ସୃଷ୍ଟିର ଶ୍ରେଷ୍ଠ ଜାତି ହିସାବରେ ମଣିଷ ନିଜ ଦେଶ, ନିଜ ଜାତି, ନିଜ ଭାଷାକୁ କେବଳ ଭଲ ପାଏନାହିଁ, ବରଂ ପ୍ରକୃତିକୁ ମଧ୍ୟ ବେଶ୍ ଭଲପାଏ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଅନେକ ବୁଦ୍ଧିମାନ ତଥା ଉଚ୍ଚଶିକ୍ଷିତ ବ୍ୟକ୍ତି ବିଶେଷ କରି ବଣ, ପାହାଡ଼, ଝରଣା, ବରଫାବୃତ୍ତ ପାର୍ବତ୍ୟ ଅଞ୍ଚଳରେ ଅନେକ ମନ୍ଦିର ମସ୍ଜିଦ୍, ଗୁରୁଦ୍ୱାରା, ବୌଦ୍ଧମନ୍ଦିର ନିର୍ମାଣ କରି ଏକ ଧାର୍ମିକ ପେଣ୍ଠସ୍ଥଳୀ ବା ତୀର୍ଥକ୍ଷେତ୍ରରେ ପରିଣତ କରିଦିଅନ୍ତି । ଆସ୍ଥାର ବଶବର୍ତ୍ତୀ ହୋଇ ଭକ୍ତମାନଙ୍କ ସହିତ ବିଦେଶୀ ପର୍ଯ୍ୟଟକମାନଙ୍କର ଉକ୍ତ ସ୍ଥାନକୁ ସୁଅ ଛୁଟେ । ସେଠାରେ ଭାଷା, ଧର୍ମ, ବର୍ଣ୍ଣ, ଜାତିର ପ୍ରତିବନ୍ଧକ ନଥାଏ, ବରଂ ପରସ୍ପରକୁ ସାହାଯ୍ୟ କରିବାପାଇଁ ଅନେକ ବ୍ୟବସାୟ କେନ୍ଦ୍ର ଖୋଲାଯାଏ । ବିଶେଷ କରି ହୋଟେଲ, ଧର୍ମଶାଳା, ସୁଲଭ ମୂଲ୍ୟରେ ଗାଡ଼ିମଟର ମିଳିବା ବ୍ୟତୀତ ଦୋକାନ ବଜାରରେ ସ୍ଥାନୀୟ ପଦାର୍ଥର ଉପଲବ୍ଧି, ସେଠାକାର ହସ୍ତଶିଳ୍ପ, ସ୍ଥାନୀୟ ବାସିନ୍ଦାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରାଏ । ରାସ୍ତାଘାଟ, ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ ହେବା ସହିତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟର ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲେ । ଉତ୍ତମ ପରିବେଶରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବାକୁ ପସନ୍ଦ କରୁଥିବା ବେଳେ ଅଭିଭାବକମାନେ ମଧ୍ୟ ଘରଠାରୁ ଦୂରରେ ରହି ଏକ ସମ୍ପୂର୍ଣ୍ଣ ଶୈକ୍ଷିକ ବାତାବରଣ ମଧ୍ୟରେ ତାଙ୍କ ପିଲାମାନେ ଶିକ୍ଷା ଗ୍ରହଣ କରି ଶିକ୍ଷିତ ହୁଅନ୍ତୁ, ଭଲ ବ୍ୟବସାୟ କରନ୍ତୁ, ଉଚ୍ଚ ପଦସ୍ଥ ଅଫିସର ହୁଅନ୍ତୁ ଇତ୍ୟାଦି ଅନେକ ସ୍ୱପ୍ନ ଦେଖନ୍ତି । ସେଥିପାଇଁ ଦାର୍ଜିଲିଂ ଠାରୁ ଆରମ୍ଭ କରି ଡେରାଡୁନ୍, ନୈନିତାଲ, ପଶ୍ଚିମରେ ରାଜସ୍ଥାନର କୋଟା, ଦକ୍ଷିଣରେ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ଅନେକ ବଡ଼ ବଡ଼ ସହରରେ ବେଶ୍ ବଡ଼ ବଡ଼ ଧାର୍ମିକ ଅନୁଷ୍ଠାନ ଗଢ଼ିଉଠିବା ସହିତ ଶିକ୍ଷାନୁଷ୍ଠାନର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । କେବଳ ବିଦ୍ୟାର୍ଥୀ ନୁହଁନ୍ତି, ତୀର୍ଥଯାତ୍ରୀଙ୍କ ସହିତ ପର୍ଯ୍ୟଟନ ବିକାଶରେ ଦେଶର ସୁନାମ ବଢ଼ିବା ସହିତ ଉକ୍ତ ଅଞ୍ଚଳବାସୀଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ବୋଲି ଆମେ ଦୃଢ଼ ଭାବରେ କହିପାରିବା । ସେଥିପାଇଁ ବୋଧେ "ବାଣିଜ୍ୟେ ବସତି ଲକ୍ଷ୍ମୀ' ଭଳି ଗଭୀର ଅର୍ଥକୁ ବହନ କରୁଥିବା ଉକ୍ତିଟି ଆମକୁ ଚଳଚଞ୍ଚଳ କରି ରଖିଥାଏ ।

ଏଇ ନିକଟରେ ଜଣେ ପର୍ଯ୍ୟଟକ ହିସାବରେ ଆମେ ଉଭୟ ସ୍ୱାମୀ, ସ୍ତ୍ରୀ ଏବଂ ଆମର ଜଣେ ବନ୍ଧୁ ତାଙ୍କର ପତ୍ନୀ ଉତ୍ତରାଖଣ୍ଡର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବୁଲି ଦେଖିବାର ଆଶା ରଖି ମଇ ମାସ ଦଶ ତାରିଖରୁ ଘରୁ ବାହାରି ପଡ଼ିଲୁ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦର ଏବଂ ଦିଲ୍ଲୀରୁ ଉତ୍ତରାଖଣ୍ଡର ଡେରାଡୁନ୍ର ବିମାନ ବନ୍ଦରରେ ସନ୍ଧ୍ୟା ଛଅଟା ଭିତରେ ପହଞ୍ଚିଗଲୁ । ସେଠାରୁ ଆମପାଇଁ ଅପେକ୍ଷା କରିଥିବା ନିର୍ଦ୍ଦିଷ୍ଟ ଟ୍ୟାକ୍ସି ସାହାଯ୍ୟରେ ଆମ ପାଇଁ ଉଦ୍ଦିଷ୍ଟ ହୋଟେଲ୍ରେ ଘଣ୍ଟାଏ ମଧ୍ୟରେ ପହଞ୍ଚିଗଲୁ । ଗମନାଗମନର ଉତ୍ତମ ବ୍ୟବସ୍ଥା ଆମର ଯାତ୍ରାକୁ ଆରାମପ୍ରଦ କରିଦେଲା । ଆମ ଦେଶ ଯେ ଆଗଉଛି, ସଶକ୍ତ ହେଉଛି, ଲୋକମାନେ ସଭ୍ୟ ତଥା ଶିକ୍ଷିତ ହେଉଛନ୍ତି, ଏସବୁ ସତଯେପରି ଧୀରେ ଧୀରେ ସ୍ପଷ୍ଟ ଭାବେ ଦେଖାଯାଉଥାଏ । ପାରମ୍ପରିକ ବେଶଭୂଷା ବଦଳରେ ଚଳପ୍ରଚଳ ପାଇଁ ସୁବିଧା ହେଉଥିବା ପୋଷାକ ପିନ୍ଧି ମହିଳାମାନେ ନିଜର ଦକ୍ଷତା ସହିତ ଉନ୍ନତ ଚିନ୍ତାଧାରାକୁ ପ୍ରଦର୍ଶିତ କରୁଥାଆନ୍ତି । ମୁଁ କିନ୍ତୁ ଓଡ଼ିଶାର ଟେରାକୋଟା ହସ୍ତତନ୍ତର ଏକ ଶାଢ଼ିକୁ ପିନ୍ଧି ଡେରାଡୁନରେ ପହଞ୍ଚିଗଲି । ମୋ ପୋଷାକ ମୋତେ ବେଶ୍ ଗର୍ବିତ କରୁଥାଏ । କିନ୍ତୁ ପାହାଡ଼ ପର୍ବତର ଉଠାଣି ରହଣି ରାସ୍ତାରେ ଯିବା ଆସିବା କରିବା ଶିଡ଼ି ଚଢ଼ିବା, ଓହ୍ଲାଇବା ଭଳି କଷ୍ଟପ୍ରଦ କାମ ପାଇଁ ମୁଁ ମୋର ପୋଷାକକୁ ବଦଳାଇ ଦେଲି ଏବଂ ଏକ ସୁବିଧାଜନକ ପୋଷାକକୁ ଆପଣେଇ ନେଲି । ହୋଟେଲରେ ପହଞ୍ଚି ମନେ ପକାଇଲି ଓଡ଼ିଶାର ସୁନ୍ଦର ପର୍ଯ୍ୟଟନସ୍ଥଳୀର ଦୁରବସ୍ଥାକୁ । ଫୁଲବାଣୀର ଦାରିଙ୍ଗିବାଡ଼ି ଠାରୁ ଆରମ୍ଭ କରି ମାଛକୁଣ୍ଡର ଡୁଡୁମା ଜଳପ୍ରପାତ, ଶିମିଳିପାଳର ବିରେହୀପାଣି ଜଳପ୍ରପାତ, ଯାହାର ଉଚ୍ଚତା ତିନିଶହ ଅନେଶତ ମିଟର, ସୁନ୍ଦରଗଡ଼ର ଖଣ୍ଡାଧାର ଜଳପ୍ରପାତ, ଆନ୍ଧ୍ର ଓଡ଼ିଶାର ସୀମାରେ ଥିବା ଡୁମ୍ଡୁମା ଜଳପ୍ରପାତ । କେନ୍ଦୁଝରର ବଡ଼ ଘାଗରା ଏବଂ ସାନ ଘାଗରା ସହିତ ଯୋରନ୍ଦାର ଚାରିଶହ ନବେ ଫୁଟ ଉଚ୍ଚତାବିଶିଷ୍ଟ ଜଳପ୍ରପାତ ନିକଟରେ ଶୀତଦିନେ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ଜମିଥାଏ । ରହିବା ପାଇଁ ହୋଟେଲ୍ ର ଘୋର ଅଭାବ, ଶୌଚାଳୟର ଅଭାବ, ଭୋଜିଭାତ କରିବାପାଇଁ ସ୍ଥାନର ଅଭାବ, ଗାଡ଼ି ପାର୍କିଂ କରିବା ପାଇଁ ସ୍ଥାନର ଅଭାବକୁ ପର୍ଯ୍ୟଟକମାନେ ଗଣମାଧ୍ୟମ ଆଗରେ ବଖାଣନ୍ତି । ମୋର ମଧ୍ୟ ପ୍ରତ୍ୟକ୍ଷ ଅନୁଭୂତି ସେମାନଙ୍କ ସହିତ ମିଶିଯାଏ । ଏବେ ପୁଣି ଉତ୍ତରାଖଣ୍ଡର ଶୈଳନିବାସ ସହିତ ହରିଦ୍ୱାର, ଋଷିକେଶ ଭଳି ତୀର୍ଥକ୍ଷେତ୍ରର ଉପସ୍ଥିତି ଯୋଗୁଁ ବାର୍ଷିକ ପ୍ରାୟ ଛଅକୋଟି ତିରିଶି ଲକ୍ଷ ଲୋକଙ୍କର ସମାଗମ ହେଉଛି ଜାଣି ଆଶ୍ଚର୍ଯ୍ୟ ହେଲି । ହରିଦ୍ୱାରରେ ସାଢ଼େ ତିନିକୋଟି ଲୋକ ଗଙ୍ଗାସ୍ନାନ କରିବା ସହିତ ଗଙ୍ଗା ଆଳତି କରନ୍ତି । ଶହ ଶହ ମନ୍ଦିର ମଧ୍ୟରେ ଭାରତ ମାତାଙ୍କର ମନ୍ଦିର ଆମ ଆଗରେ ଅନେକ କିଛି ଶିକ୍ଷଣୀୟ ଘଟଣାକୁ ପ୍ରଦର୍ଶିତ କରୁଥାଏ । ଡେରାଡୁନ୍ ର ଗରମ ପରିବେଶରେ ବର୍ଷକୁ ପ୍ରାୟ ଶତଷଠି ଲକ୍ଷ ପର୍ଯ୍ୟଟକଙ୍କର ସମାଗମ ହୁଏ ।

ଆମ ଓଡ଼ିଶାରେ ବାର୍ଷିକ ମାତ୍ର ସତାବନ ହଜାର ବିଦେଶୀ ପର୍ଯ୍ୟଟକଙ୍କ ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କର ସଂଖ୍ୟା ଏକ କୋଟି ତେର ଲକ୍ଷରେ ପହଞ୍ଚିଛି । ଯାହା ଆମର ପ୍ରଶାସନିକ ବ୍ୟବସ୍ଥାଠାରୁ ଆରମ୍ଭ କରି ନେତୃବୃନ୍ଦଙ୍କର ଆନ୍ତରିକତାକୁ ନେଇ ଅନେକ ପ୍ରଶ୍ନ ଠିଆ କରୁଛି । କେତେ ଦିନଯାଏଁ ଓଡ଼ିଆ ଜାତି