ପୁରୀରେ ଚଳିତ ମାସ ୨୨ରୁ ବାସ୍କେଟବଲ ଲିଗ୍

ପୁରୀ ୯/୧୨- ପୁରୀରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ ଟି ମହିଳା ବାସ୍କେଟବଲ ଟିମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିକଟରେ ପୁରୀ ଠାରେ ଅନୁଷ୍ଠିତ ଖୋ ଖୋ ଚମ୍ପିୟାନସିପ୍ ଖୁବ ସୁନ୍ଦର ଭାବେ ଆୟୋଜନ ହୋଇ ଥିବାରୁ ଜିଲ୍ଲାପାଳ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସହ ବାସ୍କେଟବଲ ଲିଗକୁ ଅନୁରୂପ ଭାବେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।
ବିଭିନ୍ନ ବିଭାଗକୁ ଦିଆଯାଉଥିବା ଦାୟିତ୍ୱକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ପୂର୍ତ୍ତ ବିଭାଗ ଏସ ଡି ଓ ଶ୍ରୀ ଶୁକଦେବ ସାହୁ, ଓଡିଶା ବାସ୍କେଟବଲ ଆସୋସିଏସନର ସମ୍ପାଦକ ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅମିତ ଦାସମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।