PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ବରମୁଣ୍ଡା ବସ୍‌ଷ୍ଟାଣ୍ଡ; ସ୍ମାର୍ଟ ସିଟିର ବିକୃତ ଅଙ୍ଗ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡ- ନାଁ ଶୁଣିଲେ ପାଟିରୁ ଆପେ ବାହାରି ଯାଏ ଛି… ଛି… । ଭଣଭଣ ଗନ୍ଧ ଯେମିତି ନାକ ଭିତରକୁ ଧସେଇ ପଶି ଆସେ । ଆଖି ଆଗକୁ ଫ୍ଲାସବ୍ୟାକ୍‌ରୁ ଝଲସି ଆସେ ସେଇ ଆବୁଡ଼ା ଖାବୁଡ଼ା ଖାଲଢିପ ରାସ୍ତା । ପଚପଚ କାଦୁଅ ଓ ନର୍ଦ୍ଦମା ପାଣିର ସୁଅ । ଏଠି ସେଠି ଜମିଥିବା ଅଳିଆର ପାହାଡ଼ ।
 

ବରମୁଣ୍ଡା ବସଷ୍ଟାଣ୍ଡ ଯିବାକୁ ହେଲେ ପ୍ରଥମେ ଆସେ ଓଭରବ୍ରିଜ୍‌ ତଳର ଅଣଓସାରିଆ ଅନ୍ଧାରୁଆ ରାସ୍ତା । ଏଠି ପରିସ୍ରା ଗନ୍ଧ ସାଙ୍ଗକୁ ନର୍ଦ୍ଦମା ଛିଟା ଖାଇ ଆବଡ଼ା ଖାବଡ଼ା ରାସ୍ତାରେ ବିପଦଜନକ ଟ୍ରାଫିକ୍‌ ପାର୍‌ ହୋଇ ଯିବାକୁ ପଡ଼େ । ବାହାରଠୁ ବସ୍‌ ଷ୍ଟାଣ୍ଡ ଭିତର ଅବସ୍ଥା ଆହୁରି ସାଂଘାତିକ ଓ ଶୋଚନୀୟ । ପଥର, ଗେଟି ରାସ୍ତାକୁ ଧୂଳିର ଚାଦର ସ୍ୱାଗତ ଜଣାଇବାକୁ ଅନେଇ ବସିଛନ୍ତି । ବସଷ୍ଟାଣ୍ଡର ଏ ମୁଣ୍ଡରୁ ସେ ମୁଣ୍ଡ, ସେ କୋଣରୁ ଏ କୋଣ, ଯୁଆଡ଼େ ଯିବ ଏଭଳି କଦର୍ଯ୍ୟ ଚିତ୍ର । ୟା’ ଭିତରେ ପଡ଼ି ରହିଥିବେ ମାଳମାଳ ବସ୍‌, ଆଉ ଅପେକ୍ଷା କରିଥିବେ ଶହଶହ ଯାତ୍ରୀ । ନମ୍ବର ୱାନ୍‌ ସ୍ମାର୍ଟ ସିଟିର ଏଣ୍ଟ୍ରି ପଏଣ୍ଟ- ‘ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅବସ୍ଥା ଏମିତି ।
 

ପ୍ରତିଦିନ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଯାତ୍ରୀ ଆସୁଛନ୍ତି ଏଠାକୁ । ଦୈନିକ ପ୍ରାୟ ୯ଶହ ବସ୍‌ ଓ ୫୦ ହଜାରରୁ ଅଧିକ ଯାତ୍ରୀ ଯା’ ଆସ କରୁଛନ୍ତି । ଯେଉଁ ଯାତ୍ରୀ ଏଠାକୁ ଆସୁଛନ୍ତି, ସାଥୀରେ ନେଇ ଯାଉଛନ୍ତି ସ୍ମାର୍ଟ ସିଟିର ତିକ୍ତ ଅନୁଭୂତି । ଏତେ ବଡ଼ ବସଷ୍ଟାଣ୍ଡକୁ ଭଲ ରାସ୍ତାଟିଏ ନାହିଁ । ଖାଲି ମାଟି ଆଉ ଢେଲା । ଖାଲ ଢିପରେ ଧଡ୍‌ଧଡ୍‌ କରି ଗାଡ଼ି ଭିତରକୁ ନେବାକୁ ହେବ । ପାଗ ଶୁଖିଲା ଥିଲେ ବର୍ତ୍ତିଯିବେ, ନଚେତ୍‌ କାଦୁଅ ଛିଟାରେ ଭିଜିବା ଥୟ ।
 

ଷ୍ଟାଣ୍ଡରେ ବସ୍‌ଗୁଡ଼ିକ ଏମିତି ଛିଡ଼ା ହେଉଛି ଯେ କେଉଁ ବସ୍‌ କେଉଁ ପଟେ ଅଛି, ବୁଝିବା ସହଜ ନୁହେଁ । ୯୦ ଦଶକରେ ବସଷ୍ଟାଣ୍ଡ ଆରମ୍ଭବେଳେ ପୂରା ଷ୍ଟାଣ୍ଡକୁ ପିଚୁ କରାଯାଇଥିଲା । ପରବର୍ତ୍ତୀ ସମୟରେ ମଝିରେ ମଝିରେ ତାଳି ପକା ପିଚୁ ଢଳା ଯାଇଥିଲା । ଏବେ ସେତକ ବି ବନ୍ଦ ହୋଇଯାଇଛି । ନୂଆ କରି ଡ୍ରେନ୍‌ ହୋଇଛି, ମାତ୍ର ବସଷ୍ଟାଣ୍ଡ ଚଟାଣଠାରୁ ଏତେ ଉପରେ ଯେ ପାଣି ଯାଉନି ।
 

ଯାତ୍ରୀଙ୍କ ସୁବିଧା ପାଇଁ କିଛି ନାହିଁ । ବସ୍‌କୁ ଅପେକ୍ଷା କରିବାକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ଛାତ ତଳେ ଛିଡ଼ା ହେବାକୁ ପଡ଼େ । ବସିବାକୁ ଯେତିକି ପିଣ୍ଡି ଅଛି, ତାହା ସମୁଦ୍ରକୁ ଶଙ୍ଖେ । ବୁଲା କୁକୁର ଓ ଷଣ୍ଢଙ୍କ ଉତ୍ପାତ ଏମିତି, ସେଠାରେ ବସିବାକୁ ଡର ଲାଗୁଛି । ବର୍ଷା ହେଲେ ଏଇ ଗୋଟିଏ ଛାତ ତଳେ ଶହଶହ ଲୋକେ ଖୁନ୍ଦାଖୁନ୍ଦି ହୋଇ ଛିଡ଼ା ହେବାକୁ ବାଧ୍ୟ । ରାତିରେ ପର୍ଯ୍ୟାପ୍ତ ଲାଇଟ୍‌ ନାହିଁ । ପାଣି ପାଇଁ ଗୋଟିଏ ପଏଣ୍ଟ, ସେଠି ସବୁବେଳେ ଭିଡ଼ । ଶୌଚାଳୟ ଅବସ୍ଥା ଯାହା, ନ ଯିବା ଭଲ । ପରିସ୍ରାଗାର କେଉଁ ବର୍ଷରୁ ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ । ସେଠାକୁ ଯିବା ଅର୍ଥ, ରୋଗ ସଂକ୍ରମଣକୁ ନିମନ୍ତ୍ରଣ କରିବା କଥା । ପୁରୁଷ ଓ ପିଲାମାନେ କାନ୍ଥ କଡ଼ ଓ ଫାଙ୍କା ଜାଗା ଖୋଜିବାକୁ ବାଧ୍ୟ ହେଉଛନ୍ତି । ମହିଳାଙ୍କ ଦୁର୍ଦ୍ଦଶା କହି ହେବନି । ବସ୍‌ଷ୍ଟାଣ୍ଡରେ ବସ୍‌ ଅପେକ୍ଷାରେ ଥିବା ଯାତ୍ରୀ ବିଶ୍ୱଜିତ ଚୌଧୁରୀଙ୍କ କହିବାନୁଯାୟୀ, ଏ ଜାଗାକୁ ଦେଖିଲେ ଲାଗୁନି ଇଏ ସ୍ମାର୍ଟ ସିଟି । ଛିଡ଼ା ହେବାକୁ କି ବସିବାକୁ ଭଲ ଜାଗାଟିଏ ନାହିଁ । ସବୁଠି ଅଳିଆ ଆବର୍ଜନା ଗଦା ହୋଇଛି । ଏମିତି ଅବସ୍ଥା ପାଇଁ ଆମ ରାଜ୍ୟର ସମ୍ମାନରେ ବି ଆଞ୍ଚ୍‌ ଆସୁଛି । ସରକାର ବ୍ୟବସ୍ଥା ସଜାଡ଼ନ୍ତୁ ।