ଏଭଳି ପଛୁଆ ହୋଇ ରହିଥିବେ ଭାବି ଆମେ ଚାରିଜଣ ପରସ୍ପରକୁ ପ୍ରଶ୍ନ ପଚାରିଲୁ । ହିମାଳୟ ପର୍ବତମାଳାର ପ୍ରାୟ ପଚିଶି ହଜାର ସାତ ଶହ ଫୁଟ ଉଚ୍ଚତାରେ ଥିବା ଉତ୍ତରାଖଣ୍ଡର ସର୍ବୋଚ୍ଚ ସ୍ଥାନକୁ ଯୋଗାଯୋଗ କରୁଥିବା ଅଙ୍କାବଙ୍କା ରାସ୍ତାରେ ଶହ ଶହ ଗାଡ଼ି ମଟର ଯିବାଆସିବା କରିବା ସତ୍ତେ୍ୱ ଦୁର୍ଘଟଣାର ସଂଖ୍ୟା ଖୁବ୍ କମ୍ ଥାଏ । ଡ୍ରାଇଭରମାନଙ୍କ ସହଯୋଗର ମନୋଭାବ ସହିତ ମାଦକ ଦ୍ରବ୍ୟର ବ୍ୟବହାର ଉପରେ ସଂଯମତା, ବିଶେଷକରି କଠୋର ଟ୍ରାଫିକ ବ୍ୟବସ୍ଥା ଅନେକ ଦୁର୍ଘଟଣାକୁ ଏଡ଼ାଇ ପାରୁଛି ବୋଲି ଜାଣିବାକୁ ପାଇଲି । ଦିନସାରାର ଧାଁ ଧଉଡ଼ ମଧ୍ୟରେ ରାତିରେ ଆମର ପରମ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଦୁଇଟି ଉପରକୁ ଉଠିଯାଏ । ସେତେବେଳେ ମଧ୍ୟ ପୁଣି ଥରେ ମନ ମଧ୍ୟକୁ ପଶିଆସେ ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର, ଖ୍ରୀଷ୍ଟପୂର୍ବ ଛଅଶହ ଶତାବ୍ଦୀରେ ତିଆରି ହୋଇଥିବା ରାଜାରାଣୀ ଏବଂ ପରଶୁରାମେଶ୍ୱର ମନ୍ଦିର ସହିତ ମାଆ ବିରଜାଙ୍କ ମନ୍ଦିର, ତାରାତାରିଣୀ ମନ୍ଦିର ବ୍ୟତୀତ ପ୍ରାୟ ତିନିହଜାର ତିନିଶହ ଛୋଟ ବଡ଼ ପୁରାତନ ମନ୍ଦିର ଆମର ସଂସ୍କୃତି ଏବଂ ଐତିହ୍ୟକୁ ଜାଗ୍ରତ କରି ରଖିଛି । ତଥାପି ଆମେ କାହିଁକି ପଛୁଆର ଉତ୍ତର ଆମ ପାଖରେ ନଥିଲା । ଦୀର୍ଘ ପାଞ୍ଚଶହ ସତୁରି କି.ମି. ବ୍ୟାପୀ ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ତା'ର ସୌନ୍ଦର୍ଯ୍ୟକରଣ ସହିତ ରକ୍ଷଣାବେକ୍ଷଣ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ତୁଳନାରେ କମ୍ ଥିବା ଭଳି ମନେହେଲା । ଆମ ଚାରିଜଣଙ୍କର କଥୋପକଥନରେ ସ୍ଥାନ ପାଇଲା ଆରବ ସାଗରର ଶାନ୍ତ ରୂପ ସହିତ ବଙ୍ଗୋପସାଗରର ସୁଉଚ୍ଚ ତରଙ୍ଗମାଳା ଏବଂ ଭୀମଭୈରବ ଶବ୍ଦ, ତା' ସହିତ ଭୟଙ୍କର ଝଡ଼ବାତ୍ୟାର ଉତ୍ପତ୍ତିସ୍ଥଳ ସାଜିଥିବା ବଙ୍ଗୋପସାଗର ଓଡ଼ିଶାର ଉପକୂଳବାସୀଙ୍କୁ ବେଳେବେଳେ ତଳିତଳାନ୍ତ କରିଦିଏ । ଏତେସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରୁଥିବା ଉପକୂଳ ଅଞ୍ଚଳର