ନୂଆଦିଲ୍ଲୀ,୦୫/୧୨: ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୨୭ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ୫ ଦିନିଆ କାର୍ଯ୍ୟ ସପ୍ତାହ ଦାବି କରିଛନ୍ତି ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ଧର୍ମଘଟ ହେଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକରେ ୩ ଦିନ ସେବା ଉପଲବ୍ଧ ହେବନି । ୨୫ ଓ ୨୬ରେ ଛୁଟିଦିନ ରହିଛି । ଏବେ ବ୍ୟାଙ୍କ କର୍ମଚାରୀମାନେ ପ୍ରତି ମାସ ରବିବାରଗୁଡ଼ିକ ବାଦ ୨ୟ ଏବଂ ୪ର୍ଥ ଶନିବାର ଛୁଟି ପାଉଛନ୍ତି ।

୨୦୨୪ ମାର୍ଚ୍ଚରେ ପାରିଶ୍ରମିକ ସଂଶୋଧନ ସେଟଲ୍ମେଣ୍ଟ ବେଳେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ) ଏବଂ ୟୁଏଫ୍‌ବିୟୁ ମଧ୍ୟରେ ୫ଦିନ କାର୍ଯ୍ୟ ଦିବସ ନେଇ ସହମତି ପ୍ରକାଶ ପାଇଥିଲା । ସରକାର ଏହି ଦାବିକୁ ବର୍ତ୍ତମାନ ଯାଏ ପୂରଣ କରି ନ ଥିବା ସଂଘ ପକ୍ଷରୁ କୁହାଯାଇଛି । ସୋମରୁ ଶୁକ୍ରବାର ଦୈନିକ ଅତିରିକ୍ତ ୪୫ ମିନିଟ ଲେଖାଏ ଅତିରିକ୍ତ କାମ କରିବାକୁ କହିଥିଲେ କର୍ମଚାରୀ । ଆର୍ବିଆଇ, ଏଲ୍ଆଇସି ଏବଂ ଜିଆଇସି କର୍ମଚାରୀ ଏବେ ସପ୍ତାହକୁ ୫ ଦିନ କାମ କରୁଛନ୍ତି । ସେହିଭଳି ଶନିବାର ଫରେନ ଏକ୍ସଚେଞ୍ଜ ମାର୍କେଟ, ମନି ମାର୍କେଟ ଏବଂ ଷ୍ଟକ ଏକ୍ସଚେଞ୍ଜ ମଧ୍ୟ କାର୍ଯ୍ୟ କରି ନ ଥାଏ ବୋଲି କହିଛି ସଂଘ ।