ଇଣ୍ଟରଷ୍ଟେଟ୍‌ ଟର୍ମିନାଲ ସ୍ୱପ୍ନ
“ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ନେଇ ଏତେ ସ୍ୱପ୍ନ ଦେଖାଇଲେଣି, ଆଉ ଭରସା ପାଉନି । ବହୁତ ହୋଇଗଲା । ନ୍ୟୁୟର୍କ କି ମେଟ୍ରୋ ସିଟି ଭଳି ବସ୍‌ ଷ୍ଟାଣ୍ଡ ପାଇଁ ଆଉ ବର୍ଷ ବର୍ଷ ଅପେକ୍ଷା କରି ପାରିବୁନି । ଏତିକି ଅନୁରୋଧ, ଆମ ଏ ବସଷ୍ଟାଣ୍ଡର ରାସ୍ତାଘାଟକୁ ପକ୍କା କରିଦିଅନ୍ତୁ । ପରିମଳକୁ ସଜାଡ଼ି ଦିଅ । ଏମିତି ମିଛ ସ୍ୱପ୍ନ ଦେଖାଅନି ।” ବରମୁଣ୍ଡା ବସ୍‌ ଷ୍ଟାଣ୍ଡର ଅବସ୍ଥାରେ ଉଦ୍‌ବେଗ ପ୍ରକାଶ କରି ଏହା କହିଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ।
 

ବରମୁଣ୍ଡା ବସ୍‌ ଷ୍ଟାଣ୍ଡକୁ ନେଇ ଅତୀତରେ ସରକାର ଅନେକ ଯୋଜନା କରିଛନ୍ତି । ୨୦୧୦-୧୧ରେ ବଡ଼ ଯୋଜନା ହୋଇଥିଲା । କାର୍ଯ୍ୟକାରୀ ହେଲାନି । ୨୦୧୭-୧୮ରେ ସରକାର ପୁଣି ତାଜା ସ୍ୱପ୍ନ ଦେଖାଇଲେ । ବରମୁଣ୍ଡା ବସ୍‌ ଷ୍ଟାଣ୍ଡକୁ ସ୍ମାର୍ଟ କରିବାକୁ ଯାଇ ଏହାର ନବକଳେବର ଦାୟିତ୍ୱ ଦେଲେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ । ବରମୁଣ୍ଡା ସ୍ମାର୍ଟ ସ୍ୱପ୍ନ ମଞ୍ଜି ବୁଣିଲା ବିଡିଏ । କୁହାଗଲା, ୨୦୧୯ ଶେଷ ସୁଦ୍ଧା ନୂଆ ଟର୍ମିନାଲ ଛିଡ଼ା ହୋଇଯିବ । ମାତ୍ର ଆଜି ଯାଏଁ କାମର ନାଁ ଗନ୍ଧ ନାହିଁ । ଦିଲ୍ଲୀ ସଂସ୍ଥାକୁ ଡାକି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଆଧୁନିକୀକରଣ ଆର୍କିଟେକ୍‌ ଡିଜାଇନ୍‌ ପ୍ରସ୍ତୁତ କରାଗଲା । ଆଶା ଦେଲେ, ବଦଳିଯିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଚେହେରା । ଆଉ ପଚର ପଚର କାଦୁଅ ରହିବନି କି ଗନ୍ଧରେ ନାକ ଫାଟିବନି । ୪ ମହଲା ଟର୍ମିନାଲ ବିଲ୍ଡିଂ ସାଙ୍ଗକୁ ୬ ତାଲା କମର୍ସିଆଲ୍‌ କମ୍ପେ୍ଲକ୍ସ ଛିଡ଼ା ହେବ । ପାର୍କିଂ ପାଇଁ ରହିବ ବିସ୍ତୀର୍ଣ୍ଣ ଏରିଆ । ୱାଇଫାଇ ନେଟ୍‌ୱର୍କ ମିଳିବ । ଫୁଡ୍‌କୋର୍ଟ ଖୋଲିବ । ସପିଙ୍ଗ୍‌ କମ୍ପେ୍ଲକ୍ସ ବି ରହିବ । ପୂରା ବସ୍‌ ଷ୍ଟାଣ୍ଡକୁ ୨୪ ଘଣ୍ଟା ନଜର ରଖିବ ସିସିଟିଭି । ବରମୁଣ୍ଡା ହେବ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ । ମାତ୍ର ଏଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି । ଏପରିକି ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଖଣ୍ଡଗିରି ପାଦଦେଶରେ ବିକଳ୍ପ ବସ୍‌ ଷ୍ଟାଣ୍ଡ ପ୍ରସ୍ତୁତ କରାଯାଇନି । ଏ ଯୋଜନାକୁ ଯେମିତି ଭୁଲିଯାଇଛନ୍ତି ସମସ୍ତେ ।  ପୂର୍ବ ଅଧିକାରୀ ବଦଳି ଯାଇଥିବାବେଳେ ନୂଆ କରି ଦାୟିତ୍ୱ ନେଇଥିବା ବିଡିଏର ବରିଷ୍ଠ ଯନ୍ତ୍ରୀ ଅମ୍ବିକା ମହାନ୍ତି କହିଛନ୍ତି, ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଡକାଯାଇଥିଲା । ୩ଟି ସଂସ୍ଥା ଆବେଦନ କରିଥିଲେ । ଯୋଗ୍ୟ ସଂସ୍ଥାକୁ ଟେଣ୍ଡର ଦେବା ଲାଗି ସରକାରଙ୍କ ଅନୁମୋଦନ ପାଇଁ ୨/୩ ମାସ ତଳେ ଫାଇଲ୍‌ ପଠାଯାଇଥିଲା । ଅନୁମୋଦନ ମିଳିବାର ମାସେରୁ ଦେଢ଼ ମାସ ଭିତରେ କାମ ଆରମ୍ଭ ହୋଇଯିବ । ୨୪ ମାସରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରକଳ୍ପ ପାଇଁ ୧୬୦ କୋଟି ବ୍ୟୟବରାଦ ହୋଇଛି ।  ତେବେ ସମସ୍ୟାର କଥା ହେଲା, ଏହି ଯୋଜନା ହେବା ଦିନରୁ ବରମୁଣ୍ଡା ବସଷ୍ଟାଣ୍ଡର ତାଳିପକା ମରାମତି ବି କରାଯାଉନି । ଅବସ୍ଥା ଅସମ୍ଭାଳ ହେଲାଣି । ନବକଳେବର ଦାୟିତ୍ୱ ବିଡିଏ ନେଇଥିବାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ହାତ ବାନ୍ଧି ବସିଛି । ସମସ୍ୟା ପ୍ରତି ଆଖି ବୁଝି ଦେଇଛି । ହେଲେ ନିୟମିତ ବସ୍‌ଷ୍ଟାଣ୍ଡକୁ ଆସୁଥିବା ୯ଶହ ବସ୍‌ରୁ ୧୫ ଟଙ୍କା ଲେଖାଏଁ ଆଦାୟ ଚାଲିଛି । କାର୍‌ ଓ ଅଟୋରୁ ବି ୧୦ ଟଙ୍କା ଲେଖାଏଁ ପାର୍କିଂ ଫି’ ଆଦାୟ ହେଉଛି । ହେଲେ ଯାତ୍ରୀ ସୁବିଧା ପାଇଁ କିଛି ବି କରାଯାଉନି । ସବୁ ସେଇ ସ୍ମାର୍ଟ ସ୍ୱପ୍ନ ଆଡ଼କୁ ଆଙ୍ଗୁଠି ଦେଖାଇ ହାତ ଟେକି ଦେଇଛନ୍ତି ।