ଆଇସିସିକୁ ବିସିସିଆଇର ଚିଠି; ପାକିସ୍ତାନ ସହ ସଂପର୍କ ଛିନ୍ନ କରାଯାଉ

ନୂଆଦିଲ୍ଲୀ, ୨୨ ।୨ (ଏଜେନ୍ସି): ଆଗାମୀ ଦିନିକିଆ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ବିସିସିଆଇ ପ୍ରଶାସନିକ କମିଟି (ସିଓଏ) ଅଧ୍ୟକ୍ଷ ବିନୋଦ ରାଏ । କିନ୍ତୁ ବିସିସିଆଇ ଆଜି ଆଇସିସିକୁ ପତ୍ର ଲେଖି ପୁଲୱାମା ଘଟଣା ସଂପର୍କରେ ଅବଗତ କରାଇଛି । ଆତଙ୍କବାଦୀଙ୍କୁ ଜନ୍ମ ଦେଉଥିବା ରାଷ୍ଟ୍ରଙ୍କ ସହ ସଂପର୍କ ଛିନ୍ନ କରାଯାଉ ବୋଲି ବିସିସିଆଇ ଦାବି ଉଠାଇଛି ।
ବିସିସିଆଇ ଚିଠିରେ ଉଲ୍ଲେଖ କରିଛି ଯେ, ନିକଟରେ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣକୁ ନେଇ ଆମେ ଚିନ୍ତିତ ରହିଛୁ । ଯେଉଁ ଆକ୍ରମଣରେ ଆମର ୪୪ ଜଣ ବୀର ଯବାନ ସହିଦ ହୋଇଥିଲେ । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଏଭଳି କାର୍ଯ୍ୟ ଘଟାଇଛି । ତେଣୁ ଆମେ ଆଗାମୀ ବିଶ୍ୱକପ୍ରେ ଖେଳାଳି ଓ ଅଫିସିଆଲ୍ସଙ୍କ ସୁରକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶଙ୍କାରେ ରହିଛୁ । ଆଇସିସିର ଅଧିକାଂଶ ସଦସ୍ୟ ଦେଶ ( ଇଂଲଣ୍ଡକୁ ମିଶାଇ) ଏଭଳି ବର୍ବରଚିତ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ଭାରତ ପ୍ରତି ସେମାନଙ୍କର ସମବେଦନା ଜଣାଇଛନ୍ତି । ଆମର ଦାବି ଯେ କ୍ରିକେଟ୍ ଖେଳୁଥିବା ରାଷ୍ଟ୍ରମାନେ ଆତଙ୍କବାଦୀଙ୍କୁ ଜନ୍ମ ଦେଉଥିବା ରାଷ୍ଟ୍ରଙ୍କ ସହ ସଂପର୍କ ଛିନ୍ନ କରନ୍ତୁ ।’ ଚିଠିରେ ସିଧାସଳଖ ପାକିସ୍ତାନର ନାମ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ପରୋକ୍ଷରେ ଏହା ପାକିସ୍ତାନକୁ ସମ୍ବୋଧନ କରିଛି ବିସିସିଆଇ ।
ସିଓଏ ଅଧ୍ୟକ୍ଷ ବିନୋଦ କହିଛନ୍ତି, ଜୁନ ୧୬ରେ ଭାରତ-ପାକ୍ ମ୍ୟାଚ୍ ରହିଛି । ଏ ସଂପର୍କରେ କ’ଣ ନିଷ୍ପତ୍ତି ନିଆଯିବା ତାହା ସରକାରଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କରିବୁ । ହେଲେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ସଂପର୍କରେ ଆମେ ଆଇସିସିକୁ ଲିଖିତ ଭାବେ ଅବଗତ କରାଇଛୁ ।’
ଆସନ୍ତା ୨୬ ତାରିଖରୁ ଆଇସିସିର ସିରିଜ୍ ବୈଠକ ଦୁବାଇରେ ଆରମ୍ଭ ହେବାକୁ ଯାଉଛି । ଯାହା ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟ କଳାପ ସଂପର୍କରେ ବିସିସିଆଇ ଏହି ବୈଠକରେ ମତ ଉପସ୍ଥାପନ କରିବ । ସାରା ଦେଶରେ ପାକ୍ ବିରୋଧୀ ଉତ୍ତେଜନା ଦିନକୁ ଦିନ ଅଧିକ ତୀବ୍ର ହେଉଛି । ପାକିସ୍ତାନ ସହ ସବୁ ପ୍ରକାର କ୍ରୀଡ଼ା ସଂପର୍କ ଛିନ୍ନ କରାଯାଉ ବୋଲି ଦାବି ଉଠିଛି । ଦେଶରେ ପାକ୍ ଖେଳାଳି ଏବଂ ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍କୁ ବିରୋଧ କରାଯାଉଛି ।
ପାକିସ୍ତାନକୁ ବିଶ୍ୱକପ୍ରୁ ବାସନ୍ଦ କରିବା ପାଇଁ ଦାବି ଉଠାଇବା ନେଇ ବିସିସିଆଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ଗତକାଲି ଜଣା ପଡ଼ିଥିଲା । ଆଜି ଏଭଳି ବିଷୟକୁ ସଂପୂର୍ଣ୍ଣ ଏଡ଼ାଇ ଯାଇଥିଲେ ସିଓଏ ଅଧ୍ୟକ୍ଷ ବିନୋଦ ରାଏ । ସେ କହିଛନ୍ତି, ସେ ବିଷୟରେ କିଛି କହିବାକୁ ଚାହୁଁ ନାହିଁ ।’ ପରନ୍ତୁ ବିସିସିଆଇ ଯେଉଁ ଚିଠି ଆଇସିସି ପାଖକୁ ପଠାଇଛି ସେଥିରେ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବ କି ନାହିଁ, ସେ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ ।