PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଓଡ଼ିଶା-ବଙ୍ଗ ସୀମାନ୍ତରେ ସନ୍ଦେହଜନକ ଅବସ୍ଥାରେ ବଙ୍ଗୀୟ ମହିଳାଙ୍କ ମୃତଦେହ ଉଦ୍ଧାର : ତଥ୍ୟ ଲୁଚାଉଛି ବଙ୍ଗ ପୁଲିସ  

ଭୋଗରାଇ,୨୩/୯ : ଭୋଗରାଇର ଉପାନ୍ତ ଅଞ୍ଚଳ ତଥା ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବିବାଦୀୟ ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବଙ୍ଗୀୟ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ଦୀଘା ମୁହାଣ ପୁଲିସ । ଏ ନେଇ ପୁଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ହାତବାନ୍ଧି ବସିବା ସହିତ ମୃତ ମହିଳାଙ୍କ ପରିଚୟ ଏବଂ ମାମଲା ସମ୍ପର୍କୀୟ ତଥ୍ୟ ଲୁଚାଇବା ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶାର ଉଦୟପୁର ଏବଂ ପଶ୍ଚିମବଙ୍ଗର ଦତ୍ତପୁର ଗାଁର ସୀମାନ୍ତ ବିବାଦୀୟ ସ୍ଥାନ ତଥା ସାହାବାଜିପୁର- ଉଦୟପୁର ବେଳାଭୂମି ରାସ୍ତା ପାର୍ଶ୍ବରେ ଥିବା ଦତ୍ତପୁର ଗ୍ରାମର ଖଗେନ୍ଦ୍ର ବେରାଙ୍କ ପୁଅ ପୂର୍ଣ୍ଣଙ୍କ ଏକ ବ୍ୟବସାୟିକ ଅସ୍ଥାୟୀ ଘରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଅଜଣା ବଙ୍ଗୀୟ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପଶ୍ଚିମବଙ୍ଗ ଦୀଘା ସାମୁଦ୍ରିକ ଥାନା ପୁଲିସ ଉଦ୍ଧାର କରିଛି । ସୂଚନା ମୁତାବକ,ତାଳସାରି ସାମୁଦ୍ରିକ ଥାନା ଅଞ୍ଚଳର ଉଦୟପୁର ବେଳାଭୂମି ଓ ଦତ୍ତପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଦତ୍ତପୁର ଗ୍ରାମର ପୂର୍ଣ୍ଣ ବେରା, ଚନ୍ଦ୍ର ବେରା, ସୂର୍ଯ୍ୟ ବେରା ଓ ଜୟଦେବ ବେରା ଦୀର୍ଘ ୫ବର୍ଷ ହେବ ଇଟା କାନ୍ଥ ଓ ଆଜବେଷ୍ଟସ ଛପର ଘର ନିର୍ମାଣ କରି ସେଠାରେ ୧୫ରୁ ଊର୍ଦ୍ଧ୍ବ ବଙ୍ଗୀୟ ଦେହଜୀବୀଙ୍କୁ ରଖି ଅନୈତିକ କାର୍ଯ୍ୟକଳାପ କରି ଆସୁଥିଲେ ।

ଏପରିକି ଉଦୟପୁର ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ଦେହଜୀବୀମାନଙ୍କ ଜରିଆରେ ଶୋଷଣ କରୁଥିଲେ । ଏହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ଦୁଇ ରାଜ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏହାସହ ଅନୈତିକ ଆର୍ଥିକ କାରବାର ମାଧ୍ୟମରେ ପୁଲିସ ଓ ପ୍ରଶାସନ ଏହି ଅନୈତିକ କାର୍ଯ୍ୟକୁ ଘଣ୍ଟଘୋଡ଼ାଉ ଥିବା ଅଭିଯୋଗ ହେଉଛି । ତେବେ ଶୁକ୍ରବାର ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ମୃତ ମହିଳାଙ୍କ ନାମ ରାଖୀ ଏବଂ ତାଙ୍କର ଜଣେ ଚାରି ବର୍ଷର ଶିଶୁକନ୍ୟା ଥିଲା ବୋଲି ସ୍ଥାନୀୟ ଲୋକେ କହୁଥିଲାବେଳେ ମା’ର ମୃତ୍ୟୁ ପରେ ଏ ପର୍ଯ୍ୟନ୍ତ ତାଙ୍କ ଶିଶୁକନ୍ୟାର କୌଣସି ସନ୍ଧାନ ମିଳି ପାରିନାହିଁ।

ଖବରପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାରୁ ଏହି ଅନୈତିକ କାର୍ଯ୍ୟକଳାପ ପରିଚାଳନା କରୁଥିବା ଦତ୍ତପୁର ଗାଁର ସଂପୃକ୍ତ ଚାରିଭାଇ ସେଠାରୁ ଖସି ପଳାଇଥିଲେ । ଗ୍ରାମବାସୀ ସ୍ଥାନୀୟ ପୁଲିସକୁ ଖବର ଦେବାପରେ ଏହି ସ୍ଥାନଟି ବିବାଦୀୟ ଅଞ୍ଚଳ କହି ତାଳସାରି ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳକୁ ଆସି ନ ଥିଲା। ତେବେ ମଧ୍ୟାହ୍ନ ପ୍ରାୟ ୧ଟା ୩୦ ମିନିଟ ସମୟରେ ଦୀଘା ମୁହାଣ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଗେନ୍ଦ୍ରଙ୍କ ପତ୍ନୀ ପ୍ରମିଳାଙ୍କୁ ଅଟକ ରଖିବା ସହ ସଂପୃକ୍ତ ଘରର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରି ଦୀଘା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ଦୀଘା ମୁହାଣ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ହାତବାନ୍ଧି ବସିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସଂପୃକ୍ତ ମହିଳାଙ୍କ ପରିଚୟ ଏବଂ ମାମାଲା ସମ୍ପର୍କୀୟ ତଥ୍ୟ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ନଦେବା ଘଟଣାକୁ ନେଇ ପୁଲିସର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂତ୍ରରୁ ପ୍ରକାଶ, ପୂର୍ବରୁ ସେଠାରେ ମଧ୍ୟ ପୃଥକ ଭାବେ ଚାରି ଜଣ ବଙ୍ଗୀୟ ଯୁବତୀ ଓ ଦୁଇ ଜଣ ବଙ୍ଗୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାବେଳେ ଦୀଘା ମୁହାଣ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ଚୁପ ହେଇ ବସିଛି । ଅତି ନିକଟରେ ଥିବା ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନା ପୁଲିସ ପ୍ରତ୍ୟେକ ଘଟଣା ବେଳେ ବାରମ୍ବାର ଏହି ସ୍ଥାନକୁ ବିବାଦୀୟ ଜାଗା କହି ଦେହଜୀବୀ ଓ ନିଶା ମାଫିଆମାନଙ୍କୁ ସୁରକ୍ଷା ଦେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।