ବେଙ୍ଗାଲୁରୁର ବିଶାଳ ସ୍କୋର,ଏଲିମିନେଟରରେ ବିସ୍ଫୋରକ ଶତକ ହାସଲ କଲେ ରଜତ ପାଟିଦାର

Image Courtesy : IPL Twitter
କୋଲକାତା: ରଜତ ପାଟିଦାରଙ୍କ ବିସ୍ଫୋରକ ଅପରାଜିତ ଶତକ ବଳରେ ଆଇପିଏଲ ୨୦୨୨ର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଶାଳ ସ୍କୋର କରିଛି। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସମ୍ମୁଖରେ ୨୦୮ ରନର ବିଜୟ ଲକ୍ଷ୍ୟ ରହିଛି। ପାଟିଦାର ମାତ୍ର ୫୪ ବଲରୁ ୧୧୨ର ଅପରାଜିତ ଧୂଆଁଧାର ଶତକୀୟ ଇନିଂସ ଖେଳିଛନ୍ତି। ଦିନେଶ କାର୍ତ୍ତିକ ୩୭ ରନର ଆକ୍ରମଣାତ୍ମକ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳକୁ ବିଶାଳ ସ୍କୋର ଦେଇଛନ୍ତି। ମୋହସିନ ଖାନଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।
ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଏହି କ୍ରମରେ ପାଟିଦାର ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳର ସ୍କୋରକୁ ୪ ଓ୍ଵିକେଟରେ ୨୦୭ରେ ପହଞ୍ଚାଇଛନ୍ତି। ପାଟିଦାର ୫୪ ବଲରୁ ୧୨ ଚୌକା ଏବଂ ୭ ଛକା ସହ ୧୧୨ ଏବଂ କାର୍ତ୍ତିକ ୨୩ ବଲରୁ ୫ ଚୌକା ଏବଂ ୧ ଛକା ସହୟତାରେ ୩୭ ରନ କରି ଅପରାଜିତ ଥିଲେ।