ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିବାକୁ ଯାଉଛି । ଏହି ବୈଠକରେ ବୋର୍ଡର ଅଧ୍ୟକ୍ଷ ଏବଂ ଆଇପିଏଲ ଅଧ୍ୟକ୍ଷ ସମେତ ଅନେକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ମାସ ଆରମ୍ଭରେ ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନିଙ୍କ ଇସ୍ତଫା ପରଠାରୁ BCCI ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଅଧ୍ୟକ୍ଷ ଅରୁଣ ଧୂମଲ ତାଙ୍କର ଛଅ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍ ମଧ୍ୟକୁ ଯିବାର ସମ୍ଭାବନା ରହିଛି ।
ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ସଭାପତି ହେବା ପରେ ସାଇକିଆଙ୍କୁ ଚଳିତ ବର୍ଷ ଜାନୁଆରୀରେ ସର୍ବସମ୍ମତିକ୍ରମେ ବିସିସିଆଇ ସଚିବ ମନୋନୀତ କରାଯାଇଥିଲା । ସେପଟେ ବିନ୍ନିଙ୍କୁ ଅକ୍ଟୋବର ୨୦୨୨ ମସିହାରେ ବିସିସିଆଇର ଅଧ୍ୟକ୍ଷ କରାଯାଇଥିଲା। ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ। ଗାଙ୍ଗୁଲି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ। ସେତେବେଳେ ବିନ୍ନି ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ଥିଲେ।
ପୂର୍ବରୁ ରିପୋର୍ଟ ଆସିଥିଲା ଯେ, ସେପ୍ଟେମ୍ବରରେ ହେବାକୁ ଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ ପର୍ଯ୍ୟନ୍ତ ବିନ୍ନି ଏହି ପଦବୀରେ ରହିବେ । କିନ୍ତୁ ଜୁଲାଇରେ ୭୦ ବର୍ଷ ବୟସ ହେବାରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ବିନ୍ନି ବିସିସିଆଇର ଅଧ୍ୟକ୍ଷ ହେବା ପରେ ଭାରତ ଦୁଇଟି ସୀମିତ ଓଭର ଫର୍ମାଟର ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା । ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିଲା ।
ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ସମୟରେ ଐତିହାସିକ ମହିଳା ପ୍ରିମିୟର ଲିଗ୍ ମଧ୍ୟ ଆରମ୍ଭ ହୋଇଥିଲା। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଘରୋଇ କ୍ରିକେଟକୁ ଭଲ ପ୍ରୋତ୍ସାହନ ମିଳିଥିଲା। ଖେଳାଳିମାନଙ୍କ ଦରମା ବୃଦ୍ଧି ପାଇଥିଲା ଏବଂ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ପଦକ୍ଷେପ ନିଆଯାଇଥିଲା।