଅଧିକ ରହିଥିବାରୁ ଏବେ ଗ୍ରାମାଞ୍ଚଳ ମାର୍କେଟ୍ରେ ଏହା ପୂରା ଛାଇଗଲାଣି ।

ଏହା ବି ପଢ଼ନ୍ତୁ... ବଳଙ୍ଗାରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା, ଉକୁଣୀ ନେଲା ନାବାଳିକାର ଜୀବନ !

ସରକାରୀ ରେକର୍ଡ କହୁଛି ବର୍ତ୍ତମାନ ରାଜ୍ୟରେ ମାଂସ ପାଇଁ ଉତ୍ପାଦନ ହେଉଥିବା କୁକୁଡ଼ା ମଧ୍ୟରେ ବ୍ରୟଲରର ପରିମାଣ ପ୍ରାୟ ୮୦ରୁ ୮୫ ପ୍ରତିଶତ ରହିଛି । ବାକି ୧୫ରୁ ୨୦ ପ୍ରତିଶତ କଲର୍ ବାର୍ଡ଼ ଉତ୍ପାଦନ ହେଉଛି । ପ୍ରଥମ ପର୍ଯ୍ୟାୟରେ କଲର୍ ବାର୍ଡ କୁକୁଡ଼ାର ଉତ୍ପାଦନ ୪୦ ପ୍ରତିଶତ କରିବାକୁ ଉଦ୍ୟମ ହେଉଛି । ଏହି ଉତ୍ପାଦନ କେବଳ ସୁଆଦିଆ ମାଂସ ପାଇଁ ନୁହେଁ, ବରଂ ପଡ଼ୋଶୀ ରାଜ୍ୟ ଉପରୁ କୁକୁଡ଼ା ଆମଦାନୀର ବୋଝ କମାଇବା ଲକ୍ଷ୍ୟରେ କରାଯାଉଛି । ରେକର୍ଡ ମୁତାବକ ଏବେ ରାଜ୍ୟ ପାଇଁ ପ୍ରତିବର୍ଷ ୧୦ ଲକ୍ଷ କ୍ୱିଣ୍ଟାଲ୍ କୁକୁଡ଼ା ମାଂସର ଆବଶ୍ୟକତା ଥିବାବେଳେ ସେଥିରୁ ପ୍ରାୟ ଅଢ଼େଇ ଲକ୍ଷ କ୍ୱିଣ୍ଟାଲ୍ କୁକୁଡ଼ା ରାଜ୍ୟ ବାହାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଆସୁଛି । ଏହିସବୁ ରାଜ୍ୟକୁ ଲାଗି କରି ଥିବା ଜିଲ୍ଲା ଗୁଡ଼ିକ ସେଠାରୁ କୁକୁଡ଼ା ମଗାଉଛନ୍ତି । ଅଫ୍ ସିଜିନ୍ରେ ମଧ୍ୟ ଉପକୂଳ ଓଡ଼ିଶାକୁ ସେଠାରୁ କୁକୁଡ଼ା ଆମଦାନୀ ହେଉଛି । ତେବେ କଲର୍ ବାର୍ଡ କୁକୁଡ଼ାରେ ଏକ ସାମାନ୍ୟ ଏକ ନକରାତ୍ମକ ଗୁଣ ରହିଛି । ଏହି କୁକୁଡ଼ାର ମାଂସ ମୁଖ୍ୟତଃ ଘରୋଇ ଗ୍ରାହକଙ୍କ ବ୍ୟବହାରରେ ଆସିବ । ହୋଟେଲରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ବ୍ୟଞ୍ଜନ ଏଥିରେ କରାଯିବା ସହଜ ହେଉନି । କୁକୁଡ଼ାରେ ମାଂସର ପରିମାଣ କମ୍ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଥିବା ବିଶେଷଜ୍ଞ କହିଛନ୍ତି ।