ହାଇକୋର୍ଟଙ୍କ ଚୂଡାନ୍ତ ରାୟ: ମାର୍ଚ୍ଚ ୩୦ରେ ୧୭୬ ବାର୍ରେ ନିର୍ବାଚନ

source:www.telegraphindia.com
କଟକ,୧୮ା୩(ବ୍ୟୁରୋ): ଦୁଇଟି ପର୍ଯ୍ୟାୟରେ ନୁହେଁ, କେବଳ ଗୋଟିଏ ପର୍ଯ୍ୟାୟରେ ସାରା ରାଜ୍ୟରେ ଥିବା ସବୁ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ପାଇଁ ଭୋଟ୍ ଅନୁଷ୍ଠିତ ହେବ । ସମଗ୍ର ରାଜ୍ୟରେ ଯେଉଁ ୧୭୬ଟି ବାର୍ ରହିଛି ସବୁଠି ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ପକ୍ଷରୁ ଫେବ୍ରୁଆରୀ ୨୪ ତାରିଖରେ ଜାରି ବିଜ୍ଞପ୍ତିକୁ ରଦ୍ଦ କରିବା ଅବସରରେ ଓଡିଶା ହାଇକୋର୍ଟ ଆଜି ଏଭଳି ଚୂଡାନ୍ତ ରାୟ ଦେଇଛନ୍ତି । ଫଳରେ ସାରା ରାଜ୍ୟରେ ସବୁ ବାରରେ ଗୋଟିଏ ସମୟରେ ନିର୍ବାଚନ ହେବା ବାଟ ପରିଷ୍କାର ହୋଇଯାଇଛି ।
ବର୍ଷକୁ ଥରେ ନିର୍ବାଚନ ହେଉଥିବା ବାର୍ ଆସୋସିଏସନ୍ ପାଇଁ ଗୋଟିଏ ତାରିଖ ଓ ଦୁଇ ବର୍ଷକୁ ଥରେ ନିର୍ବାଚନ ହେଉଥିବା ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ପାଇଁ ଆଉ ଗୋଟିଏ ତାରିଖ..ଏଇଭଳି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ବାର୍ କାଉନସିଲ୍ ପକ୍ଷରୁ ଗଲା ଫେବ୍ରୁଆରୀ ୨୪ ତାରିଖର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି କଟକ ବାର୍ ଆସୋସିଏସନ୍ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ ସଦସ୍ୟଙ୍କ ପାଇଁ ‘ଗୋଟିଏ ବାର୍ ଓ ଗୋଟିଏ ଭୋଟ୍’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନେଇ ଆଇନଜୀବୀ ଶିବନାରାୟଣ ବିଶ୍ୱାଳ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ହାଇକୋର୍ଟ ବାର୍ କାଉନସିଲ୍କୁ ଜବାବଦାଖଲ ଲାଗି ନୋଟିସ୍ ଜାରି କରିଥିଲେ । ସମଗ୍ର ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବାର୍ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବାର୍ କାଉନସିଲ୍ ପକ୍ଷରୁ ଓଡିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । କିନ୍ତୁ ଏହାର ଗୋଟିଏ ଦିନ ପରେ ଅର୍ଥାତ ଫେବ୍ରୁଆରୀ ୨୪ ତାରିଖରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ (ବାର୍ କାଉନସିଲ୍)ର ସାଧାରଣ ପରିଷଦ ବୈଠକରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ରାଜ୍ୟର ସମସ୍ତ ଆଇନଜୀବୀ ସଂଘମାନଙ୍କରେ ଗୋଟିଏ ବାର୍ ଗୋଟିଏ ଭୋଟ୍ ନୀତି ଲାଗୁ କରାଯିବ । ତଦନୁସାରେ ସମସ୍ତ ବାର୍ ଆସୋସିଏସନ୍ମାନଙ୍କର ନିର୍ବାଚନ ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଅନୁଷ୍ଠିତ ହେବ ।
ଯେଉଁ ବାର୍ ଆସୋସିଏସନ୍ ନିର୍ବାଚନ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ୬ ମାସ ପୂରଣ କରୁଥିବ ସେଠି ସାନି ନିର୍ବାଚନ କରାଯିବ । ଯଦି ସଂପୃକ୍ତ ବାର୍ ଆସୋସିଏସନ୍ ନିର୍ବାଚନ ଗତ ୬ ମାସ ଭିତରେ ହୋଇଥିବ ସେଠାରେ ଆଉ ନିର୍ବାଚନ କରାଯିବ ନାହିଁ । ସେହିପରି ଦ୍ୱିବାର୍ଷିକ ନିର୍ବାଚନ ହେଉଥିବା ବାର୍ ଆସୋସିଏସନ୍ ମଧ୍ୟରୁ ଯେଉଁ ବାର୍ ଆସୋସିଏସନ୍ ନିର୍ବାଚନ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଏକ ବର୍ଷ ପୂରଣ ହୋଇଯାଉଥିବ ସେଠାରେ ମାର୍ଚ୍ଚ ୩୦ ତାରିଖରେ ସାନି ନିର୍ବାଚନ ହେବ । କିନ୍ତୁ ଯେଉଁ ବାର୍ ଆସୋସିଏସନ୍ରେ ନିର୍ବାଚନ ବର୍ଷକ ଭିତରେ ହୋଇଥିବ ସେଠାରେ ଆଉ ନିର୍ବାଚନ ହେବ ନାହିଁ ବୋଲି ବାର୍ କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି କଟକ ବାର୍ ଆସୋସିଏସନ୍ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗୋଟିଏ ପଟେ ସମସ୍ତ ବାର୍ରେ ଏକ ସମୟରେ ନିର୍ବାଚନ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦ ସତ୍ୟପାଠ ଦାଖଲ କରିଥିଲାବେଳେ ବିଜ୍ଞପ୍ତିରେ କିନ୍ତୁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ବାର୍ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଫଳରେ ଆଜି ହାଇକୋର୍ଟ ଫେବ୍ରୁଆରୀ ୨୪ ତାରିଖ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ଆସନ୍ତା ୩୦ ତାରିଖରେ ସମଗ୍ର ରାଜ୍ୟରେ ସମସ୍ତ ବାର୍ରେ ଏକକାଳୀନ ଭୋଟ୍ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲାବେଳେ ଆଇନଜୀବୀ ତ୍ରିଲୋଚନ ଦାସ, ସୂଚୀସ୍ମିତା ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ପତ୍ରି ପ୍ରମୁଖ ସହଯୋଗ କରିଥିଲେ ।