ନୂଆଦିଲ୍ଲୀ,୧୯।୧୧: ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗ ସୀମାରେ ଆଜିକାଲି ଖୁବ୍ ଭିଡ ଲାଗି ରହିଛି। ବଙ୍ଗଳାରେ ବହୁ ବର୍ଷ ହେବ ରହୁଥିବା ବେଆଇନ ବାଂଲାଦେଶୀ ନିଜ ଦେଶକୁ ଫେରିବାରେ ଲାଗିଛନ୍ତି। ଏହାର କାରଣ ହେଉଛି ସ୍ପେଶାଲ ଇନଟେନସିଭ ରିଭିଜନ ବା ଏସ୍ଆଇଆର୍ର କାମ ଆରମ୍ଭ ହୋଇସାରିଛି। ଏହାର ପ୍ରଭାବରେ ବେଆଇନ୍ ବାଂଲାଦେଶୀଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ସୁଟକେସ୍, ବ୍ୟାଗ୍ ଓ ଜରୁରୀ ଜିନିଷ ଧରି ଶତାଧିକ ଲୋକ ସୀମା ପାର ହେବାର ଅପେକ୍ଷାରେ ଅଛନ୍ତି।
ବିଏସ୍ଏଫର ୧୪୩ ବାଟାଲିୟନ ନଦୀ କୂଳରେ ସନ୍ଦିଗ୍ଧ ଗତିବିଧି ଦେଖି ଲୋକଙ୍କୁ ଅଟକାଇ ପଚର ଉଚରା କରିଛି। ଭାରତ ବାଂଲାଦେଶ ସୀମାର ଉତ୍ତର ୨୪ ପ୍ରଗଣାର ସ୍ବରୂପ ନଗର ଚେକ୍ପୋଷ୍ଟ ନିକଟରେ ବେଆଇନ ବାଂଲାଦେଶୀଙ୍କ ଭିଡ ଲାଗିଛି। ଆଗାମୀ ୨୪ ଘଣ୍ଟାରେ ଏହି ସଂଖ୍ୟା ୫୦୦ ଉପରେ ପହଁଞ୍ଚି ଯାଇଛି। ସବୁ ଲୋକ ଜିରୋ ଲାଇନ୍ ପାଖରେ ବସିଛନ୍ତି। ନିଜ ପାଖରେ କେବଳ କମ୍ବଳ ଓ ଅନ୍ୟ କିଛି ଜିନିଷ ରଖିଛନ୍ତି।
ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବହୁ ବର୍ଷ ହେବ କୋଲକାତା ଓ ଏହାର ଆଖପାଖ ଅଞ୍ଚଳ ଯେପରି ବିରାତି,ମଧ୍ୟମଗ୍ରାମ୍, ରାଜାରହାଟ, ନ୍ୟୁ ଟାଉନ୍, ସଲ୍ଟ ଲେକ୍ରେ ବେଆଇନ୍ ଭାବରେ ରହୁଥିଲେ। ଅଧିକାଂଶ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ରହିଛନ୍ତି। କାହା ପାଖରେ ଭିସା, ପାସପୋର୍ଟ କିମ୍ବା ବୈଧ ପ୍ରମାଣପତ୍ର ନାହିଁ। ବିଏସ୍ଏଫ୍ ଅଧିକାରୀଙ୍କ କହିବା ଅନୁସାରେ, ଗତ କିଛି ସପ୍ତାହରେ ଲୋ ଏଭଳି ଫେରିବାର ଚେଷ୍ଟା କରୁଛନ୍ତି। ଚଳିତ ମାସ ଆରମ୍ଭରୁ ତରାଳି ସୀମା ନିକଟରେ ଏଭଳି ୯୪ ଜଣ ଧରାପଡିଥିଲେ।