ବାସିନ୍ଦାମାନେ ଏବେ ସମୁଦ୍ରକୁ ଦେଖିଲେ ଡରୁଛନ୍ତି । କେତେବେଳେ ଯେ ବଙ୍ଗୋପସାଗର କୂଳଲଙ୍ଘି ତାଙ୍କ କବାଟ ପାଖରେ ପହଞ୍ଚିଯିବ, ତାକୁ ବିଶ୍ୱାସ କରିହେବନାହିଁ । ଏକ ହାସ୍ୟରୋଳ ମଧ୍ୟରେ ରାତିଟା ପାହିଗଲା । ପୂର୍ବ ନିର୍ଦ୍ଧାରିତ ସମୟରେ ଉଭୟ ପରିବାର ନିଜ ନିଜ ରୁମ୍ରୁ ବାହାରି ନୈନିତାଲର ପ୍ରସିଦ୍ଧ ହ୍ରଦ ପାଖରେ ପହଞ୍ଚିଗଲୁ । ସକାଳର ସୂର୍ଯ୍ୟକିରଣ ସହିତ ସୁଲୁସୁଲିଆ ଥଣ୍ଡା ପବନ ପୂର୍ବଦିନର କ୍ଳାନ୍ତିକୁ ଦୂର କରିଦେଉଥାଏ । ହ୍ରଦର କୂଳରେ ମାଆ ନୟନାଦେବୀଙ୍କର ମନ୍ଦିର । ତାଙ୍କ ନିର୍ଦ୍ଦେଶରେ ହ୍ରଦରେ ବଢ଼ୁଥିବା ମାଛଙ୍କୁ କେହି ମାରି ଖାଇବେ ନାହିଁ, କିମ୍ବା ସେମାନଙ୍କୁ କେହି ବାହାର ଖାଦ୍ୟ ଖାଇବାକୁ ଦେବେନାହିଁ ।

ମାଛପ୍ରେମୀମାନେ ହ୍ରଦକୂଳରେ ଏକାଠି ହୋଇ ହଜାର ହଜାର ମାଛଙ୍କର ଚଳପ୍ରଚଳ ବେଳର ଫଟୋକୁ ଉଠାଉ ଥାଆନ୍ତି ତ କିଏ ଭିଡିଓ କରୁଥାଆନ୍ତି ମାଆଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିବାର କ୍ଷମତା କାହାର ନାହିଁ । ହ୍ରଦ ମଧ୍ୟରେ ପ୍ରାୟ ପାଞ୍ଚଶହରୁ ଅଧିକ ଆହୁଲାମରା ଡଙ୍ଗା ଚାଲିଥାଏ । ପଚାରି ବୁଝିଲାରୁ ଜଣାଗଲା ଯେ, ଉକ୍ତ ହ୍ରଦର ପାଣି ସାରା ସହରକୁ ପାନୀୟ ଜଳରେ ପରିଣତ କରି ଯୋଗାଇ ଦିଆଯାଉଛି । ଡିଜେଲ କିମ୍ବା ପେଟ୍ରୋଲଚାଳିତ ଇଂଜିନ ଥିବା ବୋଟ୍ ହ୍ରଦର ପାଣିକୁ ଦୂଷିତ କରିଦେବ । ସେଥିପାଇଁ ଏଠାରେ ପ୍ୟାଡେଲ ଚାଳିତ ଏବଂ ଆହୁଲାଚାଳିତ ଡଙ୍ଗାରେ ବୋଟିଂ କରିବାର ବ୍ୟବସ୍ଥା କରାଯାଇଛି । ସେଠାକାର ସଚେତନ ନାଗରିକଙ୍କ ସହିତ ପ୍ରଶାସନିକ ଦୃଢ଼ତାକୁ ନୈନିତାଲ୍ ହ୍ରଦ ସତେ ଯେପରି ସର୍ବସମ୍ମୁଖରେ ପ୍ରଦର୍ଶିତ କରୁଥାଏ । ଅଧିକାଂଶ ବଙ୍ଗାଳୀ ପର୍ଯ୍ୟଟକ ମାଛମାନଙ୍କୁ ଦେଖି କେବଳ ଫଟୋ ଉଠାଉଥାଆନ୍ତି । ଆମେ ଓଡ଼ିଆ ମଧ୍ୟ କମ୍ ମାଛପ୍ରିୟ ନୋହୁଁ । ତଥାପି ମାଆଙ୍କର ନିର୍ଦ୍ଦେଶ ଆମର ଲାଳସା ଉପରେ ରୋକ ଲଗାଇଥାଏ । ଆମେ ବିନା ଆମିଷରେ ପ୍ରାୟ ଦଶଦିନ କଟାଇ ଓଡ଼ିଶାକୁ ଫେରିଆସିଲୁ । ତଥାପି ଏବେ ମନ ମଧ୍ୟରେ ଆଶା ଅଛି, ଆମେ ମଧ୍ୟ ଲକ୍ଷ୍ମୀଙ୍କର କୃପାକୁ ଲାଭ କରିପାରିବା ।