ଭୁବନେଶ୍ବର, ୨୨/୦୫: ଭିଜିବ ଓଡ଼ିଶା, ଗରମ ମିଳିବ ମୁକ୍ତି । ଦିନ ବେଳା ତତଲା ତାଓ୍ବାରେ ଭାଜି ହେଉଥିବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବାକୁ ଯାଉଛି । ଖରାର ତାଉ କମିବ, ଆକାଶ ମେଘାଚ୍ଛନ୍ନ ହେବ । କାରଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଆସନ୍ତା ୨୮ ଓ ୨୯ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି ।  ଲଘୁଚାପ ପ୍ରଭାବରେ କାଳବୈଶାଖୀ ପ୍ରଭାବ ଜୋର ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଜି ଅପରାହ୍ନରେ କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ । ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା,ଜଗତସିଂହପୁର ଓ କଟକରେ କାଳବୈଶାଖୀ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ଗୁରୁବାର ହୁତ୍ ହୁତ୍ ହୋଇ ଜଳିଲା ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ତାତି ବିସ୍ଫୋରଣ ଭଳି ଜ୍ୱାଳା । ଜଙ୍ଗଲ ନିଆଁ ଭଳି ଉପକୂଳକୁ ମାଡ଼ି ଆସିଲା ତତଲା ପବନ । ଦେହ ହାତ ଯେମିତି ଜଳି ପୋଡ଼ି ଯାଉଥିଲା । ଗୁରୁବାର ଝାରସୁଗୁଡ଼ା ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍ । ସମ୍ବଲପୁର ଓ ବଲାଙ୍ଗୀର ୪୪.୬, ଟିଟିଲାଗଡ଼ ୪୪.୪, ସୋନପୁର ୪୪.୩, ବୌଦ୍ଧ ୪୪.୩ । ଡିଗ୍ରୀ । ନିଆଁ ବର୍ଷୁଛି ଆକାଶରୁ । ଅନୁଗୁଳ, ଭବାନୀପାଟଣା, ତାଳଚେର ତାପମାତ୍ରା ମଧ୍ୟ ୪୩.୫ ଡିଗ୍ରୀରୁ ୪୪ ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିଲା । ଯେମିତି ନିଆଁର ଲହରୀ ମାଡ଼ି ଯାଇଥିଲା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ । ତ୍ରାହି ମିଳିଲାନି ଉପକୂଳ ଭାଗରେ । ଭୁବନେଶ୍ୱର ତାପମାତ୍ରା ଦିନକ ଭିତରେ ୬ ଡିଗ୍ରୀ ବଢ଼ି ୪୨.୨ ଡିଗ୍ରୀ ତାତିରେ ସିଝିଲା । କଟକ ବି ୪୦ ଡିଗ୍ରୀ ଉପରେ । ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ଅଧିକ ପଢନ୍ତୁ- Orissa High Court : ଆସନ୍ତା ୨୫ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ, ଜୁନ୍‌ ୨୨ ତାରିଖରେ କୋର୍ଟ ଖୋଲିବ​​​​​​​