ନୂଆଦିଲ୍ଲୀ, ୧୨।୬: ଭାରତ ଏବଂ ବାଂଲାଦେଶ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି । ବାଂଲାଦେଶର କଟ୍ଟରପନ୍ଥୀ ସଂଗଠନ 'ଜମାତ-ଏ-ଇସଲାମୀ' ଏବଂ ତା’ର ସହଯୋଗୀ ୧୧ଟି ବିରୋଧୀ ଦଳ ଭାରତ ବିରୋଧରେ ଏକ ବଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି । ଆଜି ଅର୍ଥାତ୍ ଜୁନ୍ ୧୨ ତାରିଖ ଶୁକ୍ରବାର ଦିନ ବାଂଲାଦେଶର ହଜାର ହଜାର ଲୋକ ଭାରତ ସୀମା ଆଡ଼କୁ ମାର୍ଚ୍ଚ କରିବା ସହ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହି ମେଣ୍ଟରେ ପୂର୍ବରୁ ଶେଖ ହସିନା ବିରୋଧୀ ଛାତ୍ର ନେତାଙ୍କ ଦ୍ୱାରା ପରିଚାଳିତ 'ନ୍ୟାସନାଲ ସିଟିଜେନ୍ ପାର୍ଟି' ମଧ୍ୟ ସାମିଲ ରହିଛି ।

କାହିଁକି ହେଉଛି ଏହି ବିରୋଧ ପ୍ରଦର୍ଶନ ?

ବାଂଲାଦେଶୀ ସଂଗଠନଗୁଡ଼ିକର ଅଭିଯୋଗ ଯେ, ଭାରତୀୟ ସୀମାରେ ବାଂଲାଦେଶୀ ନାଗରିକଙ୍କ ସହ ଅସଦାଚରଣ କରାଯାଉଛି ଏବଂ ବିଏସଏଫ୍ ଗୁଳିମାଡ଼ରେ ଅନେକ ନାଗରିକଙ୍କ ମୃତ୍ୟୁ ଘଟୁଛି । ଏହା ସହ ଭାରତ ସରକାର ଜବରଦସ୍ତ ଲୋକଙ୍କୁ ବାଂଲାଦେଶ ସୀମା ଭିତରକୁ ପଠାଇ ଦେଉଥିବା ସେମାନେ ଦାବି କରିଛନ୍ତି । ବାଂଲାଦେଶର ସମସ୍ତ ସୀମାବର୍ତ୍ତୀ ଜିଲ୍ଲା ଏବଂ ଗୁରୁତ୍ୱପୂର୍ଣ୍ଣ ବର୍ଡର ପଏଣ୍ଟରେ ବିଶାଳ ର୍ୟାଲି ହେବ । ବାଂଲାଦେଶର ରାଜଧାନୀ ଢାକାରେ ଏକ ବଡ଼ ଧରଣର ସମାବେଶ ଓ ଶୋଭାଯାତ୍ରା ହେବ । ଭାରତ ସରକାର ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ଭାରତ ପକ୍ଷରୁ କୁହାଯାଇଛି ଯେ, କୌଣସି ଜବରଦସ୍ତ 'ପୁଶ୍-ଇନ୍' କରାଯାଉ ନାହିଁ, ବରଂ ଯେଉଁମାନେ ବେଆଇନ ଭାବେ ଭାରତରେ ରହୁଛନ୍ତି, ସେମାନଙ୍କର ସଠିକ୍ ପରିଚୟ ଯାଞ୍ଚ କରି ଆଇନଗତ ପ୍ରକ୍ରିୟା ଏବଂ ଦୁଇ ଦେଶର ଚୁକ୍ତି ଅନୁସାରେ ହିଁ ସେମାନଙ୍କୁ ଦେଶରୁ ବାହାର କରାଯାଉଛି । ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଅନୁସାରେ, ସୀମାବର୍ତ୍ତୀ ଅଞ୍ଚଳର ହୋଲ୍ଡିଂ ସେଣ୍ଟରରୁ ପ୍ରାୟ ୪,୮୦୦ ବେଆଇନ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇ ସାରିଛି ଏବଂ ଅନ୍ୟ ୮୩୬ ଜଣଙ୍କୁ ପଠାଇବା ପ୍ରକ୍ରିୟା ଜାରି ରହିଛି ।

ନିଜ ସରକାର ଉପରେ ବର୍ଷିଲା ଜମାତ:

ଢାକାସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରି ଜମାତ-ଏ-ଇସଲାମୀର ସହକାରୀ ମହାସଚିବ ଏଏଚଏମ ହମିଦୁର ରହମାନ ଆଜାଦ କହିଛନ୍ତି ଯେ, ବାଂଲାଦେଶର ବର୍ତ୍ତମାନର ଗୃହମନ୍ତ୍ରୀ ଭାରତ ପ୍ରତି ଅତ୍ୟଧିକ ନରମ ମନୋଭାବ ପୋଷଣ କରୁଛନ୍ତି, ଯାହା ଗ୍ରହଣୀୟ ନୁହେଁ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରାୟ ୪,୦୯୬ କିଲୋମିଟର ଦୀର୍ଘ ସୀମା ରହିଛି, ଯାହା ଭାରତର ସବୁଠାରୁ ବଡ଼ ଆନ୍ତର୍ଜାତୀୟ ସୀମା । ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିବା ବେଳେ ବାଂଲାଦେଶର ଇସଲାମିକ ସଂଗଠନଗୁଡ଼ିକ ଏହାକୁ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଚେଷ୍ଟା କରୁଛନ୍ତି, ଯାହା ଆଗାମୀ ଦିନରେ ସୀମା ସୁରକ୍ଷା ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିପାରେ ।

ଆହୁରି ପଢ଼ନ୍ତୁ... Ahmedabad plane crash: ଭୟଙ୍କର ପ୍ଲେନ୍ କ୍ରାସ୍କୁ ବର୍ଷେ...ଏବେ ବି ମନରେ ଅନେକ ପ୍ରଶ୍ନ, ଆତ୍ମୀୟଙ୍କୁ ହରାଇବାର କ୍ଷତକୁ ଭରଣା କରିନି କ୍ଷତିପୂରଣ